ଖୋର୍ଦ୍ଧା: ଐତିହାସିକ ଖୋର୍ଦ୍ଧା ଜିଲ୍ଲାରେ ଐତିହାସିକ ଓ ପୌରାଣିକ ସ୍ଥାନର ବହୁଳତା ରହିଛି। ଅନେକ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାୟୀ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ବେଳେ ଅନେକ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛି। ତେବେ ବର୍ତ୍ତମାନ ଆଉ ଦୁଇ ଧାର୍ମିକସ୍ଥଳୀକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଗତ ୬ ତାରିଖରେ ଲେଖାଯାଇଥିବା ଚିଟିରେ ଖୋର୍ଦ୍ଧା ସହର ନିକଟରେ ଥିବା ପ୍ରସିଦ୍ଧ ଜରିପୁଟ ସଂକଟମୋଚନ ମହାବୀର ମନ୍ଦିର ଓ ବୋଲଗଡ଼ ବ୍ଲକ କୃଷ୍ଣପୁର ଗାଁର ମୁଣ୍ଡିଆପଡ଼ା (ମଣ୍ଡନଗିରି)କୁ ପର୍ଯ୍ୟଟନସ୍ଥଳୀ ରୂପେ ବିକଶିତ କରିବା ପାଇଁ ପ୍ରାକ୍ ତଥ୍ୟ ସଂଗ୍ରହ କରିବାକୁ ନିର୍ଦେଶ ଦିଆଯାଇଛି। ନିର୍ଦେଶାନୁସାରେ, ଦୁଇଟି ପର୍ଯ୍ୟଟନସ୍ଥଳୀକୁ ସେଠାରେ ଯାତ୍ରୀ, ପର୍ଯ୍ୟଟକ ରହିବାର ସୁବିଧା, ଯୋଗାଯୋଗ, ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ଆବଶ୍ୟକ ପଡ଼ିବାକୁ ଥିବା ଭିତ୍ତିଭୂମି, ଭିତ୍ତିଭୂମି ବିକାଶ ସକାଶେ କେତେ ଖର୍ଚ୍ଚ ହେବ ସେ ସମ୍ପର୍କିତ ସବିଶେଷ ତଥ୍ୟ ଜିଲ୍ଳା ପ୍ରଶାସନ ପ୍ରଦାନ କରିବେ। ସୂଚନାଯୋଗ୍ୟ, ଜରିପୁଟ ତନ୍ତମୁଣ୍ଡିଆ ପାହାଡ଼ ଉପରେ ଥିବା ସଂକଟମୋଚନ ମହାବୀର ମନ୍ଦିର ଅଞ୍ଚଳର ଏକ ପ୍ରସିଦ୍ଧ ଓ ମାନ୍ୟତାପ୍ରାପ୍ତ ଧାର୍ମିକସ୍ଥଳ ଅଟେ। ପ୍ରତ୍ୟେକ ସଂକ୍ରାନ୍ତି, ମଙ୍ଗଳବାର, ଶନିବାର ସେଠାରେ ଶ୍ରୀରାମ ଭକ୍ତ ବଜରଙ୍ଗୀଙ୍କ ପୂଜାର୍ଚ୍ଚନା ପାଇଁ ଭକ୍ତଙ୍କ ଭିଡ଼ ଜମିଥାଏ।

Advertisment

publive-image Sambad

ଜରିପୁଟ ଠାରୁ ଖୋର୍ଦ୍ଧା ରେଳଷ୍ଟେସନ ୩-୪କିମି ଦୂର ଥିବା ବେଳେ ୧୬ ନଂ ଜାତୀୟ ରାଜପଥ ଠାରୁ ଏହା୧୨ କିଲୋମିଟର ଦୂରରେ ଅବସ୍ଥିତ। ତେବେ ଜାତୀୟ ରାଜପଥ ଠାରୁ ଜରିପୁଟ ସଂଯୋଗ କରୁଥିବା ରାସ୍ତା ଅଣଓସାରିଆ ହୋଇଥିବା ବେଳେ ଏହା ଅନେକ ସ୍ଥାନରେ ଖାଲଖମାରେ ଭର୍ତ୍ତି ହୋଇଛି। ସଡ଼କ ନିର୍ମାଣ ନେଇ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅନେକ ଥର ଦାବି ହୋଇଥିଲେ ମଧ୍ୟ ଏଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିଭଳି ତନ୍ତମୁଣ୍ଡିଆ ସଂକଟମୋଚନ ମହାବୀରଙ୍କ ପୀଠ ଠାରୁ ୫୪ କିଲୋମିଟର ଦୂରରେ ବୋଲଗଡ଼ ମଣ୍ଡନଗିରି ଅବସ୍ଥିତ। ଏଠାରେ ଶ୍ରୀରଘୁନାଥ ଦେବ ଓ ଶ୍ରୀତାରେଶ୍ୱର ଦେବଙ୍କ ମନ୍ଦିର ରହିଛି। ମଣ୍ଡନଗିରି ଏକ ଐତିହାସିକ ସ୍ଥାନ ହୋଇଥିବା ବେଳେ ଏଠାରେ ଥିବା ପୂଜାସ୍ଥଳୀ ୭୦୦ ବର୍ଷର ପୁରାତନ ବୋଲି ସ୍ଥାନୀୟ ଲୋକଙ୍କ ସୂଚନା। ବଣପାହାଡ଼ ଘେରା ଶ୍ରୀରଘୁନାଥ ଦେବଙ୍କ ମନ୍ଦିରକୁ ଶ୍ରୀରାମ ନବମୀ ଓ ପଣାସଂକ୍ରାନ୍ତିରେ ଭକ୍ତଙ୍କ ଭିଡ଼ ଅଧିକ ରହୁଥିଲେ ମଧ୍ୟ ରାସ୍ତାଘାଟର ବିଶେଷ ସୁବିଧା ନାହିଁ।