ସମ୍ବଲପୁର: ଧର୍ମେନ୍ଦ୍ରଙ୍କ କଥା ରଖିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ। ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାର ଆସିରଗଡ଼ ଦୁର୍ଗରେ ଦେଶର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ। ଏହା ପରେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି ପଦକ୍ଷେପ ନିଆଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ ତ୍ୱରିତ ପ୍ରତିକ୍ରିୟା ସ୍ୱରୂପ ଚିଠିର ପ୍ରତ୍ୟୁତ୍ତରରେ କହିଛନ୍ତି ।

Advertisment

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସ୍ୱାଧୀନତାର ଅମୃତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା ଏବଂ ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ, ଜନନାୟକ ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ ଓ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ମିଳିବା ପରେ ସୁଚିନ୍ତିତ ଯୋଜନା କରାଯିବ। ଏହା ଦେଶମାତୃକା ପାଇଁ ବଳିଦାନ ଦେଇଥିବା ମହାନ କ୍ରାନ୍ତିକାରୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ମଧ୍ୟପ୍ରଦେଶର ଜନସାଧାରଣଙ୍କ ଉଚିତ ଶ୍ରଦ୍ଧାଞ୍ଜଳି ହେବ। ଗତ ୧୮ ଜାନୁଆରିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ପତ୍ର ଲେଖିବା ସହ ଏହି କାର୍ଯ୍ୟରେ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ସେ ପତ୍ରରେ ଉଲ୍ଲେଖ କରିଥିଲେ ଯେ ବ୍ରିଟିଶ ଶାସନ ବିରୋଧରେ ସମ୍ବଲପୁର ବିଦ୍ରୋହର ନେତୃତ୍ୱ ନେଇଥିବା ବୀର ସୁରେନ୍ଦ୍ର ସାଏ ଏବଂ ଅନେକ ସଂଗ୍ରାମୀ ମାନଙ୍କର ଆସିରଗଡ଼ ଦୁର୍ଗ ସହ ଗଭୀର ସଂପର୍କ ରହିଛି ।

ଜୀବନ ଦୀର୍ଘ ୩୭ ବର୍ଷ କାଳ ଜେଲ୍‌ ଦଣ୍ଡ ଭୋଗିଥିବା ବୀର ସୁରେନ୍ଦ୍ର ସାଏ ୧୮୫୭ ମସିହା ବିଦ୍ରୋହ ପୂର୍ବରୁ ଇଂରେଜମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ପ୍ରଧାନମନ୍ତ୍ରୀ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଇତିହାସ ପୃଷ୍ଠାରେ ଅନାଲୋଚିତ ଜନଜାତି ସଂଗ୍ରାମୀଙ୍କ ବୀରଗାଥା ଓ ସାହସକୁ ସମ୍ମାନ ଏବଂ ଶ୍ରଦ୍ଧାଞ୍ଜଳି ଦେବା ଦିଗରେ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି । ବୀର ସୁରେନ୍ଦ୍ର ସାଏ ଆସିରଗଡ଼ ଦୁର୍ଗରେ ଶେଷ ଜୀବନ କାଟିଥିଲେ । ଏହାକୁ ବିଶେଷ ଧ୍ୟାନରେ ରଖି ଆସିରଗଡ଼ ଦୁର୍ଗରେ ସୁରେନ୍ଦ୍ର ସାଏଙ୍କ ବୀରତ୍ୱକୁ ପ୍ରତିଫଳିତ କରୁଥିବା ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ତାଙ୍କର ସହଯୋଗୀ ମାନଙ୍କ ସ୍ମୃତିରେ ଏକ ସ୍ମାରକୀ ନିର୍ମାଣ କରିବା ପାଇଁ ଓଡ଼ିଶାବାସୀଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଥିଲେ। ତେବେ, ପ୍ରାରମ୍ଭିକ ପଦକ୍ଷେପ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।