ମୁଗୁରାନାଳୀର ପୁନରୁଦ୍ଧାରରେ ବିଳମ୍ବ, ଅନିଶ୍ଚିତତା ଭିତରେ ଚାଷୀଙ୍କ ଭାଗ୍ୟ

ମାଛଗାଁ: ୧୩ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟରେ ମୁଗୁରାନାଳୀର ପୁନରୁଦ୍ଧାର କାମରେ ବିଳମ୍ବ ଚାଷୀଙ୍କ ଭାଗ୍ୟକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ବାଲିକୁଦା ବ୍ଲକ ସମୁଦ୍ର ଉପକୂଳବର୍ତୀ ଅଞ୍ଚଳ ଭାବେ ପରିଚିତ ମାଳମରିଚପୁର ଅଞ୍ଚଳର ୮ ଟି ପଞ୍ଚାୟତ ଖାଲଗାଁ, ଓଷକଣା, ଅପଣ୍ଡରା, ବରମୁଣ୍ଡଳୀ, ନହରଣା, ମରିଚପୁର, ଅନନ୍ତପୁର, କୁସୁପୁର ଅଞ୍ଚଳର ଚାଷୀଙ୍କ କ୍ଷେତକୁ କେନାଲ ସୁବିଧା ନଥିବାରୁ ଚାଷ କାର୍ଯ୍ୟରେ ଗୁରୁତର ସମସ୍ୟା ଦେଖାଦେଉଛି। ତେଣୁ ଏହି ଅଞ୍ଚଳରେ ପ୍ରବାହିତ ମୁଗୁରାନାଳୀର ମଧୁର ଜଳକୁ ନିଜ ଚାଷ କ୍ଷେତରେ ବିନିଯୋଗ ପାଇଁ ଏହାର ପୁନରୁଦ୍ଧାର ସକାଶେ ଏହି ଅଞ୍ଚଳବାସୀ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହା ଦଳ ଭର୍ତ୍ତି ହୋଇ ରହିବା ସହ ଏହାର ଶଯ୍ୟା ପୋତି ହୋଇ ଗଲାଣି।

ସ୍ଥାନୀୟ ଜନସାଧାରଣ ଏନେଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ମନ୍ତ୍ରୀ ମଧ୍ୟ ଗୁରୁତ୍ବର ସହ ନେଇ ଏହାର ପୁନରୁଦ୍ଧାର ପାଇଁ ଡ୍ରେନେଜ୍‌ ବିଭାଗ ମାଧ୍ୟମରେ୧୩ କୋଟି ୬୩ ଲକ୍ଷ ଅର୍ଥ ମଞ୍ଜୁର କରିଥିଲେ। ଖାଲଗାଁ ଠାରୁ ଆରମ୍ଭ ହୋଇ ନୂଆଗାଁ ପର୍ଯ୍ୟନ୍ତ ପ୍ରାୟ ୪ କିମି୬୦୦ ମିଟର ପର୍ଯ୍ୟନ୍ତ ଏହାର କାର୍ଯ୍ୟାଦେଶ ଦିଆଯାଇଥିଲା। ପରେ ଏହି କାର୍ଯ୍ୟ ଓସିସି ପକ୍ଷରୁ କଲିକତାର ଏକ ଠିକା ସଂସ୍ଥାକୁ ପ୍ରଦାନ କରାଯାଇଥିଲା। ଏହି ସଂସ୍ଥା ପକ୍ଷରୁ ମୁଗୁରାନାଳୀର ଦଳ ସଫେଇ କାର୍ଯ୍ୟ ସମେତ ମେସିନ୍‌ ସାହାଯ୍ୟରେ ବାଲି ଉଠାଯାଇ ପୁନରୁଦ୍ଧାର କାର୍ଯ୍ୟକ୍ରମ ଜାରି ରହିଥିଲା। କିନ୍ତୁ ଗତ ୩ ମାସ ହେବ ବାଲି ରଖିବା ପାଇଁ ସ୍ଥାନ ଅଭାବ ପଡିବାରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ବନ୍ଦ ରହିଛି। ତେଣୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦିଲୀପ ଦାସ କହିଛନ୍ତି ନିର୍ବାଚନ ଚାଲିଥିବାରୁ ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ ବ୍ୟସ୍ତତା ମଧ୍ୟରେ ଥିଲେ। ଯେଉଁ ବାଲି ପୁନରୁଦ୍ଧାର ସମୟରେ ବାହାରିଛି ତାହା ଟେଣ୍ଡର ପକ୍ରିୟାରେ ନିଲାମ ହୋଇ ବିକ୍ରି କରାଯିବ। ଏଥିପାଇଁ ତହସିଲଦାର ଚିଠି କରିସାରିଛନ୍ତି। ଏଣୁ କିଛି ଦିନ ମଧ୍ୟରେ ଏହାର ସମାଧାନ ହେବ ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର