ଯନ୍ତ୍ରଣାପୂର୍ଣ୍ଣ ଜୀବନ ଜିଉଛି ଦୁଇ ବର୍ଷର ମୌସୁମୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କାଠପଡ଼ା ପଞ୍ଚାୟତର କେନ୍ଦୁପୁଟ ଗ୍ରାମର ବୁଡୁ ମାଣ୍ଡିଙ୍କ ଝିଅ ମୌସୁମୀ। ବୟସ ଦୁଇବର୍ଷ। ତେବେ ଦୁଇବର୍ଷ ବୟସର ଶିଶୁଟିର ଯେଉଁଭଳି ସ୍ବାଭାବିକ ଜୀବନ ନେଇ ଚଳପ୍ରଚଳ କରିଥାଏ, ତାହା ମୌସୁମୀ ନିକଟରେ ଦେଖିବାକୁ ମିଳୁନାହିଁ। କେବଳ ବିଛଣାରେ ପଡି ରହିଛି। ଝିଅର ଏ ପ୍ରକାର ଅସ୍ବାଭାବିକ ଅବସ୍ଥା ଦେଖି ବାପା ବୁଡୁ ଏବଂ ମାଆ ସାବିତ୍ରୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଝିଅର ଏହି ଅସ୍ବାଭାବିକ ଅବସ୍ଥା ସଂପର୍କରେ ସାବିତ୍ରୀ କହିଛନ୍ତି ତାଙ୍କର ଦୁଇଟି ଝିଅ ମଧ୍ୟରୁ ବଡ଼ ଝିଅ ଏବେ ଅଂଗନବାଡିର ଛାତ୍ରୀ ଥିବାବେଳେ ସାନ ଝିଅ ମୌସୁମୀ ଅଚଳ ଅବସ୍ଥାରେ ବିଛଣାରେ ପଡି ରହିଛି। ଜନ୍ମ ହେବା ପରେ ଅନ୍ୟ ଶିଶୁମାନଙ୍କ ପରି ମୌସୁମୀ ମଧ୍ୟ ସାଧାରଣ ଭାବେ ମାଆ କୋଳରେ ରହି ବଢିଥିଲା। କିନ୍ତୁ ବୟସ ବଢିବା ପରେ ବି ମୌସୁମୀ ଚଳପ୍ରଚଳ କଲା ନାହିଁ। ମାଆ କୋଳ ଆଉ ବିଛଣାକୁ ଛାଡ଼ି ଅନ୍ୟ କୌଣସି ଶାରୀରିକ ପରିବର୍ତ୍ତନ ଦେଖିବାକୁ ମିଳିଲା ନାହିଁ।

ଝିଅର ଏ ପ୍ରକାର ଅସ୍ବାଭାବିକ ଅବସ୍ଥା ଦେଖି ବାପା ମାଆ ଜୟପୁର ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ସେମାନଙ୍କୁ କୋରାପୁଟ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। କୋରାପୁଟ ଡାକ୍ତରଖାନାରେ ମୌସୁମୀର ପରୀକ୍ଷା ପରେ ଔଷଧ ଦିଆଯିବା ସହ ସେ ଠିକ୍ ହୋଇଯିବ ବୋଲି ଆଶ୍ଵସନା ମିଳିଥିଲା। କିନ୍ତୁ ଆଜି ମଧ୍ୟ ମୌସୁମୀର କୌଣସି ପରିବର୍ତ୍ତନ ହୋଇନାହିଁ। ମାଆ ଖୀର ଛଡ଼ା ଅନ୍ୟ କୌଣସି ଖାଦ୍ୟ ଖାଉ ନଥିବା ସାବିତ୍ରୀ ପ୍ରକାଶ କରିବା ସହ ବାପା କୁଲି କାମ କରି ଯାହା ରୋଜଗାର କରନ୍ତି ସେତିକିରେ ଦୁଇବେଳା ଦୁଇ ମୁଠା ଖାଇବା ଯୋଗାଡ଼ ହୋଇଯାଏ। ଝିଅକୁ ଏପରି ଅବସ୍ଥାରେ ଅଲଗା କରି ନିଜେ କୁଲି କାମ କରିବା ପାଇଁ ଯାଇପାରୁ ନାହାଁନ୍ତି। ଘର କାମ କଲାବେଳେ ବଡ଼ ଝିଅ ମୌସୁମୀର ଦାୟିତ୍ଵ ନେଇଥାଏ। ମୌସୁମୀର ଚିକିତ୍ସା ପାଇଁ ଅର୍ଥ ବାଧକ ହେତୁ ଯନ୍ତ୍ରଣାପୂର୍ଣ୍ଣ ଜୀବନ ନେଇ ଜିଇଛି ମୌସୁମୀ। ତେଣୁ ସରକାରୀ ସାହାଯ୍ୟ ପାଇଁ ବାପା ମାଆ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର