ସମସ୍ୟା ଘେରରେ ଥାଲେସେମିଆ ରୋଗୀ, ଦାବିପତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଥାଲେସେମିଆ ରୋଗୀ ସଂଘ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ପାଇଁ ଆନୁସଙ୍ଗିକ ସୁବିଧାସୁଯୋଗ ନଥିବା ଓ ରକ୍ତଭଣ୍ଡାରରେ ଆବଶ୍ୟକ ରକ୍ତ ମିଳୁନଥିବା ନେଇ ଅଭିଯୋଗ କରାଯାଇଛି ।

ଆଜି ପୂର୍ବାହ୍ଣରେ ସଂଘର ୫ଜଣ ସଦସ୍ୟ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ସଂଘର ନିମାଇଁ ଚରଣ ମହାରଣା, ଅଶୋକ ସିଂହ, ଦଣ୍ଡପାଣି ନାୟକ, ସିଦେ୍ଧଶ୍ୱର କର, ସରିତା ପଟ୍ଟନାୟକ ପ୍ରମୁଖ ଦାବିପତ୍ରରେ ଦର୍ଶାଇଛନ୍ତି ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥାଲେସେମିଆ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଶଯ୍ୟାର ବ୍ୟବସ୍ଥା ନାହିଁ । ସେମାନଙ୍କୁ ଚଟାଣରେ ଶୁଆଇ ରକ୍ତ ଦିଆଯାଉଛି । ଚିକିତ୍ସାଳୟ ଠାରୁ ରକ୍ତଭଣ୍ଡାର ଦୂରରେ ଥିବାରୁ ରକ୍ତ ଆଣିବାରେ ସମସ୍ୟା ହେଉଛି, କେବଳ ଏହାନୁହେଁ ରକ୍ତଭଣ୍ଡାରରେ ରକ୍ତଦାତାଙ୍କ ବିନା ଆବଶ୍ୟକ ରକ୍ତ ମିଳୁନାହିଁ । ଏହା ସହ ସରକାରଙ୍କ ପକ୍ଷରୁ ଲୌହ ବଟିଆ ଓ ଅନ୍ୟ ମାଗଣା ଔଷଧ ମଧ୍ୟ ପ୍ରଦାନ କରାଯାଉନାହିଁ । ଶ୍ରୀ ମହରଣା କହିଛନ୍ତି ଯେ ଏନେଇ ସେମାନେ ୮ ମାସ ପୂର୍ବେ ଏଡିଏମ୍ଓଙ୍କୁ ଭେଟି ଅନୁରୂପ ଦାବିପତ୍ର ଦେଇଥିଲେ କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଆଜି ଜିଲ୍ଲାପାଳଙ୍କ ଭେଟି ଥାଲେସେମିଆ ରୋଗୀଙ୍କ ପାଇଁ ଆବଶ୍ୟକ ସୁବିଧାସୁଯୋଗ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର