ମାଲକାନଗିରି: ମାଲକାନଗିରି ଜିଲ୍ଲା ଏବେ ତତଲା କଢେଇରେ ସିଝୁଛି। ଗତ କିଛିଦିନ ତଳେ ସାମାନ୍ୟ ବର୍ଷା ହେବା ଯୋଗୁଁ ଲୋକେ ଆଶ୍ବସ୍ତ ଲାଭ କରିଥିଲେ ମଧ୍ୟ ଗତ ଏକ ସପ୍ତାହ ହେଲା ଲୋକେ ଗରମକୁ ତ୍ରାହୀ ତ୍ରାହୀ ଡାକ ଛାଡିଲେଣି। ଗତ ଏକ ସପ୍ତାହ ହେଲା ପାରଦ ୪୨ ଡିଗ୍ରୀରୁ ତଳକୁ ଖସୁ ନାହିଁ। ତେବେ ଆଉ କିଛିଦିନ ଏଭଳି ଲାଗି ରହିବ ବୋଲି କୁହାଯାଇଛି। ଜିଲ୍ଲାର ସମସ୍ତ ନଦୀନାଳ ଶୁଖିଯାଇଥିବା ବେଳେ କାଁ ଭାଁ ପାହାଡିଆ ନଦୀରେ ପାଣି ରହୁଥିବା ଦେଖିବାକୁ ମିଳିଛି। ଏବେ ଠାରୁ ଲୋକେ ଗରମରେ ଲୋକେ ସନ୍ତୁଳି ହେଉଛନ୍ତି। ଦିନ ୯ଟା ବାଜିଲେ ଘରୁ ପଦାକୁ ବାହାରିବା କଷ୍ଟ ହୋଇପଡୁଛି। ଅତି ଦରକାର ପଡିଲେ ହିଁ ଲୋକେ ଛତା କିମ୍ବା ମୁଣ୍ଡରେ କପଡା ଦେଇ ବାହାରକୁ ବାହାରୁଥିବା ଦେଖିବାକୁ ମିଳିଛି। ଲୋକେ ସକାଳୁ ସକାଳୁ ନିଜର ଅତ୍ୟାବଶକୀୟ ଜିନିଷ ଖରିଦ କରି ନେଉଥିବା ଦେଖିବାକୁ ମିଳୁଛି। ଦିନ ଏଗାରଟା ବାଜିଲେ ସମସ୍ତ ଦୋକାନ ବଜାର ବନ୍ଦ ହେଉଥିବାରୁ ଲୋକେ ଆଉ ବାହାରକୁ ବାହାରିବା ପାଇଁ ଅମଙ୍ଗ ହେଉଛନ୍ତି। ସନ୍ଧ୍ୟା ସାଢେ ଛଅଟା ପର୍ଯ୍ୟନ୍ତ ଗୁଳୁ ଗୁଳି ଏବଂ ଗରମ ଲାଗି ରହିଛି।ଗରମରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ଏସି କିମ୍ବା ଫ୍ୟାନ ଲଗାଇ ବସୁଥିବା ଦେଖିବାକୁ ମିଳିଛି। ତେବେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଥିବାରୁ ଲୋକେ ଏଥିରେ ଅତିଷ୍ଟ ହୋଇ ପଡିଲେଣି। ଗାଁ ଗହଳିରେ କିନ୍ତୁ ଲୋକେ ଘରୁ ପଦାକୁ ବାହାରି ଗାଁ ଆମ୍ବ ତୋଟା କିମ୍ବା ତେନ୍ତୁଳି ତୋଟାରେ ବସି ରହୁଥିବା ଲକ୍ଷ୍ୟ କରାଯାଇଛି।
ଗରମ ସମ୍ପର୍କରେ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ପଚାରିବାରୁ ସେମାନେ ଏହି ଗରମ ସହ ଖାପଖୁଆଇ ଚଳିବା ଶିଖିଯାଇଛନ୍ତି।ତେଣୁ ଏହା ତାଙ୍କ ପାଇଁ ନୂଆ ନୁହେଁ ବୋଲି କହନ୍ତି। ଗତକାଲି ୪୩ ଡିଗ୍ରୀ ପାରଦ ଛୁଇଁଥିବା ବେଳେ ଆଜି ୪୨ ଡିଗ୍ରୀ ରହିଥିଲା। ପ୍ରବଳ ଗରମ ହେଉଥିବାରୁ ଲୋକେ ଏବେ ମିଶ୍ରି ପାଣି ଉପରେ ଭରସା କରିଛନ୍ତି। ଜିଲ୍ଲାର ସମସ୍ତ ଦୋକାନରେ ଏବେ ମିଶ୍ରିପାଣି ମିଳୁଥିବାରୁ ଲୋକେ ପଇଡ ସହ ମିଶ୍ରି ପାଣି ପିଇବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଖରାଦିନ ହେଲେ ଦୋକାନୀ ମିଶ୍ରି ପାଣି ବିକ୍ରି ବେଶ ଦିପଇସା ଲାଭ କରୁଥିବା ଦେଖିବାକୁ ମିଳିଛି। ପ୍ରଥମେ ତରଭୁଜ ଏବଂ କାକୁଡି ଉପରେ ଲୋକେ ନିର୍ଭର କରୁଥିବା ବେଳେ ଏବେ ଲୋକେ ମିଶ୍ରି ପାଣି ଉପରେ ନିର୍ଭର କରୁଛନ୍ତି। ଲୋକେ ଘରୁ ପଦାକୁ ବାହାରିଲେ ସାଙ୍ଗରେ ପାଣି ବୋତଲ ଧରି ବାହାରୁ ଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି।ପ୍ରବଳ ଗରମ ହେଉଥିବାରୁ ଲୋକେ ଏବେ ଠାରୁ ତ୍ରାହୀ ତ୍ରାହୀ ଡାକ ଛାଡିଲେଣି। ଆଗକୁ ଆହୁରି ଦୁଇ ମାସ କିପରି କଟାଇବେ ସେନେଇ ଚିନ୍ତାରେ ପଡିଲେଣି।