ରାୟଗଡ଼ା: ସାଂସଦ ପାଣ୍ଠି ଅନୁଦାନର ବିନିଯୋଗ ପ୍ରମାଣପତ୍ର ଦାଖଲ କରୁନାହାନ୍ତି। କିନ୍ତୁ ମଦ ମାଫିଆଙ୍କୁ ସୁରକ୍ଷା ଦେବା ପାଇଁ ମିଥ୍ୟା ସତ୍ୟପାଠ ଉପରେ ମୋହର ଲଗାଉଛନ୍ତି। ଦୁଇ ନଥି ପତ୍ରରେ ଅଲଗା ଅଲଗା ସ୍ବାକ୍ଷର ଥିଲେ ମଧ୍ୟ ରାଜନୈତିକ ଚାପରେ ମଦ ମାଫିଆଙ୍କୁ ନୂତନ ବାର୍ ଲାଇସେନସ୍ ଆବେଦନକୁ ଗ୍ରହଣ କରି ଜିଲ୍ଲାପାଳ କମିସନରଙ୍କୁ ସୁପାରିଶ କରିବା ମଦ ମାଫିଆ-ପ୍ରଶାସନ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି ବୋଲି କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

ଗତ ଦୁଇ ବର୍ଷରେ କୋରାପୁଟ ସାଂସଦ ପାଣ୍ଠିରୁ ରାୟଗଡ଼ା ଜିଲ୍ଲା ପାଇଁ ୫ କୋଟିର ଅନୁଦାନ ଯୋଗାଇ ଦେଇଛନ୍ତି ସାଂସଦ। ଆଜି ସୁଦ୍ଧା ୩ କୋଟି ୫୦ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ମିଳିଥିବା ବେଳେ ୧ କୋଟି ୫୦ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ବାରମ୍ବାର ମାଗିବା ସତ୍ତ୍ବେ ମିଳୁନି। ଖୋଦ୍ ସାଂସଦ ବିଡ଼ିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା ପରେ ମଧ୍ୟ କେହି ଏ ଦିଗରେ ପଦକ୍ଷେପ ନେଉନାହାନ୍ତି। ବିନିଯୋଗ ପ୍ରମାଣପତ୍ର ନ ଗଲେ ଅନୁଦାନ ଆସିବାରେ ଅସୁବିଧା ହେବାକୁ ଥିବାରୁ ସାଂସଦ ଏ ନେଇ ରାୟଗଡ଼ା ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳିନଥିବା କହିଛନ୍ତି।

ରାୟଗଡ଼ା ସହରରେ ଖୋଲିବାକୁ ଥିବା ନୂତନ ବାର୍ ପାଇଁ ପ୍ରଶାସନ ଓ ଅବକାରୀ ବିଭାଗ ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇଛନ୍ତି। ରାଜରାସ୍ତା, ଦେବାଳୟ, ଶିକ୍ଷାନୁଷ୍ଠାନ ପାଖରେ ବାର୍ ଖୋଲିବାକୁ ଯାଉଥିବା ବେଳେ ରିପୋର୍ଟରେ ନିୟମନୁଯାୟୀ ଏ ସବୁ କିଛିନଥିବା ଉଲ୍ଲେଖ କରାଯାଇଛି। ଏପରିକି ଆବେଦନକାରୀ ଅବକାରୀ ଟିକସ ବକେୟା ଥିବାରୁ ଚଞ୍ଚକତା କରାଯାଇ ସ୍ତ୍ରୀ ନାମରେ ଆବେଦନ କରି କେୟାର ଟେକର ଭାବେ ସ୍ବାମୀଙ୍କ ବଦଳରେ ପିତାଙ୍କ ନାମ ଉଲ୍ଲେଖ ଭଳି ଚଞ୍ଚକତା କରାଯାଇଛି। ଅନିୟମିତତାକୁ ନେଇ ଗଦା ଗଦା ପ୍ରମାଣ ଥିବା ସତ୍ତ୍ବେ ଅବକାରୀ ବିଭାଗ-ପ୍ରଶାସନ ବାରକୁ ଅନୁମୋଦନ ଦେଇଥିବାରୁ କମିସନରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କଂଗ୍ରେସ ଚେତାବନୀ ଦେଇଛି।

ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ମଧ୍ୟ ନିର୍ଧିଷ୍ଟ ଠିକାଦାରଙ୍କୁ ସରକାର ଅନୁକମ୍ପା ଦେଖାଇଥିବା କଂଗ୍ରେସ ଅଭିଯୋଗ କରିଛି। ବର୍ଷ ବର୍ଷ ଧରି କେବଳ ପାଇପ ଗଦା କରି ଲୋକଙ୍କୁ ଭୁଆଁ ବୁଲାଯାଉଛି। ଜଳ ପ୍ରକଳ୍ପ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ଯୋଗାଇ ଦେଇଥିବା ବେଳେ ପୁଣି ଡିଏମଏଫ୍ ପାଣ୍ଠିରୁ ଅନୁଦାନ ଖର୍ଚ୍ଚ କରାଯାଇ ହଡ଼ପ କରାଯାଉଛି। ନିକଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ କୋଟିଆ, ନେରେଡ଼ି, ଝଞ୍ଜାବତୀକୁ ନେଇ ହୋଇଥିବା ଆଲୋଚନା ସଂପର୍କରେ କୌଣସି ସ୍ପଷ୍ଟ ମତ ରଖି ନାହାନ୍ତି ସରକାର। ତୁରନ୍ତ ଏ ନେଇ ସରକାର ନିଜ ଆଭିମୁଖ୍ୟ ରଖିବାକୁ ସପ୍ତଗିରି ଦାବି ରଖିଛନ୍ତି। ଏଥି ସହିତ ଦୁଇ ଦିନ ତଳେ କେନ୍ଦ୍ର ସରକାର ରାୟଗଡ଼ା ୯୬୨ ଏବଂ କୋରାପୁଟ ଜିଲ୍ଲାର ୫ ଶହରୁ ଉର୍ଧ୍ବ ଗାଁରେ ୪-ଜି ନେଟୱର୍କ ସ୍ଥାପନ ପାଇଁ ଘୋଷଣା କରିଛନ୍ତି।

୧୮ ମାସ ମଧ୍ୟରେ କାମ ସରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଗାଁ ତାଲିକା ଓ ଠିକ୍ ସମୟରେ କାମ ଶେଷ କରିବା ପାଇଁ ପୁଣି ସଂସଦରେ ପ୍ରଶ୍ନ କରିବେ ବୋଲି ସପ୍ତଗିରି ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳ ଅଦଳ ବଦଳ ପ୍ରକ୍ରିୟା ଚାଲିଥିବାରୁ କଂଗ୍ରେସର ବହୁ ନେତାଙ୍କୁ ବିଜେଡ଼ି ପ୍ରଲୋଭନ ଦେଖାଇ ନେଇଛି। କିନ୍ତୁ ଆଗାମୀ ନିର୍ବାଚନରେ ଜିଲ୍ଲା ପରିଷଦ ସହ ୬ରୁ ୭ ବ୍ଲକ୍ କଂଗ୍ରେସ ଦଖଲ କରିବ ବୋଲି ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ ଆପଲସ୍ବାମୀ କାଡ୍ରକା, କଂଗ୍ରେସ ନେତା ସୀମାଞ୍ଚଳ ଉଲାକା, ଜିଲ୍ଲା ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ, ସାଂସଦ ପ୍ରତିନିଧି ବାପି ପଟ୍ଟନାୟକ, ଆସଲାମ୍ ଖାନ୍ ଉପସ୍ଥିତ ଥିଲେ।