କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପୌରପାଳିକାରେ ସ୍ବଚ୍ଛତା ନାଁରେ ଚାଲିଥିବା ଆଖିବୁଜା ହରିଲୁଟ୍କୁ ନେଇ ଖୋଳତାଡ଼ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଗତ ଜୁଲାଇରୁ ଚୁକ୍ତି ମୁତାବକ କେନ୍ଦ୍ରାପଡ଼ା ସହରର ପରିମଳ ପରିଚାଳନା ଦାୟିତ୍ବ ନେଇଥିବା ଠିକା ସଂସ୍ଥା ‘ଏଲ୍ ଆଣ୍ତ୍ କେ’ର କାର୍ଯ୍ୟକାଳ ସରିଲାଣି। ଜରୁରୀ ସେବା ଯୋଗାଉଥିବା କାରଣରୁ ସଂସ୍ଥା କାମ ବନ୍ଦ କରିପାରିବ ନାହିଁ। କିନ୍ତୁ ଏଇ ଗୋଟିଏ ବର୍ଷ ଭିତରେ ନିକୃଷ୍ଟମାନର କାମ କରି ସଂପୃକ୍ତ ସଂସ୍ଥା ୧୪ଟି ଓ୍ବାର୍ଡର ପରିମଳ ଖର୍ଚ୍ଚ ବାବଦକୁ ୧କୋଟି ୩୫ଲକ୍ଷରୁ ଅଧିକ ଟଙ୍କା ନେଇ ସାରିଲାଣି । ହେଲେ ସହରର ବିପର୍ଯ୍ୟସ୍ତ ପରିମଳ ଅବସ୍ଥାରେ ଏପର୍ଯ୍ୟନ୍ତ ଆଖିଦୃଶିଆ ପରିବର୍ତ୍ତନ ଆସିପାରି ନାହିଁ ।
ଏବେ ବି ରାସ୍ତାରୁ ଦିନ ଦିନ ଧରି ଅଳିଆ ପଡ଼ି ରହୁଛି। ରାସ୍ତା କିମ୍ବା ଡ୍ରେନ୍ ସଫେଇ ନିୟମିତ ହେଉ ନାହିଁ। ଘର ଘର ବୁଲି ଅଳିଆ ସଂଗ୍ରହ ଅଭିଯାନ ତୁଚ୍ଛା ପ୍ରହସନରେ ପରିଣତ ହୋଇଛି। ବର୍ଷକୁ ୧.୩୫କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ପରେ ବି ସହରର ପରିମଳ ଅବସ୍ଥାରେ ସୁଧାର ଆସି ନଥିବା ବେଳେ ଏବେ ପୁଣି ସେହି ଠିକାସଂସ୍ଥାକୁ ଆଉ ଗୋଟିଏ ବର୍ଷ କାର୍ଯ୍ୟକାଳ ନବୀକରଣ ପାଇଁ ମସୁଧା ଚାଲିଥିବା ସୂଚନା ମିଳିଛି। ଫାଇଲ୍ ପୌର ପ୍ରଶାସକ ଦାୟିତ୍ବରେ ଥିବା ଉପ-ଜିଲ୍ଲାପାଳ ନିରଂଜନ ବେହେରାଙ୍କ ପାଖେ ଅଟକି ରହିଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ଯେଉଁ ଠିକାସଂସ୍ଥା ମାସକୁ ୧୧ଲକ୍ଷରୁ ଅଧିକ ଟଙ୍କା ନେବା ପରେ ବି ୧୪ଟି ଵାର୍ଡର ପରିମଳ ଭାଗ୍ୟ ବଦଳାଇ ପାରି ନ ଥିବା ଖୋଦ୍ ପୂର୍ବତନ ପୌରାଧ୍ୟକ୍ଷ ଧୀରେନ୍ ସାହୁଙ୍କଠୁ ନେଇ ଅନେକ କାଉନସିଲର୍ ଯେତେବେଳେ ମତ ରଖୁଛନ୍ତି, ସେତେବେଳେ ସେହି ସଂସ୍ଥାର କାର୍ଯ୍ୟକାଳକୁ ଯଦି ଆଉ ଗୋଟିଏ ବର୍ଷ ବଢ଼ାଯାଏ, ତା’ହେଲେ ବୁଝିନେବାକୁ ପଡ଼ିବ ଯେ ସ୍ବଚ୍ଛତା ନାଁରେ ଠିକା ସଂସ୍ଥା-କର୍ତ୍ତୃପକ୍ଷ ମିଳିମିଶି ଚଳାଇଥିବା ହରିଲୁଟ୍ ଅଭିଯୋଗ ଅସତ୍ୟ ନୁହେଁ। ଗତ ପାଞ୍ଚବର୍ଷ ଭିତରେ ପରିମଳ ଖର୍ଚ୍ଚ ତିନିଗୁଣ ଅଧିକ ବଢ଼ିଛି । ୨୦୧୬ରୁ ୨୦୨୧ମସିହା ମଧ୍ୟରେ ଠିକାସଂସ୍ଥାର ମାସିକ୍ ବିଲ୍ ୩ଲକ୍ଷ ୮୫ହଜାର ଟଙ୍କାରୁ ବଢ଼ି ୧୧ଲକ୍ଷ ଟପିଛି। ବଡ଼ କଥା ହେଉଛି, ଖର୍ଚ୍ଚ ତିନିଗୁଣ ଟପିଥିଲେ ବି ପରିମଳରେ ସୁଧାର ଆସି ନାହିଁ। ପୂର୍ବରୁ ଯେଭଳି ରାସ୍ତାରୁ ଅଳିଆ ଉଠୁ ନ ଥିଲା, ଝାଡ଼ୁ ମରାଯାଉ ନଥିଲା, ଏବେ ବି ତାହା ବଳବତ୍ତର ରହିଛି ।
ଉଦାହରଣ ଭାବେ ଆଜି ୧୧ନମ୍ବର ଵାର୍ଡ ଷ୍ଟେଟବ୍ୟାଙ୍କ୍ ପାଖ ଏବଂ ୧୦ ନମ୍ବର ଵାର୍ଡ ପୁରୁଣା ବସଷ୍ଟାଣ୍ତ୍ ମାଛ ମାର୍କେଟ୍ ନିକଟରେ ଅଳିଆ ଗଦା ହୋଇଥିବା ଦେଖିବାକୁ ମିଳିଛି। ୨୦୨୦ ଜୁଲାଇରେ ଠିକା ସଂସ୍ଥା ‘ଏଲ୍ ଆଣ୍ତ୍ କେ’ ୮ରୁ ୨୧ଯାଏ ୧୪ଟି ଵାର୍ଡର ପରିମଳ ଦାୟିତ୍ବ ଟେଣ୍ତର୍ ଜରିଆରେ ନେଇଥିଲା । ଏହି ଟେଣ୍ତର୍ର ଅବଧି ତିନିବର୍ଷ ହୋଇଥିବା ବେଳେ ପ୍ରତିବର୍ଷ କିନ୍ତୁ ସଂସ୍ଥାର ପ୍ରଦର୍ଶନକୁ ଆଧାର କରି ନବୀକରଣ ଅଥବା ରଦ୍ଦ କରିଦେବାର ନିୟମ ରହିଛି। ଏହି ଅନୁଯାୟୀ ଗତ ଜୁଲାଇରେ ସଂସ୍ଥାର ପ୍ରଥମବର୍ଷର କାର୍ଯ୍ୟକାଳ ସରିଛି। ଆଉ ଗୋଟିଏ ବର୍ଷ ପାଇଁ ନବୀକରଣ କରାଯିବା ପୂର୍ବରୁ ସଂସ୍ଥାର ପରିମଳ ପରିଚାଳନା କ୍ଷେତ୍ରରେ ପ୍ରଦର୍ଶନ ଭଲ ନା ଖରାପ ରହିଛି, ତାହାକୁ ବିଚାରକୁ ନିଆଯିବାର ବ୍ୟବସ୍ଥା ରହିଛି। କିନ୍ତୁ ପରିମଳ ପରିଚାଳନା କ୍ଷେତ୍ରରେ ସଂପୃକ୍ତ ସଂସ୍ଥା ଯେତେବେଳେ ଫେଲ୍ ମାରିଛି, ରାସ୍ତାରେ ଦିନ ଦିନ ଅଳିଆ ପଡ଼ିରହୁଥିବା ଦେଖିବାକୁ ମିଳୁଛି, ଡ୍ରେନ୍ ସଫେଇ ହେଉ ନ ଥିବାରୁ ବର୍ଷାଜଳ ଲୋକଙ୍କ ଘରେ ପଶୁଥିବାର ଦୁର୍ଦ୍ଦଶା ଚିତ୍ର ସାମ୍ନାକୁ ଆସୁଛି ଏବଂ ପୂର୍ବତନ ପୌରାଧ୍ୟକ୍ଷଙ୍କଠାରୁ କାଉନସିଲର୍, ସାଧାରଣ ଲୋକ ବିପର୍ଯ୍ୟସ୍ତ ପରିମଳକୁ ଉଦ୍ବେଗ ପ୍ରକାଶ କରୁଛନ୍ତି, ସେପରିସ୍ଥଳେ କର୍ତ୍ତୃପକ୍ଷ ସଂପୃକ୍ତ ସଂସ୍ଥାର ନବୀକରଣକୁ ନେଇ ଦ୍ବନ୍ଦ୍ବରେ ପଡ଼ିଥିବା କୁହାଯାଉଛି।
ନିର୍ବାହୀ ଅଧିକାରୀ ଏ ସଂପର୍କିତ ଫାଇଲ୍କୁ ପ୍ରଶାସକଙ୍କ ପାଖକୁ ପଠାଇ ଦେଇଛନ୍ତି। ହେଲେ ନବୀକରଣ ପୂର୍ବରୁ ସନ୍ତୋଷଜନକ ସାର୍ଟିଫିକେଟ୍ ଦରକାର। ଏହି ସାର୍ଟିଫିକେଟ୍ କିଏ ଦେବ ? ପୂର୍ବରୁ ଓ୍ବାର୍ଡର ପ୍ରତିନିଧି ହିସାବରେ କାଉନସିଲର୍ମାନେ ଦେଉଥିଲେ। ମାତ୍ର ସେମାନଙ୍କ କାର୍ଯ୍ୟକାଳ ସରିଯାଇଛି। ତେଣୁ ପରିମଳ ସମସ୍ୟା ସହିତ ଦୈନନ୍ଦିନ ଯୁଝୁଥିବା ସାଧାରଣ ଲୋକଙ୍କଠାରୁ ଯଦି ମତାମତ ଅଣାଯାଏ, ତା’ହେଲେ ରିପୋର୍ଟରେ ନିରପେକ୍ଷତା ଆଶା କରିବା। ଯଦି ସେହି ପନ୍ଥା ଗ୍ରହଣ କରା ନଯାଏ, ତେବେ କର୍ତ୍ତୃପକ୍ଷ ଠିକାସଂସ୍ଥା ପ୍ରୀତି ପୁଣି ଥରେ ସାବ୍ୟସ୍ତ ହେଇଯିବ। ଅନ୍ୟପକ୍ଷରେ ପ୍ରଶାସକ ଦାୟିତ୍ବରେ ଥିବା ଉପଜିଲ୍ଲାପାଳ ନିରଂଜନ ବେହେରାଙ୍କ କହିବା କଥା ହେଉଛି, ନବୀକରଣ ଏଯାଏ କରାଯାଇ ନାହିଁ । ନବୀକରଣ ପୂର୍ବରୁ ପରିମଳ ସଜାଡ଼ିବାରେ ଠିକାସଂସ୍ଥାର ପ୍ରଦର୍ଶନକୁ ବିଚାରକୁ ନିଆଯିବ। ସେଥିପାଇଁ ଓ୍ବାର୍ଡଓ୍ବାରିି ପ୍ରଦର୍ଶନଭିତ୍ତିକ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଛି। କାଉନସିଲ୍ ବୈଠକରେ ହିଁ ଏହି ନିଷ୍ପତ୍ତି ହେବ। ବିଧାୟକଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ହିଁ ଯାହା କିଛି ନିଷ୍ପତ୍ତି ହେବ।