ପୌର ନିର୍ବାଚନ: ସହରୀ ନେତାଙ୍କ ଭାଗ୍ୟ ନିର୍ଧାରଣ କରିବେ ମତଦାତା, କାଉନସିଲର ଅପେକ୍ଷା ଚର୍ଚ୍ଚାରେ ପୌରାଧ୍ୟକ୍ଷ ପ୍ରାର୍ଥୀ

ରାୟଗଡ଼ା ସହରର ୫୯ରୁ ୩୫ ବୁଥ୍ ସମ୍ବେଦନଶୀଳ, କଡ଼ା ସୁରକ୍ଷା ବ୍ୟବସ୍ଥାରେ ବୁଥକୁ ଗଲେ ପୋଲିଂ କର୍ମଚାରୀ

ରାୟଗଡ଼ା: ରାତି ପାହିଲେ ପୌର ନିର୍ବାଚନ। ଜିଲ୍ଲାର ୩ ପୌରାଞ୍ଚଳ ରାୟଗଡ଼ା, ଗୁଣପୁର, ଗୁଡ଼ାରି ପାଇଁ ହେବ ମତଦାନ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି ଜିଲ୍ଲା ପୁଲିସ୍, ପ୍ରଶାସନ। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ବ୍ୟାପକ ପୁଲିସ୍ ମୁତୟନ ସହ ସମସ୍ତ ବୁଥକୁ ପୋଲିଂ କର୍ମଚାରୀଙ୍କୁ ପଠାଯାଇଛି। ଆସନ୍ତାକାଲି ସକାଳ ୮ଟାରୁ ଅପରାହଣ୍ ୫ଟା ପର୍ଯ୍ୟନ୍ତ ଚାଲିବ ମତଦାନ।  ମତଦାନକୁ ନେଇ ସହରୀ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିବା ବେଳେ ପୌର ନିର୍ବାଚନରେ କାଉନସିଲରଙ୍କ ଅପେକ୍ଷା ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି।

ରାୟଗଡ଼ା ପୌର ପରିଷଦର ୨୪ଟି ୱାର୍ଡରେ କାଉନସିଲର ଓ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ ୫୬ ହଜାର ୫୯୭ ଭୋଟର। ସେଥି ମଧ୍ୟରେ ପୁରୁଷ ଭୋଟର ସଂଖ୍ୟା ୨୭ ହଜାର ୪୭୨ ଓ ମହିଳା ଭୋଟର ସଂଖ୍ୟା ୨୯ ହଜାର ୭୨। ୫୩ ଜଣ ଟ୍ରାନ୍‍ସଜେଣ୍ଡର ଅଛନ୍ତି। ମତଦାନ ପାଇଁ ୨୪ଟି ୱାର୍ଡର ୫୯ଟି ବୁଥ୍ କରାଯାଇଛି। ୫୯ ବୁଥ୍ ମଧ୍ୟରୁ ୩୫ ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଚଳିତ ଥର ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେଉଥିବା ବେଳେ ରାୟଗଡ଼ା ପୌରାଧ୍ୟକ୍ଷ ଆସନ ଅଣସଂରକ୍ଷିତ ଥିବାରୁ ମଇଦାନରେ ୧୧ ପ୍ରାର୍ଥୀ ରହିଛନ୍ତି। ୩ ପ୍ରମୁଖ ଦଳ ବିଜେଡି-କଂଗ୍ରେସ-ବିଜେପି ସହ ଆମ ଆଦିମୀ ପାର୍ଟି ଓ ସ୍ବାଧୀନ ପ୍ରାର୍ଥିୀଙ୍କ ମଧ୍ୟରେ କଡା ଟକର୍ ହେବା ନେଇ ଅନୁମାନ କରାଯାଉଛି। ୩ ପ୍ରମୁଖ ଦଳ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର୍ କରିଥିବା ବେଳେ ଆପ, ନବ ନିର୍ମାଣ ଭାରତ ପାର୍ଟି, ସ୍ବାଧୀନ ପ୍ରାର୍ଥୀ ନିଜ ମୁଦ୍ଦାକୁ ନେଇ ଭୋଟରଙ୍କୁ ଭୋଟ ଭିକ୍ଷା କରିଛନ୍ତି। ତେବେ ଭୋଟର କାହାକୁ ଚୟନ କରୁଛନ୍ତି ତାହା ଶନିବାର ହେବାକୁ ଥିବା ଭୋଟ ଗଣତିରେ ସ୍ପଷ୍ଟ ହୋଇଯିବ। ତେବେ ୨ ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ମମତା ମାଣ୍ଡାଙ୍ଗି ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇ ସାରିଛନ୍ତି।  ୨୦୧୩ ପୌର ନିର୍ବାଚନରେ ରାୟଗଡ଼ା ପୌର ପରିଷଦର ୨୪ଟି ୱାର୍ଡରୁ ବିଜେଡ଼ି ୨୧ଟିରେ ବିଜୟୀ ହୋଇଥିଲା। କଂଗ୍ରେସ ୩ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ ବିଜେପି ଖାତା ଖୋଲିପାରିନଥିଲା।

ଗୁଣପୁରର ୧୯ଟି ୱାର୍ଡ ପାଇଁ ୨୨ ହଜାର ୬୦୮ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ସେଥି ମଧ୍ୟରେ ୧୧ ହଜାର ୬୩ ପୁରୁଷ, ୧୧ ହଜାର ୫୩୩ ମହିଳା ଓ ୧୨ ଜଣ ଟ୍ରାନସଜେଣ୍ଡର ରହିଛନ୍ତି। ଗୁଣପୁର ପୌର ପରିଷଦର ପୌରାଧ୍ୟକ୍ଷ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ନିର୍ବାଚନ ମଇଦାନରେ ରହିଛନ୍ତି ୬ ପ୍ରାର୍ଥୀ। ମତଦାନ ପାଇଁ ୨୮ଟି ବୁଥ୍ କରାଯାଇଥିବା ବେଳେ ୩ଟି ମଡେଲ୍ ଏବଂ ୩ଟି ପିଙ୍କ୍ ବୁଥ୍ ରହିଛି। ଚଳିତ ପୌର ନିର୍ବାଚନରେ ଗୁଣପୁର ଚର୍ଚ୍ଚାରେ ରହି ଆସିଛି। ଶାସକ ଦଳ ବିଜେଡିକୁ ଏଠି ସ୍ବାଧୀନ ପୌରାଧ୍ୟକ୍ଷ ପ୍ରାର୍ଥୀ କଡା ଟକର୍ ଦେଉଥିବାରୁ ନିଜ ସପକ୍ଷରେ ଜନମତ ହାସଲ କରିବା ପାଇଁ ବିଜେଡି ଦିନରାତିକୁ ଏକା କରି ଲାଗିଛି। ବିଜେପି, କଂଗ୍ରେସ, ବିଏସପି ପୌରାଧ୍ୟକ୍ଷ ପ୍ରାର୍ଥୀ ମଧ୍ୟ ନିଜ ସପକ୍ଷରେ ଜନମତ ହାସଲ କରିବା ପାଇଁ ଲାଗି ପଡିଛନ୍ତି। ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ୱାର୍ଡ ପାଇଁ ୫ ହଜାର ୨୯୯ ମତଦାତା (ପୁରୁଷ ୨୭୫୭, ମହିଳା ୨୭୫୭) ୧୧ ବୁଥ୍ ମାଧ୍ୟମରେ ସେମାନଙ୍କ ମତ ସାବ୍ୟସ୍ତ କରିବେ। ପୌରାଧ୍ୟକ୍ଷ ପଦବି ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ନିର୍ବାଚନ ମଇଦାନରେ ୪ ପ୍ରାର୍ଥୀ ରହିଛନ୍ତି। ୧୧ ୱାର୍ଡ ମଧ୍ୟରୁ ଗୋଟିଏ ୱାର୍ଡ ୧୦ ନଂ ରେ ବିଜେଡି ପ୍ରାର୍ଥୀ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇ ସାରିଛନ୍ତି।

 

ସମ୍ବନ୍ଧିତ ଖବର