ବାରିପଦା: ୨୦୧୭ ପଞ୍ଚାୟତ ନିର୍ବାଚନ ପରେ ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ଯୁବ ଭୋଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆକୃଷ୍ଟ ହୋଇ ବିଜେପିକୁ ଭୋଟ ଦେଇଥିଲେ। ଫଳରେ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ବିଜେପି ଜିଲ୍ଲାରେ ଆଶାତୀତ ସଫଳତା ପାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ରହିଛି। ମାତ୍ର ବ୍ରାଣ୍ଡ୍ ମୋଦୀ ପ୍ରତି ଢଳୁଥିବା ଯୁବବର୍ଗଙ୍କୁ ନବୀନଙ୍କ ପ୍ରତି ଆକୃଷ୍ଟ କରିବାକୁ ଏବେ ବିଜେଡିର ନୁଆ ମାଧ୍ୟମ ସାଜିଛି ଖେଳ। ଉଭୟ ଫୁଟବଲ ଓ କ୍ରିକେଟ ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜର ସର୍ବାଧିକ ଯୁବ ଭୋଟରଙ୍କୁ ନିଜ ଆଡ଼କୁ ଆଣିବ ଦଳ।

Advertisment

ଏହି କ୍ରମରେ ଆଜିଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି ମୟୂରଭଞ୍ଜ ପ୍ରିମିୟର ଲିଗ(ଏମପିଏଲ)। ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଜିଲ୍ଲାର ପର୍ଯ୍ୟବେକ୍ଷକ ଥିବାରୁ ଏଠାରୁ ଆରମ୍ଭ ହୋଇଛି ଏହି ପ୍ରୟାସ। ଏଠି ସଫଳ ହେଲେ ଏହା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଲାଗୁ କରାଯିବ। ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆଜିଠାରୁ ଏମପିଏଲର ପ୍ରଥମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଅଛି । ଏହି ଅବସରରେ ଆଜି ପୂର୍ବାହ୍ନ ୧୦ଟା ସମୟରେ ଅଧିଷ୍ଠାତ୍ରୀ ଦେବୀ ମା ଅମ୍ବିକା ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ମଶାଲରେ ଅଗ୍ନି ସଂଯୋଗ କରାଯାଇଥିଲା। ରାଜ୍ୟସ୍ତରୀୟ ବିଶିଷ୍ଟ ଭେଟରାନ ଫୁଟବଲ ଖେଳାଳୀ ପରେଶ ଚନ୍ଦ୍ର ଦାସ ମଶାଲ ବାହକ ସାଜିଥିଲେ। ବିଜୁ ପଟ୍ଟନାୟକ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

publive-image

ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ଖୋଦ୍ ପ୍ରଣବ ପ୍ରକାଶ ଦାସ ମଧ୍ୟ ଖେଳାଳୀଙ୍କ ଗହଣରେ ପହଞ୍ଚି ଉତ୍ସାହିତ କରିଥିଲେ। ଏହି ଅବସରରେ ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭାପତି ଦେବାଶିଷ ମାରାଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା ପ୍ରମୁଖ ମଶାଲ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ। ଶିମିଳିପାଳ ୱାରିୟର ଏବଂ ପାଲବଣୀ ଷ୍ଟ୍ରାଇକର୍ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ୍ରେ ଉଭୟ ଫୁଟବଲ ଏବଂ କ୍ରିକେଟରେ ୩୨ ଲେଖାଏଁ ଟିମ ଅଂଶଗ୍ରହଣ କରିବେ। ପୂର୍ବତନ ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ଉପ-ନଗରପାଳ ଜିତେନ୍ଦ୍ର ମହାନ୍ତି, ପ୍ରଭାତ ନାୟକ, ଆଦିତ୍ୟ ପଣ୍ଡା, ପ୍ରଭାତ ମହାନ୍ତି, ଅନନ୍ତ ଦାସ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବୀଣାପାଣି ସାହୁ, ଅମର ସେଠୀ, ସରୋଜ ବୋଷ, ପ୍ରସନ୍ନଜିତ ମହାନ୍ତି, ଜିତ ପଟ୍ଟନାୟକ, ଆଭାସ ଦେ ପ୍ରମୁଖ ଉପସ୍ଥିତ ଥିଲେ। ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଅରୁଣ ବରାଡ, ଛାତ୍ର ସଭାପତି ସୁନୀଲ ନାୟକ, ଜୋନାଲ ଛାତ୍ର ସଭାପତି ଅବଦୁଲ ହବିବ, ରାଜ୍ୟ ଯୁବ ସମ୍ପାଦକ ରାଜୀବ ଜେନା, ଅଭୟ ସିଂ, ଦିବ୍ୟବ୍ରତ ମହାନ୍ତ, ସୁବ୍ରତ ଥାଟୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଜିଲ୍ଲାରେ ଲୁଚି ରହିଥିବା ବହୁ ଯୁବପ୍ରତିଭାଙ୍କୁ ଏହି ଲିଗ୍ ମାଧ୍ୟମରେ ଉପଯୁକ୍ତ ପ୍ଲାଟ୍ଟଫର୍ମ ଯୋଗାଇଦିଆଯିବା ନେଇ ବିଜେଡି ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟଯେ ଏମପିଏଲ ଆଜିଠାରୁ ଆରମ୍ଭ ହୋଇ ଫେବୃୟାରୀ ୬ ପର୍ଯ୍ୟନ୍ତ ପ୍ରତି ବ୍ଲକସ୍ତରରେ ଆୟୋଜିତ ହେବ । ଫେବୃୟାରୀ ୮ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ବ୍ଳକରୁ ଚୟନ ହୋଇଥିବା ଦଳଗୁଡ଼ିକୁ ନେଇ ବାରିପଦା ଷ୍ଟାଡିୟମଠାରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ହେବ । ମାର୍ଚ୍ଚ ୨ ଓ ୩ରେ ରାଇରଙ୍ଗପୁର ଷ୍ଟାଡିୟମଠାରେ ଫୁଟବଲ ସେମିଫାଇନାଲ ଓ ଫାଇନାଲ ଖେଳ ଏବଂ ମାର୍ଚ୍ଚ ୫ ଓ ୬ରେ କ୍ରିକେଟ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ବାରିପଦା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଜିଲ୍ଲାର ୨୬ଟି ଯାକ ବ୍ଲକରୁ ୮ଟି ଲେଖାଏଁ ଫୁଟବଲ ଓ କ୍ରିକେଟ ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ, ଜିଲ୍ଲାର ୨ଟି ଏନ.ଏ.ସି ଓ ୨ଟି ମୁନିସିପାଲିଟି ଅଂଚଳର ଯଥାକ୍ରମେ ୨ଟି ଲେଖାଏଁ ଓ ୪ଟି ଲେଖାଏଁ ଟିମ ଲିଗରେ ଅଂଶ ଗ୍ରହଣ କରିବେ । ଶ୍ରେଷ୍ଠ ଖେଳାଳୀଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ। ଉଭୟ ଫୁଟବଲ ଓ କ୍ରିକେଟରେ ଚାମ୍ପିଆନ ଦଳକୁ ନଗଦ ୧ଲକ୍ଷ ଓ ରନର୍ସ ଅପ୍ ଦଳକୁ ନଗଦ ୫୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ।