ପୌର କାର୍ଯ୍ୟାଳୟ ଘେରିଲା ବିଜେପି

ନିର୍ବାଚନ ପାଇଁ ସଜବାଜ

ରାୟଗଡା: ପୌର ନିର୍ବାଚନକୁ ଆଉ ବର୍ଷକରୁ ବି କମ ସମୟ ରହିଲା। କିନ୍ତୁ ନିର୍ବାଚନ ପାଇଁ ଏବେଠାରୁ ରାୟଗଡାରେ ଚଳଚଞ୍ଚଳ ହେଲେଣି ରାଜନୈତିକ ଦଳ। ସହରାଞ୍ଚଳରେ ଏକାଧିକ କାର୍ଯ୍ୟକ୍ରମର ଆୟୋଜନ ହେଉଥିବା ବେଳେ ଦୋଷାରୋକ ରଜନୀତି ବି ବେଶ୍‌ ଉଷ୍ମ ହେଲାଣି। ଏମିତି ସମୟରେ ରାୟଗଡା ପୌରପାଳିକାକୁ ଦଖଲରେ ରଖିଥିବା ବିଜେଡି ବିରୋଧରେ ସଂଗିନ ଅଭିଯୋଗ ସବୁ ଆଣିଛି ବିରୋଧୀ ବିଜେପି। ଦଳର ଅଭିଯୋଗ ଅନଚୁଯାୟୀ, ପୌରପାଳିକାକୁ ଆସୁଥିବା କୋଟି କୋଟି ଟଙ୍କାର ଅନୁଦାନକୁ ବାଟମାରଣା କରାଯାଉଛି। ନିମ୍ନମାନର କାମ ହେଉଥିବାରୁ ଅଳ୍ପ ଦିନ ମଧ୍ୟରେ ନଷ୍ଟ ହେଉଛି। ଶାସକ ଦଳର କିଛି ରାଜନେତାଙ୍କ ଏଥିରେ ସଂପୃକ୍ତ ରହିଥିବା ବି ଦଳ କହିଛି। ସେହିପରି ଦୀର୍ଘ ବର୍ଷ ହେଲା ଶାସ୍ତ୍ରୀ ନଗର ଓ ସାଇପ୍ରିୟା ଅଞ୍ଚଳ ଅବହେଳିତ ଅବସ୍ଥାରେ ରହିଛି। ରାସ୍ତାଘାଟ, ଆଲୋକ ବ୍ୟବସ୍ଥା କରାଯାଉ ନାହିଁ।

ସବୁଠାରୁ ଅଧିକ ସମସ୍ୟା ଦେଖାଦେଇଛି ସରାଞ୍ଚଳକୁ ଲାଗି ରହିଥିବା ପଞ୍ଚାୟତ ଗୁଡିକରେ। ସହର ଉପକଣ୍ଠ ପଞ୍ଚାୟତକୁ ପୌରାଞ୍ଚଳରେ ସାମିଲ କରି ବିକାଶ କରିବା ପାଇଁ ଗତଦିନରେ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ପ୍ରତିଶ୍ରୁତି ଦେଇଥିଲେ। ଯାହାକି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନଥିବା ବେଳେ ସାଂସଦ କ’ଣ କରିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ଏହାପରେ ଦଳ କହିଥିଲା ଯେ, ୨୦୦୭ମସିହାରେ ନାଗାବଳୀ ନଦୀରେ ହାଇଡ୍ରୋ ପାୱାର ପ୍ରକଳ୍ପ ନିର୍ମାଣରେ ତ୍ରୁଟି କାରଣରୁ ହାତୀପଥର ପର୍ଯ୍ୟଟନ ପ୍ରଭାବିତ ହୋଇଥିଲା। ତେଣୁ ଉକ୍ତ ଅଞ୍ଚଳର ପୁନରୁଦ୍ଧାର ସହ ଜମି ହରାଇଥିବା ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ପାଇଁ ଦାବି କରାଯାଇଛି। ଏହି ଦାବି ନେଇ ଆଜି ବିଜେପି ପକ୍ଷରୁ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଭାରପ୍ରାପ୍ତ ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଏମ.ଏଲ ଜୈନଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଥିଲା।

ଦାବି ମଧ୍ୟରେ ପୌରାଞ୍ଚଳର ଝୁମ୍ପୁଡି ବସ୍ତିରେ ରହୁଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଶୌଚାଳୟ ଏବଂ ସ୍ନାନଗାର ବ୍ୟବସ୍ଥା କରିବା। ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ସହ ଉନ୍ନୟନ ପ୍ରକଳ୍ପ ନିମନ୍ତେ ହେଉଥିବା ଟେଣ୍ଡରରେ ସ୍ୱଚ୍ଛତା ରଖିବା, ବୃଦ୍ଧବୃଦ୍ଧା, ଦିବ୍ୟାଂଗ ଓ ବିଧବାଙ୍କୁ ନିଜ ୱାର୍ଡରେ ଭତ୍ତା ପ୍ରଦାନ କିମ୍ବା ବ୍ୟାଙ୍କ ଖାତାରେ ସେମାନଙ୍କ ଭତ୍ତା ଜମା କରିବାକୁ ଦାବି କରାଯାଇଛି। ଏହାବ୍ୟତୀତ କିଛି ସମସ୍ୟା ସଂପର୍କରେ ଉଲ୍ଲେଖ କରାଯାଇଛି। ଯେମିତି ରାୟଗଡ଼ା ବ୍ରାହ୍ମଣସାହି ନଦୀଘାଟ ଶ୍ମଶାନ ବ୍ୟତୀତ ଅନ୍ୟ ସ୍ଥାନରେ ଶେଷକୃତ୍ୟ ସମୟରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ପୌରସଂସ୍ଥା ପକ୍ଷରୁ ସରକାରୀ ଆଇଟିଆଇ ନଦୀଘାଟରେ ୫ବର୍ଷ ହେଲା ଅଧପନ୍ତରା ଅବସ୍ଥାରେ ରହିଥିବା ବେଳେ ରାଣୀଗୁଡ଼ା ଅଞ୍ଚଳରେ ଆଦୌ ନିର୍ମାଣ ହୋଇପାରିନାହିଁ। ତେଣୁ ତୁରନ୍ତ ଶ୍ମଶାନ ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଦାବି କରାଯାଇଥିଲା। ଦାବି ପୂରଣ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ ନକଲେ ବିଜେପି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ। ଧାରଣାରେ ବିଜେପିର ଜାତୀୟ ଆଦିବାସୀ ସେଲ ଉପସଭାପତି କାଳୀରାମ ମାଝିଙ୍କ ନେତୃତ୍ୱରେ ରାଜ୍ୟ କୃଷକ ସଂଘ ଉପସଭାପତି ରଜତ କୁମାର ମାଦଳା, ନଗର ସଭାପତି ଭାସ୍କର ପଣ୍ଡା, ହଳଧର ମିଶ୍ର, ମହିଳା ମୋର୍ଚ୍ଚାର ସଭ୍ୟମାନେ ସାମିଲ ହୋଇଥିଲେ।

 

ସମ୍ବନ୍ଧିତ ଖବର