କୋରାପୁଟ: ଭିତ୍ତିଭୂମି ନାହିଁ କି ଯନ୍ତ୍ରପାତି ନାହିଁ। କିନ୍ତୁ ପାଠ୍ୟକ୍ରମ ଖୋଲି ଆବେଦନ ପକ୍ରିୟା ଆରମ୍ଭ କରିଦିଆଗଲା। ଛାତ୍ରଛାତ୍ରୀମାନେ ଆଡମିଶନ କରିବା ପରେ ନାହିଁ ନ ଥିବା ହଇରାଣ ହେଉଛନ୍ତି। କିନ୍ତୁ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି ରାଜ୍ୟ ସରକାର। ନାଁ ପାଠ୍ୟକ୍ରମକୁ ଅଧାରୁ ଛାଡି ପାରୁଛନ୍ତି ନା ଶିକ୍ଷା ଗ୍ରହଣ କରିପାରୁଛନ୍ତି। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ। ମେଡିକାଲ କଲେଜ ସ୍ଥାପନ ହେବାକୁ ୪ ବର୍ଷ ବିତିଲାଣି। ଏବେ ଏହାର କଳେବର ବୃଦ୍ଧି କରାଯିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଶେଷ ହୋଇଥିବାବେଳେ ୩ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବାକୁ ଯୋଜନା ରହିଛି। ହେଲେ ଏହି ଠାରେ ଖୋଲାଯାଇଥିବା ଡିପ୍ଲୋମା ଇନ୍ ରେଡିଏସ୍ନ ଟେକ୍ନୋଲୋଜୀ ପାଠ୍ୟକ୍ରମରେ ଆଦୌ ପ୍ରଫେସର ନ ରହିବା ମେଡିକାଲ ଶିକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଭିତ୍ତିଭୂମି ଓ ପ୍ରଫେସରଙ୍କ ଅଭାବ ହେତୁ ତିନିବର୍ଷ ହେଲା ଏହିଠାରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ଗତ ଦୁଇବର୍ଷ ହେବ ଏହିଠାରେ ୨୦ ଲେଖାଏଁରୁ ସିଟରୁ ଜଣେ ଲେଖାଏଁ ଛାତ୍ରଛାତ୍ରୀ ଆଡମିଶନ ନେଇ ଥିବାବେଳେ ଗତ ଶିକ୍ଷା ବର୍ଷରେ ୧୮ଜଣ ଛାତ୍ରଛାତ୍ରୀ ଆଡମିଶନ କରିଛନ୍ତି। ହେଲେ ମେଡିକାଲ କଲେଜରେ ଭିତ୍ତିଭୂମି ନ ଥିବାରୁ ଏହି ଶିକ୍ଷା ଦାନ କିପରି ହେଉଥିବ ତାହା ସରକାରଙ୍କ ପାରିବା ପାଣିଆକୁ ପଦାରେ ପକାଇଛି। ଏହିଠାରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ୧୦୦୦ ମାର୍କର ପରୀକ୍ଷା ଦେବାକୁ ରହିଥିବା ବେଳେ କିପରି ବିନା ଶିକ୍ଷାଦାନରେ ଏହା ସମ୍ଭବ ହେବ ତାହା ଅବିଭାବକମାନେ ପ୍ରଶ୍ନ କରିଛନ୍ତି।
/sambad/media/post_attachments/wp-content/uploads/2021/03/sln-medical-collage-300x225.jpg)
କୋରାପୁଟ ଜାନିଗୁଡାସ୍ଥିତ ଏସ୍ଏଲ୍ଏନ୍ ମେଡିକାଲ କଲେଜରେ ଗତ ତିନିଟି ଶିକ୍ଷା ଋତୁରେ ୨୦ ଜଣ ଛାତ୍ରଛାତ୍ରୀ ଆଡମିଶନ କରିଛନ୍ତି। ଏହି ପାଠ୍ୟକ୍ରମରେ ଆଡମିଶନ କରିଥିବା ଛାତ୍ରଛାତ୍ରୀମାନେ ଏକ୍ସ-ରେ, ସିଟି ସ୍କାନ, ଏମ୍ଆର୍ଆଇ, ଅଲ୍ଟରା ସାଉଣ୍ଡ, ଟୁ ଡି ଇକୋ ଓ ରେଡିଓ ଥେରାପୀ ଇତ୍ୟାଦି ଯନ୍ତ୍ରପାତି ସହାୟତାରେ ଶିକ୍ଷା ଗ୍ରହଣ କରିବା କଥା। କିନ୍ତୁ ଏଥି ମଧ୍ୟରୁ କେବଳ ଏକ୍ସ ରେ ଓ ସିଟି ସ୍କାନ ରହିଥିବାବେଳେ ଅନ୍ୟ କୌଣସି ଯନ୍ତ୍ରପାତି ନାହିଁ। ତେବେ ଏହି ବିଷୟରେ ଛାତ୍ରଛାତ୍ରୀମାନେ କିପରି ଶିକ୍ଷା ଗ୍ରହଣ କରୁଥିବେ ତାହା ସହଜେ ଅନୁମେୟ।
ଏହି ପାଠ୍ୟକ୍ରମ ପାଇଁ ଆବଶ୍ୟକ ଜଣେ ବରିଷ୍ଠ ପ୍ରଫେସରଙ୍କୁ ମିଶାଇ ଅତି କମ୍ରେ ୫ଜଣ ପ୍ରଫେସର ରହିବା କଥା। କିନ୍ତୁ ଏହି କଲେଜରେ ଡିନ୍ ଡାକ୍ତର କୃଷ୍ଣଚନ୍ଦ୍ର ବିଶ୍ବାଳଙ୍କୁ ଛାଡି କୌଣସି ପ୍ରଫେସର ନାହାଁନ୍ତି। ଡିନଙ୍କ ଉପରେ ମେଡିକାଲ କଲେଜର ଦାୟିତ୍ବ ରହିଥିବାବେଳେ ନିଜ ବିଭାଗ ପ୍ରତି ଦୃଷ୍ଟି ଦେଇପାରୁ ନାହାନ୍ତି ଅଧ୍ୟକ୍ଷ। ସେହିପରି ଡିଏମଏଲଟି ବା ଡିପ୍ଲୋମା ଇନ ମେଡିକାଲ ଲାବ୍ରୋଟାରୀ ଟେକ୍ନୋଲୋଜୀ ପାଠ୍ୟକ୍ରମର ଅବସ୍ଥା ମଧ୍ୟ ସମାନ। ଏହି ପାଠ୍ୟକ୍ରମରେ ପ୍ରଫେସର ରହିଥିବାବେଳେ ଲାଇବ୍ରେରୀ ନାହିଁ। ଏହାସହ ହଷ୍ଟେଲ ସୁବିଧା ନ ଥିବାରୁ ନାହିଁ ନ ଥିବା ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ। ଏସ୍ଏଲ୍ଏନ୍ ମେଡିକାଲ କଲେଜର ଡିନ୍ ଡାକ୍ତର କୃଷ୍ଣଚନ୍ଦ୍ର ବିଶ୍ବାଳ କହିଛନ୍ତି ଯେ ବହୁ ବାର ପାଠ୍ୟକ୍ରମ ନେଇ ସରକାରଙ୍କୁ ଚିଠି କରାଯାଇଛି। କିନ୍ତୁ ଚିଠିର କୌଣସି ପ୍ରତିଉତ୍ତର ମିଳିପାରୁ ନାହିଁ। ଫଳରେ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି।