ମାଛଗାଁ: ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ୧୩ କୋଟି ୬୪ ଲକ୍ଷ ଟଙ୍କା ବିନିଯୋଗରେ ଖାଲଗାଁ ଠାରୁ ନୂଆଗାଁ ପର୍ଯ୍ୟନ୍ତ ୪ କିମି ୪୦୦ ମିଟର ମୁଗୁରାନାଳୀର ପୁନରୁଦ୍ଧାର କାର୍ଯ୍ୟରେ ଏବେ ରାଜସ୍ବ ବିଭାଗ ଓ ଜଳସମ୍ପଦ ବିଭାଗର ଟାଳଟୁଳ ନୀତି ଯୋଗୁଁ କାର୍ଯ୍ୟ ବିଳମ୍ବିତ ହେବାରେ ଲାଗିଛି। ପୁନରୁଦ୍ଧାର କାର୍ଯ୍ୟବେଳେ ଖୋଳା ଯାଇଥିବା ବାଲିକୁ ଠିକାସଂସ୍ଥା ବେଆଇନ୍ ଭାବେ ବିକ୍ରି କରୁଥିବା ଅଭିଯୋଗ କରି ତହସିଲଦାର ଘଟଣା ସ୍ଥଳରୁ ଜେସିବିକୁ ନେଇ ଅଟକ ରଖିଛନ୍ତି। ବାଲି ବିକ୍ରିର ଟେଣ୍ଡର ପ୍ରକ୍ରିୟା ପରେ ହିଁ ସେଠାରୁ ବାଲି ଉଠିବ ବୋଲି ତହସିଲଦାର କହିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଣେ ଦୁଇ ମାସ ହେଲା ବାଲି ପଡ଼ି ରହିବା ପରେ ବାଧ୍ୟ ହୋଇ ସେହି ବାଲି ଉଠାଇ କାମ କରିବାକୁ ପଡ଼ୁଛି ବୋଲି ଠିକାସଂସ୍ଥା ସଫେଇ ଦେଉଛି। ଏହି ପ୍ରକ୍ରିୟା ଜାରି ରହିଲେ ମୁଗୁରାନାଳୀର ପୁନରୁଦ୍ଧାର ବିଳମ୍ବିତ ହେବ ଓ ଠିକା ସଂସ୍ଥା କ୍ଷତିଗ୍ରସ୍ତ ହେବ ବୋଲି କୁହାଯାଉଛି। ତେଣୁ ତହସିଲଦାର ୨ ମାସ ଧରି ବାଲିକୁ ଟେଣ୍ଡର ନକରିବା ପଛରେ ରାଜସ୍ବ ବିଭାଗ ଓ ଜଳସମ୍ପଦ ବିଭାଗର ତାଳମେଳର ଅଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଛି।
ଉଲ୍ଲେଖଯୋଗ୍ୟ ଓସିସି ପକ୍ଷରୁ କଲିକତାର ଏକ ଠିକାଦାର ସଂସ୍ଥା ରିଭେରାଇନ ଡ୍ରେଜିଙ୍ଗ ଇଣ୍ଡିଆ ଲିମିଟେଡ କମ୍ପାନି ଦ୍ବାରା ୩ ମାସ ପୂର୍ବରୁ ଏହାର ପୁନରୁଦ୍ଧାର କାମ ଆରମ୍ଭ ହୋଇଥିଲା। କିନ୍ତୁ ନାଳରୁ ବାହାରୁଥିବା ବାଲିକୁ ଜମା କରିବା ପାଇଁ ଜଳସମ୍ପଦ ବିଭାଗର ଡ୍ରେନେଜ ଅଧିକାରୀ ବାଲିକୁଦା ତହସିଲଦାରଙ୍କୁ ଜାଗା ଦେବାକୁ ଅନୁରୋଧ କରିଥିଲେ। ତହସିଲଦାର ମଧ୍ୟ ବାଲି ଜମା କରିବାକୁ ନିକଟରେ ଥିବା ଏକ ମୃତ ନଦୀର ଶାଖା ନାଳୀରେ ବାଲି ରଖିବାକୁ ଠିକା ସଂସ୍ଥାକୁ ପରାମର୍ଶ ଦେଇଥିଲେ। ସେସମୟରେ ଗୋପୀନାଥପୁର ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିଲା ଓ ସେମାନେ ଏହାକୁ ବିରୋଧ କରି ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ପରେ ତହସିଲଦାର ଉକ୍ତ ସ୍ଥାନରୁ ବାଲି ଉଠାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଏହି ବାଲି ବିକ୍ରି କରି କିଛି ରାଜସ୍ୱ ମିଳିବ ବୋଲି ସରକାରଙ୍କ ଅନୁମତି ଲୋଡ଼ିଥିଲେ। କିନ୍ତୁ ଠିକା ସଂସ୍ଥା ଉକ୍ତ ସ୍ଥାନରେ ବାଲି ଜମା କରିବା ଫଳରେ ବର୍ଷା ପାଣି ନିଷ୍କାସନ ହୋଇ ନପାରି ଗାଁ ଭିତରେ ପାଣି ପଶିଥିଲା। ଯେଉଁ କାରଣରୁ ବିଗତ ଦୁଇ ମାସ ଧରି କାମ ବନ୍ଦ ରହିଥିଲା। ଏହାର ବିକଳ୍ପ ପନ୍ଥା ଅବଲମ୍ବନ କରି ଠିକା ସଂସ୍ଥା କିଛି ଘରୋଇ ଜମିରେ ବାଲି ଫିଲିଂ କରି ନାଳୀର ପୁନରୁଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଓ ସେଠାରୁ ଟ୍ରାକ୍ଟର ଯୋଗେ କେତେକ ବ୍ୟକ୍ତି ବାଲି ଉଠାଇ ନେଇଥିଲେ।
ଏ ସଂକ୍ରାନ୍ତରେ ଖବର ପାଇବା ପରେ ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ ବାଲି ଉଠାଇନେବା ବେଆଇନ ଦର୍ଶାଇ ଅନନ୍ତପୁର ଫାଣ୍ଡି ପୁଲିସ ସହାୟତାରେ ଉକ୍ତ ବାଲି ବୋଝେଇ ଟ୍ରାକ୍ଟର ସହ ବ୍ୟବହୃତ ଜେସିବି ମେସିନକୁ ଅଟକ ରଖିଛନ୍ତି। ଭଡ଼ାରେ ଆସିଥିବା ଜେସିବି ମାଲିକ ଅନନ୍ତପୁର ଫାଣ୍ଡି ସମ୍ମୁଖରେ ଗାଡିକୁ ମୁକୁଳାଇବାକୁ ଠିଆ ହୋଇ ରହିଛନ୍ତି। ଏଣେ ଠିକାସଂସ୍ଥା ପକ୍ଷରୁ ତହସିଲଦାରଙ୍କ ଅସହଯୋଗ କାରଣରୁ କାର୍ଯ୍ୟ ବନ୍ଦ ରଖିବା ନେଇ ମଧ୍ୟ ଧମକ ଦିଆ ଯାଇଥିଲା। ଫାଣ୍ଡି ଅଧିକାରୀ ଅନିରୁଦ୍ଧ ନାୟକ କହିଛନ୍ତି ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଗାଡି ଅଟକ ରଖିଛୁ। ଏ ସମ୍ପର୍କରେ ଡ୍ରେନେଜ୍ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ହରେକୃଷ୍ଣ ବେହେରା କହିଛନ୍ତି ଠିକାଦାର ସଂସ୍ଥା ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଅନୁଯାୟୀ ଦେଢ଼ କିମି ମଧ୍ୟରେ କୌଣସି ସରକାରୀ ସ୍ଥାନ ହେଉ କିମ୍ବା ଘରୋଇ ଜମିରେ ଉକ୍ତ ବାଲିକୁ ନିଜ ଖର୍ଚ୍ଚରେ ଉଠାଇ କାମ ଶେଷ କରିବ। କିନ୍ତୁ ତହସିଲଦାର ବାଲିକୁ ବିକ୍ରି କରି କିଛି ରାଜସ୍ୱ ପାଇବା କଥା ବିଚାରକୁ ନେଇଛନ୍ତି। ତେଣୁ ତାହା ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବା କଥା। ଏମିତିରେ କାମ ୨ ମାସ ବିଳମ୍ବିତ ହେଲାଣି। ଆଗକୁ ମଧ୍ୟ ନଦୀର ଜଳସ୍ତର ହ୍ରାସ ପାଇବ।
ତେଣୁ ଜଳର ଅଭାବ ହେଲେ ମେସିନ ସହାୟତାରେ ପୁନରୁଦ୍ଧାର କାର୍ଯ୍ୟ ସମ୍ଭବ ନୁହେଁ। ଏଣୁ ଲକ୍ଷାଧିକ ଟଙ୍କା ମୂଲ୍ୟରେ ମେସିନ୍ ଭଡା ଆଣିଥିବା ଠିକାସଂସ୍ଥାର ଅନେକ କ୍ଷତି ହେବ। ବାଲି ଉଠାଇବା ଠିକାଦାର ଚୁକ୍ତି ଅନୁସାରେ ବେଆଇନ ନୁହେଁ। ଏଥିପାଇଁ ମଧ୍ୟ ଆମେ ଜିଲ୍ଲାପାଳଙ୍କୁ ଅବଗତ କରାଇଛୁ ବୋଲି ସେ କହିଛନ୍ତି। ତହସିଲଦାର ଶ୍ରୀ ସାହୁ ସୂଚନା କହିଛନ୍ତି ଯେ ଏହି ବାଲିରୁ ସରକାର ରାଜସ୍ୱ ଆଦାୟ କରିବେ। ବେଆଇନ ଭାବେ ଉକ୍ତ ବାଲିକୁ ଠିକାସଂସ୍ଥା ଲୋକଙ୍କୁ ବାଲି ବିକ୍ରି କରୁଥିବା ଖବର ପାଇ ଗାଡ଼ିକୁ ଅଟକ ରଖାଯାଇଛି। ଜମା ହୋଇଥିବା ବାଲିର ପରିମାଣ ନିର୍ଦ୍ଧାରଣ କରାଯାଇଛି ଓ ଏହାର ଟେଣ୍ଡର ପ୍ରକ୍ରିୟା ଖୁବଶୀଘ୍ର କରାଯିବ। ତେବେ ଜଳ ସମ୍ପଦ ବିଭାଗ ଓ ରାଜସ୍ୱ କାର୍ଯ୍ୟାଳୟ ମଧ୍ୟରେ ଟଣା ଓଟରା ଭିତରେ ସାଧାରଣ ଚାଷୀଙ୍କ ସ୍ୱାର୍ଥ ବଳି ପଡୁଥିବା ଅନୁଭବ ହେଉଛି। କେତେ ଆନ୍ଦୋଳନ ପରେ ଅଞ୍ଚଳରେ କେନାଲ ନଥିବା କାରଣରୁ ଏହି ନଦୀର ମଧୁର ଜଳକୁ ବିନିଯୋଗ କରି ଚାଷ କାର୍ଯ୍ୟ କରିବାର ସ୍ୱପ୍ନ ଦେଖୁଥିବା ମାଳ ମରିଚପୁର ଅଞ୍ଚଳର ଚାଷୀଙ୍କ ସ୍ୱାର୍ଥକୁ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପ୍ରଚେଷ୍ଟାରେ ଏହି ମୁଗୁରାନାଳୀର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଥିବାରୁ ତାହା ଶୀଘ୍ର ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।