ସୁନ୍ଦରଗଡ଼: ବିସ୍ଥାପିତଙ୍କୁ କ୍ଷତିପୂରଣ, ପୁନର୍ବାସ, ଥଇଥାନ ଓ ନିଯୁକ୍ତି ସହ ନୀତି ଅନୁସାରେ ଅନ୍ୟ ସୁବିଧା ଦାବିରେ ମହାଲକ୍ଷ୍ମୀ ବିସ୍ଥାପିତ ସୁରକ୍ଷା ଅଧିକାର ମଞ୍ଚ ଜୁଲାଇ ୨ ତାରିଖରୁ ଏମସିଏଲ ଖଣି ବନ୍ଦ ଆନ୍ଦୋଳନ ଜାରି ରଖିଛି। ଜିଲ୍ଲା ପ୍ରଶାସନ ଓ ଏମସିଏଲ କର୍ତ୍ତୃପକ୍ଷ ବାରମ୍ବାର ଆଲୋଚନାକୁ ଆସିଥିଲେ ମଧ୍ୟ ତାହା ବିଫଳ ହୋଇଛି। ପୁନର୍ବାସ, ଥଇଥାନ ଓ ନିଯୁକ୍ତି ସମ୍ପର୍କରେ ସର୍ବୋଚ୍ଚନ୍ୟାୟାଳୟ ପୂର୍ବରୁ ଦେଇଥିବା ରାୟ ଉପରେ ସ୍ପଷ୍ଟୀକରଣ ଆସିବା ପରେ ବିସ୍ଥାପିତଙ୍କୁ ସୁବିଧା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ଓ ଏମସିଏଲ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବିସ୍ଥାପିତ ଏହାକୁ ଗ୍ରହଣ କରିନାହାନ୍ତି। ଅତୀତରେ ସର୍ବୋଚ୍ଚ ନ୍ୟାୟାଳୟ ଓ କ୍ଲେମ୍ କମିସନଙ୍କ ରାୟ ଉପରେ ଏମସିଏଲ ପୁଣି ଅର୍ଜି ଦାଖଲ କରି ଦିନ ଗଡ଼ାଇ ନେଇଥିବାରୁ ଏଥର ମଧ୍ୟ ସେପରି କିଛି ଉଦ୍ୟମ କରିପାରେ ବୋଲି ବିସ୍ଥାପିତ ଆଶଙ୍କା ପ୍ରକାଶ କରିଛନ୍ତି।
ତେବେ ଜିଲ୍ଲା ପ୍ରଶାସନ- ଟ୍ରକ ମାଲିକ ସଂଘ ଓ ବିସ୍ଥାପିତଙ୍କ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଆଲୋଚନା ପରେ ଗତ ୧୦ ତାରିଖରୁ ଗର୍ଜନବାହାଲ, କୁଲଡ଼ା ଖଣିରୁ କୋଇଲା ପରିବହନ ପାଇଁ ସଡ଼କ ପଥରୁ ଅବରୋଧ ହଟାଇ ଦେଇଥିବାବେଳେ ସିଆରମାଲ ଓ ବସୁନ୍ଧରା ଖଣି ସହ ସରଡେଗା, କନିକା ରେଲୱେ ସାଇଡିଂକୁ ବନ୍ଦ ରଖିଛନ୍ତି। ସୋମବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସହ ପୁଣି ଆଲୋଚନା ପରେ ତୁମଲିଆ ଓ ଝୁପୁରୁଙ୍ଗାର ୨ ହଜାର ଘରର କ୍ଷତିପୂରଣ ମାସେ ଭିତରେ ସାରିବାର ପ୍ରତିଶ୍ରୁତିରେ ଏମସିଏଲ ଅଫିସର ତାଲା ଖୋଲି ଦେଇଛନ୍ତି ବିସ୍ଥାପିତ। ଏହା ସହ ନ୍ୟାୟାଳୟଙ୍କ ସ୍ପଷ୍ଟୀକରଣ ବାହାରେ ଥିବା ବିସ୍ଥାପିତ ପରିବାର ଉତ୍ତରାଧିକାରୀଙ୍କୁ ଚାକିରି ମାମଲା ଏବଂ ସ୍ପଷ୍ଟୀକରଣ ପରେ ନ୍ୟାୟାଳୟରେ ପୁଣି ଅର୍ଜି ଦାଖଲ ନକରିବାର ଲିଖିତ ପ୍ରତିଶ୍ରୁତି ମିଳିଲେ ସାଇଡିଂକୁ କୋଇଲା ପରିବହନ କରିବାକୁ ଦିଆଯିବ ବୋଲି ବିସ୍ଥାପିତ ମଞ୍ଚ ପ୍ରକାଶ କରିଛି। ସେପଟେ ସରଡେଗା ଓ କନିକା ସାଇଡିଂକୁ କୋଇଲା ପରିବହନ ବନ୍ଦ ଥିବାରୁ ୨୩ ଦିନ ମଧ୍ୟରେ ଏମସିଏଲର ବିଭିନ୍ନ ଷ୍ଟକ୍ୟାର୍ଡରେ ପ୍ରାୟ ୧୩ ଲକ୍ଷ ଟନ୍ କୋଇଲା ପଡ଼ିରହିଛି। ଟନ୍ ପ୍ରତି ସର୍ବନିମ୍ନ ୩୩ ଶହ ଟଙ୍କା ହାରରେ ୪୨୯ କୋଟି ଟଙ୍କାର କୋଇଲା ପରିବହନ ହୋଇ ପାରିନାହିଁ। କନିକା ଓ ସରଡେଗା ସାଇଡିଂକୁ ଗର୍ଜନବାହାଲ, କୁଲଡା ଓ ବସୁନ୍ଧରା କୋଇଲା ଖଣି ଷ୍ଟକ୍ୟାର୍ଡରୁ ଦୈନିକ ୪୫ ହଜାର ଟନ୍ କୋଇଲା ପରିବହନ ହୋଇଥାଏ।
ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣକୁ ଅପେକ୍ଷା
ଷ୍ଟକ୍ୟାର୍ଡରେ ପଡ଼ିଛି ୪୩୦ କୋଟିର କୋଇଲା
ଛିଡ଼ା ରହିଛି ୯ ଶହ ଟିପର୍
ବନ୍ଦ ଯୋଗୁଁ ୨୩ ଦିନରେ ୧୦ ଲକ୍ଷ ଟନ୍ରୁ ଅଧିକ କୋଇଲା ଜମା ହେଲଣି। ଏହା ଛଡ଼ା ପୂର୍ବରୁ ଷ୍ଟକ୍ୟାର୍ଡଗୁଡ଼ିକରେ ୩ ଲକ୍ଷ ଟନ୍ରୁ ଅଧିକ କୋଇଲା ଗଚ୍ଛିତ ଥିବା ସୂଚନା ରହିଛି। ଏପଟେ ସାଇଡିଂକୁ କୋଇଲା ପରିବହନ ବନ୍ଦ ରହିବା ଯୋଗୁଁ ଗୁରୁତର ପ୍ରଭାବିତ ହୋଇଛନ୍ତି ଟିପର ଚାଳକ। ସାଇଡିଂକୁ ଦିନ ରାତି ପରିବହନ କରୁଥିବା ୯ ଶହରୁ ଅଧିକ ଟିପର ଛିଡ଼ା ରହିଥିବା ବେଳେ ପ୍ରାୟ ୧୮ ଶହରୁ ଅଧିକ ଚାଳକ ଖାଲି ଖାଲି ବସି ରହିଛନ୍ତି। ଏସ୍ଥିତିରେ କାମ ନାହିଁ ତ ଦରମା ନାହିଁ ଆଶଙ୍କାରେ ରହିଛନ୍ତି ଚାଳକ। ଅନ୍ୟପଟେ ରେଲୱେ ସାଇଡିଂ ବନ୍ଦ ଯୋଗୁଁ କୋଇଲା ଅଭାବରୁ ତାପଜ ବିଦ୍ୟୁତ କେନ୍ଦ୍ର ଓ ଅନ୍ୟ କାରଖାନାଗୁଡ଼ିକ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହେଲାଣି। ତାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସରକାର। ସେଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ରେଲୱେ ସାଇଡିଂକୁ ଖୋଲି ଦେବାକୁ ଆନ୍ଦୋଳନରତ ବିସ୍ଥାପିତଙ୍କୁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ବିସ୍ଥାପିତ ଗାଁ ତୁମୁଲିଆ ଓ ଝୁପୁରୁଙ୍ଗା ଗାଁ ସହ ୧୪ ଖଣ୍ଡ ଗାଁ ବିସ୍ଥାପିତଙ୍କୁ ୯ ମାସ ମଧ୍ୟରେ କ୍ଷତିପୂରଣ ଓ ପୁନର୍ବାସ, ଥଇଥାନ ସୁବିଧା ପ୍ରଦାନ ଶେଷ କରିବାକୁ ଗତ ୩ ନଭେମ୍ବର ୨୦୨୨ରେ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଥିଲେ। କିନ୍ତୁ ୮ ମାସ ବିତିଯିବାକୁ ବସିଥିବା ବେଳେ ଏ ଦୁଇ ଗାଁର ହାତଗଣତି ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯାଇଛି।
୧୪ଟି ବିସ୍ଥାପିତ ଗାଁ ସମେତ ଥଇଥାନ ଓ ପୁନର୍ବାସ ଆଇନ ୨୦୧୩ ନୀତି ଲାଗୁ ହୋଇଥିବା ତୁମୁଲିଆ, ଝୁପୁରୁଙ୍ଗା, ରତନସରା ଓ କିରିପସିରା ବିସ୍ଥାପିତଙ୍କ ପାଇଁ ଏଯାଏଁ ଥଇଥାନ ଓ ପୁନର୍ବାସ ସ୍ଥାନ ବା ଗୃହ ନିର୍ମାଣ ଭୂମି ଚୂଡ଼ାନ୍ତ କରାଯାଇ ନାହିଁ। ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ବିସ୍ଥାପିତଙ୍କୁ ୧୦ ଡିସିମିଲ ଘରଡିହ ଓ ଗୃହ ନତୁବା ଏକକାଳୀନ ସାଢ଼େ ୧୪ ଲକ୍ଷ ପ୍ରଦାନ, ଡିହ ନେବାକୁ ଚାହୁ ନଥିବା ବିସ୍ଥାପିତ ପରିବାକରୁ ୨୫ ଲକ୍ଷ ଦିଆଯିବା କଥା। କିନ୍ତୁ ଏଯାଏ କମ୍ପାନି ସେ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ଓଡ଼ିଶା ସରକାରଙ୍କ ଥଇଥାନ ଓ ପୁନର୍ବାସ ନୀତି ୨୦୦୬ ଓ ସଂଶୋଧିତ ନୀତି ୨୦୧୩ ଅନୁଯାୟୀ ୧୪ଟି ଗାଁ ବିସ୍ଥାାପିତ ପରିବାରର ଜଣକୁ ନିଯୁକ୍ତି ପ୍ରଦାନ ପାାଇଁ ୨୦୨୨ ଅକ୍ଟୋବର ୧୬ରେ ଅନୁଷ୍ଠିତ ବୈଠକରେ ଏମସିଏଲ କର୍ତ୍ତୃପକ୍ଷ ରାଜି ହୋଇଥିଲେ। କିନ୍ତୁ ଏଯାଏ ଜଣକୁ ବି ନିଯୁକ୍ତି ଦିଆଯାଇ ନାହିଁ। ଏ ପ୍ରସଙ୍ଗରେ ୮ ମାସ ତଳେ ଜିଲ୍ଲା ପ୍ରଶାସନ, ଏମସିଏଲ କର୍ତ୍ତୃପକ୍ଷ ଓ ବିସ୍ଥାପିତଙ୍କ ମଧ୍ୟରେ ତ୍ରିପାକ୍ଷିକ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏମସିଏଲ ତାକୁ ଏଯାଏଁ କାର୍ଯ୍ୟକାରୀ ନକରି ପକାଇ ରଖିଛି।