ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ସିଜୁକଳା ଜନଜାତି ପରିଷଦର ୨ଟି ଗାଁ ସିଜୁକଳା ଓ ଚିତେଇବାଦି ମିଳିତ ଆନୁକୂଲ୍ୟରେ ସିଜୁକଳାଠାରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ କାର୍ଯ୍ୟକ୍ରମରେ ଆଦିବାସୀ ଚାଷୀଙ୍କୁ ଉନ୍ନତମାନର ବିହନ, ଜୈବିକସାର ଓ କୀଟନାଶକ ଔଷଧ ରାଇରଙ୍ଗପୁର ଆଇଟିଡ଼ିଏ ପକ୍ଷରୁ ବଣ୍ଟନ କରାଯାଇଛି। ଆଦିବାସୀ ଚାଷୀଙ୍କୁ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଓ ଜୀବନ ଜୀବିକା କ୍ଷେତ୍ରରେ ଉନ୍ନତି ଆଣିବା ଏବଂ କ୍ଲଷ୍ଟର ଭିତ୍ତିକ ଚାଷକୁ ପ୍ରୋତ୍ସାହନ ଦେବା ଏହି ବଣ୍ଟନର ମୁଖ୍ୟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିଛି।
ପିଏ ଆଇଟିଡ଼ିଏ ରାଇରଙ୍ଗପୁରର ପରୀକ୍ଷିତ ଦାଶଙ୍କ ପରାମର୍ଶ କ୍ରମେ ଏହି ବଣ୍ଟନ କାର୍ଯ୍ୟରେ ୬୮ ଜଣ ଚାଷୀଙ୍କୁ ୨୦ ଏକର ଚାଷ ଜମି ପାଇଁ ବାଇଗଣ, ଝୁଡଙ୍ଗ ଓ ଭେଣ୍ଡି ବିହନ ବଣ୍ଟନ କରାଯାଇଛି। ମୁଖ୍ୟ ଅତିଥି ଭାବେ ହଳଦା ପଞ୍ଚାୟତର ସରପଞ୍ଚ ପ୍ରଭାସ ରଂଜନ ହାଃସଦାଃ, ସିଜୁକଳା ଗାଁର ମୁଖିଆ ରାଇମଣୀ ସୋରେନ୍, ରାଇରଙ୍ଗପୁର ଆଇଟିଡ଼ିଏର ପିଏମ୍ ସ୍ବର୍ଣ୍ଣପ୍ରଭା ରଥ, ଏସ୍ଏମ୍ଏସ୍ ରାଜେନ୍ଦ୍ର କୁମାର ପାଢ଼ୀ, ଜନଜାତୀ ଜୀବିକା ସାଥୀ, ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ। ହଳଦା ସରପଞ୍ଚ ଚାଷ ପ୍ରଣାଳୀ ଉପରେ ଚାଷୀମାନଙ୍କୁ ଅବଗତ କରାଇବା ସହ ବିହନ ବଣ୍ଟନ କରିଥିଲେ। ପିଏମ୍ ଶ୍ରୀମତୀ ରଥ ସୁନ୍ଦର ଓ ସରଳ ଭାବରେ ପନିପରିବା ଚାଷ ପଦ୍ଧତି ଓ ପ୍ରଣାଳୀ ଉପରେ ଚାଷୀମାନଙ୍କୁ ଅବଗତ କରାଇଥିଲେ। ବିଏଲ୍ଇ ଅଞ୍ଜନ କୁମାର ଦାଶ ଓ ଖୁସୁବୁ ପାଲ ବଣ୍ଟନ କାର୍ଯ୍ୟକୁ ପରିଚାଳନା କରି ଉପସ୍ଥିତ ସମସ୍ତ ଚାଷୀଙ୍କୁ ଚାଷ ପ୍ରଣାଳୀ ଉପରେ ଦିଗ୍ ଦର୍ଶନ ଦେଇଥିଲେ।