ଧନୁତୀର ଧରି ପଶୁ ପକ୍ଷୀଙ୍କ ଶିକାର କରୁଥିବା ଯୁବକ ହେଲେ ପଦ୍ମଶ୍ରୀ ସୁଦର୍ଶନଙ୍କ ଉତ୍ତମ ଶିଷ୍ୟ

ମାଲକାନଗିରି: ଦିନେ ବଣ ଜଙ୍ଗଲରେ ବୁଲି ବୁଲି ହାତରେ ଧନୁତୀର ଧରି ପଶୁ ପକ୍ଷୀ ଶିକାର କରୁଥିବା ଆଦିବାସୀ କୋୟା ଜନଜାତିର ଯୁବକ ଆଜି ଜଣେ ଯୁବ ବାଲୁକା ଶିଳ୍ପୀ ।

ମାଲକାନଗିରି ଜିଲ୍ଲାର ଉପାନ୍ତ କାଲିମେଳା ଅଞ୍ଚଳର ସେ ଜଣେ ଆଗୁଆ ପୁଅ ହୋଇପାରିଛନ୍ତି । ନିଜ ନିଶାକୁ ପେଶାରେ ପରିଣତ କରିବା ପାଇଁ କାଲିମେଳାରୁ ଧାଇଁ ଆସିଛନ୍ତି କାଳିଆଧାମ । ଆଉ ନିଜ ଅଧ୍ୟବସାୟ ବଳରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଉତ୍ତମ ଶିଷ୍ୟ ଭାବରେ ହୋଇପାରିଛନ୍ତ ବେଶ ଜଣାଶୁଣା ।

ମହୋଦଧୀର ବାଲିକୁ ଜୀବନ ଜୀବିକା ଭାବେ ବାଛି ନେଇଛନ୍ତି ମୁକା କୱାସୀ । କୋୟା ଜନଜାତିର ଏହି ଯୁବକଙ୍କ ପ୍ରତିଭା ପିଲାଟି ଦିନରୁ ଫୁଟି ଉଠିଥିଲା । କାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢ଼ିବା ବେଳେ ବିଭିନ୍ନ ଦେବାଦେବୀ ଓ ମହାପୁରୁଷଙ୍କ ଚିତ୍ର ଆଙ୍କି ସମସ୍ତଙ୍କ ମନ ଜିଣୁଥିଲେ ।

ଆଉ ଏବେ ପୁରୀ ବେଳଭୂମୀ ବାଲିରେ ଗୁରୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ୱାବଧାନରେ ନିଜର କଳା ପ୍ରଦର୍ଶନ କରୁଛନ୍ତି । ତେଣେ ଘରେ ମୁକା ପିଲାଦିନେ ଆଙ୍କି ଥିବା କିଛି ଫଟୋ ଚିତ୍ରକୁ ଦେଖି ପୁଅ ପାଇଁ ଗର୍ବ କରୁଛନ୍ତି ମାଆ ପଦିଏ କୱାସୀ । ତେବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଯୋଗୁଁ ମୁକା ବାଲୁକା ଶିଳ୍ପୀର ପରିଚୟ ପାଇଛି ବୋଲି କହିଛନ୍ତି ତାଙ୍କ ବଡ଼ ଭାଇ ।

କାଲିମେଳାରେ ମାଟ୍ରିକ ପଢିବା ପରେ ପ୍ରଧାନ ଶିକ୍ଷକ ରମେଶ ବାରୋଇଙ୍କ ସହଯୋଗରେ ରାଜଧାନୀ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢ଼ନ୍ତି ମୁକା । ପରେ ପାଠ ସହ ବାଲୁକା କଳାକୁ ଜୀବନ୍ତ କରିବା ଉଦ୍ଦେଶ୍ୟରେ ପୁରୀ ସାମନ୍ତ ଚନ୍ଦ୍ର ଶେଖର କଲେଜରେ ଯୁକ୍ତ ୩ରେ ନାମ ଲେଖାନ୍ତି । ସେହି ସମୟରେ ବାଲୁକା କଳାକୁ ପରିଚୟ ଦେଇଥିବା ସୁଦର୍ଶନ ପଟ୍ଟନାୟକଙ୍କୁ ଭେଟନ୍ତି।

ଆଉ ଗୁଣକୁ ଗୁଣିଆ ଚିହ୍ନିବା ପରି ମୁକାଙ୍କ ଭିତରେ ଥିବା କଳାର ଭୋକକୁ ବୁଝି, ତାଙ୍କ ପ୍ରତିଭାକୁ ଶାଣିତ କରିବା ପାଇଁ ସହଯୋଗର ହାତ ବଢାନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହାରି ଭିତରେ ମୁକା ଜଣେ ବାଲୁକା ଶିଳ୍ପୀ ଭାବେ ବେଶ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି । ଚଳିତ ବର୍ଷ କୋଣାର୍କ ସ୍ୟାଣ୍ଡ ଆର୍ଟ ମହୋତ୍ସବରେ ନିଜ କଳା ପ୍ରଦର୍ଶନ କରିବା ସହ ଗୁରୁଙ୍କ ସହ ରାଜ୍ୟ ବାହାରେ ମଧ୍ୟ ନିଜ ପ୍ରତିଭା ପ୍ରଦର୍ଶନ କରି ସାରିଛନ୍ତି ।

ସମ୍ବନ୍ଧିତ ଖବର