ରାୟଗଡା: ରାୟଗଡ଼ା ଜିଲ୍ଲାର ରାପକଣା ଗ୍ରାମରେ ଆଦିବାସୀଙ୍କ ପାରଂପାରିକ ‘ମୁଣ୍ଡା ପୂଜ‘ ପାଳିତ ହୋଇଯାଇଛି। ଗ୍ରାମର ରାସ୍ତା କଡରେ ଏକ ମାଟିରେ ମୂର୍ତ୍ତି ନିର୍ମାଣ କରି ସେହି ନିକଟରେ ପାରଂପାରିକ ରୀତିନୀତିରେ ପୂଜାର୍ଚ୍ଚନା କରିଥିଲେ। ଏହି ପୂଜାରେ ଗ୍ରାମର ସମସ୍ତ ପରିବାରର ଲୋକେ ଯୋଗ ଦେଇଥାନ୍ତି। ଘରେ ଥିବା ଭାତ, ଡାଲି, ମାଣ୍ଡିଆ, ମକା, ବିଭିନ୍ନ ଫଳ ଇତ୍ୟାଦି ଆଣି ଏଠାରେ ପତ୍ରରେ ଦୋନା କରି ସେଠାରେ ଖାଦ୍ୟ ରଖି ଭୋଗ ଲଗାଇଥାନ୍ତି। ଆଦିବାସୀଙ୍କର ବିଶ୍ବାସ ରହିଛି ଯେ ଏହି ମୁଣ୍ଡା ପୂଜା କରି ଚାଷ ଭଲ ହେବା ସହ ଗ୍ରାମରେ ଶାନ୍ତି ବଜାୟ ରହିବ। ମୁଣ୍ଡା ପୂଜା ସରିବା ପରେ ହିଁ ଗଣେଶ ପୂଜା ଆରମ୍ଭ ହୁଏ ବୋଲି କୁହାଯାଏ।

Advertisment

publive-image

କାହିଁ କେଉଁ କାଳରୁ ରାୟଗଡାରେ ବସବାସ କରୁଥିବା ଆଦିବାସୀମାନେ ଏହି ମୁଣ୍ଡା ପୂଜା କରିଆସୁଥିବା କୁହାଯାଇଛି। ଚଳିତ ବର୍ଷ ଜମିରେ ଧାନ, ମାଣ୍ଡିଆ, କପା, ମକା, ବାଜରା ଇତ୍ୟାଦି ଯେପରି ଭଲ ହେବ ସେନେଇ ଡୁମା ଦେବତା ଭୋଗ ଦେଇ ପୂଜାର୍ଚ୍ଚନା କରାଯାଇଥାଏ। ପୂର୍ବପୂରୁଷ ଏଭଳି ପୂଜା କରିଆସୁଥିବାରୁ ଏହାକୁ ଆଜି ବି ଆଦିବାସୀମାନେ ଜୀବିତ ରଖିଛନ୍ତି। ଏହି ପୂଜା ସରିବା ପରେ ହିଁ ବାଡିରେ ହେଉ କି ଜମିରେ ଯେଉଁ ଚାଷ କରାଯାଇଥାଏ ତାହା ଫଳିଲେ ଆଦିବାସୀମାନେ ଘରକୁ ଆଣଇ ଖାଇଥାନ୍ତି। ପ୍ରତ୍ୟେକ ଘରେ ଯେପରି ସୁଖଶାନ୍ତି ରହିବ ସେନେଇ ସମସ୍ତେ ଏହି ପୂଜାକୁ ଯାକଜମକରେ କରିଥାନ୍ତି। ଏହି ପୂଜା ଦ୍ବାରା ଭାଇଚାରା ବଜାୟ ରହିଥାଏ ବୋଲି ବିଶ୍ବାସ ରହିଛି। ଡିଶାରୀ ବା ଗୁଣିଆଙ୍କ ତାରିଖ ଧାର୍ଯ୍ୟ ପରେ ଏହି ପୂଜା ଗାଁ ରାସ୍ତାକଡରେ ମାଟିରେ ମୂର୍ତ୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯାଏ।