ଜଉ ଚରିଗଲେ ୫୦୦ ହେକ୍ଟର ମୁଗ ଫସଲ; ଚାଷୀଙ୍କୁ ମିଳୁନି କୀଟନାଶକ ସବସିଡ଼

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଏବେ ରବି ମୁଗ ଫସଲ କରିଥିବା ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଅଧିକାଂଶ ଜମିରେ ଜଉପୋକ ଲାଗିଥିବା ବେଳେ ଆବଶ୍ୟକ କୀଟନାଶକ ଔଷଧ ମିଳୁନଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି । କିଛିଦିନ ଧରି ପାଗ କୋହଲା ରହିବା ଫଳରେ ମୁଗଫସଲରେ ଜଉ ବଂଶବୃଦ୍ଧି ଘଟିଥିବା ଜଣାପଡ଼ିଛି । ଜଉପୋକ ଲାଗିବା ଫଳରେ କଅଁଳ ମୁଗ ପତ୍ର ଓ କାଣ୍ଡ ନଷ୍ଟ ହୋଇଗଲାଣି । ଗଛର ପତ୍ର ଲୋଚାକୋଚା ହୋଇଯାଉଛି । ଆଉ କିଛି ମୁଗଗଛ ହଳଦିଆ ପଡ଼ିଯାଉଥିବା ଚାଷୀମାନେ କହିଛନ୍ତି । ବ୍ଲକ କୃଷି ବିଭାଗ ପକ୍ଷରୁ ରିହାତି ମୂଲ୍ୟରେ ଚାଷୀଙ୍କୁ କୀଟନାଶକ ଯୋଗାଇ ଦେବା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି ।

ଯାହାଫଳରେ ଚାଷୀମାନେ ଖୋଲା ବଜାରରୁ ଅଧିକ ଚଢ଼ା ଦରରେ କୀଟନାଶକ କିଣିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ କୃଷି ବିଭାଗ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ ଜଉପୋକ ନିରାକରଣ ନେଇ କୌଣସି ପରାମର୍ଶ ଦେଉ ନଥିବା ଅଭିଯୋଗ ହେଉଛି । ଏନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରଣପୁର ଗାମର ମୁଗଚାଷୀ ପ୍ରଫୁଲ୍ଲ ସେନାପତି ଓ ବିନୋଦ ପରିଡ଼ାଙ୍କ କହିବାନୁଯାୟୀ ଗତ ଦୁଇବର୍ଷ ହେଲା ଅମଳ ସମୟରେ ଫନି ଓ ଲଗାଣ ବର୍ଷା ଲାଗି ରହିବା ଯୋଗୁ ମୁଗ ଫସଲ ଉଜୁଡ଼ି ଯାଇଥିଲା । ଏବର୍ଷ ମୁଗଫସଲ ଭଲ ହୋଇଥିଲେ ହେଁ, ଔଷଧ ଦୋକାନରେ ଆବଶ୍ୟକ କୀଟନାଶକ ମିଳୁନାହିଁ । ତେଣୁ ରବି ଫସଲ ଜଉ ମୁହଁରେ ଯିବା ପରିସ୍ଥିତି ସୃଷ୍ଟି ହୋଇଛି ।

ପତ୍ର ଉପର ସଫା ଦେଖାଯାଉଥିଲେ ହେଁ ତଳପାର୍ଶ୍ବରେ ଜଉପୋକ ଧରିଛନ୍ତି । ଅନ୍ୟପକ୍ଷରେ କୃଷି କାର୍ୟ୍ୟାଳୟରେ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀ ଅଧିକାଂଶ ସମୟରେ ଦେଖିବାକୁ ମିଳୁନଥିବାରୁ ପରାମର୍ଶ ପାଇଁ ଯାଉଥିବା ଚାଷୀମାନେ ନିରାଶ ହୋଇ ଫେରୁଥିବା କହିଛନ୍ତି । କୀଟନାଶକ ଯୋଗାଣ ସଂପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ମନୋରଂଜନ ରାଉଳଙ୍କୁ ପଚାରିବାରେ କୃଷି ବିଭାଗ କାର୍ୟ୍ୟାଳୟରେ ଆଧାର କାର୍ଡ଼ ଓ ଜମିପଟା ପ୍ରମାଣପତ୍ର ଦେଖାଇ ପରମିଟ ନେଇ ସିଧାସଳଖ ଔଷଧ ଦୋକାନରୁ ୫୦ ପ୍ରତଶତ ରିହାତି ପାଇପାରିବେ ବୋଲି କହିଛନ୍ତି । ହେଲେ ଅଧିକାଂଶ ଚାଷୀ ଏବିଷୟରେ କିଛି ଜାଣିନଥିବାରୁ ରିହାତି ଅର୍ଥ ପାଇପାରୁ ନଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର