କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ରମେଶ ମାଝୀ

ମାଲକାନଗିରି: ପୋଲାଭରମ ପ୍ରକଳ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ସ୍ଥାୟୀ ପ୍ରତିକାର ଦାବି କଲେ ନବରଙ୍ଗପୁର ସାଂସଦ। ମାଲକାନଗିରି ଜିଲ୍ଲାର ମୋଟୁ ଓ ଏହାର ଆଖପାଖ ଅଞ୍ଚଳରେ ପୋଲାଭରମ ପ୍ରକଳ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ସ୍ଥାୟୀ ପ୍ରତିକାର ଦାବିରେ ମାନ୍ୟବର ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ରମେଶ ଚନ୍ଦ୍ର ମାଝୀ ଆଜି କେନ୍ଦ୍ର ସରକାରଙ୍କ ଜଳସମ୍ପଦ ବିଭାଗ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ତାଙ୍କ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି ଯେ ଆନ୍ଦ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ନିର୍ମାଣ ହେଉଥିବା ପୋଲାଭରମ ପ୍ରକଳ୍ପ ଦ୍ବାରା ଚଳିତ ବର୍ଷାରେ ମାଲକାନଗିରି ଜିଲ୍ଲାର ମୋଟୁ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥିସହ ଉକ୍ତ ସମସ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ମାନ୍ୟବର ଜଳସମ୍ପଦ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ଅନୁରୋଧ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି।

ପ୍ରକାଶ ଥାଉକି ଯେ, ମାନ୍ୟବର ସାଂସଦ ଗତ ୨୩ ତାରିଖରେ ମୋଟୁ ସମେତ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ବନ୍ୟା ପରିସ୍ଥିତି ଯୋଗୁଁ ଲୋକମାନଙ୍କ ଧନଜୀବନ ପ୍ରଭାବିତ ହୋଇଥିବା ବିଷୟରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ ସ୍ଥାନୀୟ ପ୍ରଶାସନକୁ ଲୋକଙ୍କ ଥଇଥାନ ଓ ପୀଡିତଙ୍କୁ ରିଲିଫ ବଣ୍ଟନକୁ ପ୍ରାଥମିକତା ଦେବା ଭଳି ଆବଶ୍ୟକ ପଦକ୍ଷେପ ନେବାକୁ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଉକ୍ତ ସମସ୍ୟା  ଉପରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଏହାର ସ୍ଥାୟୀ ପ୍ରତିକାର ପାଇଁ ସେ ବଦ୍ଧ ପରିକର ବୋଲି ମତପୋଷଣ କରିଛନ୍ତି।

ସମ୍ବନ୍ଧିତ ଖବର