ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ପରାମର୍ଶଦାତା କମିଟିର ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ

ବାରିପଦା: ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ପରାମର୍ଶଦାତା କମିଟିର ଅଧ୍ୟକ୍ଷ ତଥା ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କୁଲଦୀପ ଚାନ୍ଦ ଅଗ୍ନିହୋତ୍ରୀ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବଶା(ସ୍ୱତନ୍ତ୍ର ନିମନ୍ତ୍ରିତ), ସଦସ୍ୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦିଲ୍ଲୀ ସ୍କୁଲ ଅଫ ଇକୋନମିକସ୍ର ବାଣିଜ୍ୟ ବିଭାଗର ମୁଖ୍ୟ ଓ ଡିନ ପ୍ରଫେସର ରିତେଶ କୁମାର ସିଂହ(ସଦସ୍ୟ), ଡ଼ଃ ରବିନ୍ଦ୍ର ସିଂହ ଜି. ପ୍ରସାଦ, ପ୍ରଫେସର ସସ୍ମିତା କର, ଡ଼ଃ ସୀତାଂଶୁ ସାମଲ, ଡ଼ଃ ରମେଶ ବର୍ମା ପ୍ରମୁଖ ଫେବୃଆରୀ ଗତକାଲି ଏବଂ ଆଜି ପରିଦର୍ଶନ କରିଥିଲେ । ଗତକାଲି ସକାଳେ ପରାମର୍ଶଦାତା କମିଟି ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ ପହଁଞ୍ଚି ପ୍ରଥମେ ମହାବିଦ୍ୟାଳୟ ସମ୍ମୁଖରେ ଥିବା ମହାରାଜା ପୂର୍ଣ୍ଣଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ପ୍ରଶାସନିକ ଭବନ ସମ୍ମୁଖରେ ମହାବିଦ୍ୟାଳୟର ଏନସିସି କେଡେଟମାନଙ୍କ ଦ୍ୱାରା ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଥିଲା ।

ଏହାପରେ ଅଧ୍ୟକ୍ଷା ପ୍ରଫେସର ଝରଣା ବେହେରା , ମହାବିଦ୍ୟାଳୟର ୟୁଜିସିର କୋ-ଅର୍ଡ଼ିନେଟର ସତ୍ୟବ୍ରତ ମିଶ୍ର ପ୍ରମୁଖଙ୍କ ସମେତ ଅନ୍ୟ କର୍ମଚାରୀମାନେ ପରାମର୍ଶଦାତା କମିଟିର ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶେଷରେ ଅଧ୍ୟକ୍ଷା ପ୍ରଫେସର ବେହେରା ମହାବିଦ୍ୟାଳୟର ବିଗତ ୬ ବର୍ଷର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନର ସବିଶେଷ ତଥ୍ୟ ପ୍ରଦାନ କରିବା ପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଦକ୍ଷତା କମିଟି ସଂଯୋଜକ ଶ୍ରୀ ମିଶ୍ର ମହାବିଦ୍ୟାଳୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଏହାପରେ କମିଟିର ଅଧ୍ୟକ୍ଷ ଓ ସଦସ୍ୟବୃନ୍ଦ ମହାବିଦ୍ୟାଳୟର ୟୁଜି ଓ ପିଜି ବିଭାଗଗୁଡ଼ିକର ପରିଦର୍ଶନରେ ଯାଇ ବିଜ୍ଞାନ ବିଭାଗର ପ୍ରୟୋଗଶାଳାରେ ଥିବା ଉପକରଣ, ପ୍ରାକ୍ଟିକାଲ କ୍ଲାସ, ସ୍ମାର୍ଟ କ୍ଲାସ, ସେମିନାର ଲାଇବ୍ରେରୀ ଏବଂ ଶିକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ସଦସ୍ୟମାନଙ୍କ ସହିତ ମହାବିଦ୍ୟାଳୟ ସମ୍ପର୍କରେ ଆଲୋଚନା କରିଥିଲେ ।

ସେହିପରି ଅପରାହ୍ନରେ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କାର୍ଯ୍ୟାଳୟର କର୍ମଚାରୀମାନଙ୍କ ସହିତ ରୁଦ୍ଧଦ୍ୱାର ବୈଠକ ପରେ ମହାବିଦ୍ୟାଳୟର ପାଠାଗାର, ପରୀକ୍ଷା ବିଭାଗ, କ୍ରୀଡ଼ା, ଏନସିସି, ଏନଏସଏସ, ୱାୟଆରସି, ରୋଭାର୍ସ ଓ ରେଞ୍ଜର୍ସ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଶେଷରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ପ୍ରସ୍ଥାନ ବୈଠକରେ ଅଧ୍ୟକ୍ଷା ପ୍ରଫେସର ବେହେରା ସ୍ୱାଗତ ଅଭିଭାଷଣ ଓ ସଂଯୋଜକ ଶ୍ରୀ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର