କେବେ ଦୂର ହେବ ଜିଲ୍ଲାରେ ଜଳ କଷ୍ଟ ? ଘୁଞ୍ଚି ଘୁଞ୍ଚି ଯାଉଛି ମୁରାନ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ

୪ ପ୍ରକଳ୍ପର କାର୍ଯ୍ୟ ଚାଲିଛି ଯେ ଶେଷ ହେଉନି  

କୋରାପୁଟ : ଆର୍ଥିକ ବର୍ଷ ପରେ ଆର୍ଥିକ ବର୍ଷ ଯାଉଛି। ହେଲେ କୋରାପୁଟ ଜିଲ୍ଲାରେ ଜାରି ରହିଥିବା ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ  କାମ ଶେଷ ହେଉନି। ବୋରିଗୁମ୍ମା, ଜୟପୁର ଓ କୋଟପାଡ ବ୍ଲକକୁ ପାନୀୟ ଜଳ ଯୋଗାଇବାକୁ ଆରମ୍ଭ ହୋଇଥିବା ମୁରାନ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ନେଇ ବିଳମ୍ବ ହେଉଥିବାବେଳେ ବୈପାରିଗୁଡା, ନାରାୟଣପାଟଣା, ଦଶମନ୍ତପୁର ଓ ନନ୍ଦପୁରରେ ୪ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମଧ୍ୟ ଠିକ ସମୟ ପୂର୍ବରୁ ଶେଷ ହେବାନେଇ ଆଶା ଆଶଙ୍କା ଦେଖାଦେଇଛି।

ତେବେ କେବେ ଦୂର ହେବ କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡରେ ରହିଥିବା‌ ତିନିଟି ବ୍ଲକର ଜଳ କଷ୍ଟ। କେବେ ବର୍ଷକ ବାରମାସ ଯାକ ମିଳିବ ସୁଦ୍ଧ ପାନୀୟ ଜଳ। ଏଥିପାଇଁ କୋରାପୁଟ୍‌ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଚାଲିଛି ଯେ ଚାଲିଛି ଶେଷ ହେବା ନା ଧରୁନି। ପ୍ରଶାସନିକ ମଞ୍ଜୁରୀ ମିଳିବାକୁ ୩ବର୍ଷ ବିତିଲାଣି ହେଲେ ବି କାମ ଶେଷ ହଉନି। ମୁରାନ ଡ୍ୟାମ ନିକଟରେ କାର୍ଯ୍ୟ ଚାଲିଥିବାବେଳେ ୨୦୨୨ ମାର୍ଚ୍ଚ ମାସ ରେ ଏହା ଶେଷ ହେବାକୁ ରହିଥିବାବେଳେ ଘୁଞ୍ଚି ଘୁଞ୍ଚି ଯାଉଛି ପ୍ରକଳ୍ପ କାର୍ଯ୍ୟକାରୀତା। ରାଜ୍ୟ ସରକାର  ଏଥିପାଇଁ ଖର୍ଚ୍ଚ ଅଟକଳ କରିଛନ୍ତି ୩୭୨ କୋଟି ଟଙ୍କା। ଏହି ପ୍ରକଳ୍ପ ଦ୍ବାରା ଜୟପୁର ଉପଖଣ୍ତର ବୋରିଗୁମ୍ମାରେ୨୮ଟି ଗ୍ରାମ ପଞ୍ଚାୟତ, ଜୟପୁରରେ ୭ଟି ଓ କୋଟପାଡ ବ୍ଲକରେ ୧୭ଟି ମୋଟ ୫୨ଟି ପଞ୍ଚାୟତର ବାସିନ୍ଦା ଉପକୃତ ହେବେ। ପାଇପ ଯୋଗେ ବିଶୁଦ୍ଧ ପିଇବା ପାଣି ପାଇପାରିବେ। ୨୫୭ ଖଣ୍ତ ଗାଁର ୬୯୪ଟି ଜନବସତିର ୨ଲକ୍ଷ ୭୫ ହଜାର ଜନସାଧାରଣ ଏହି ମେଗା ପ୍ରକଳ୍ପରେ ଉପକୃତ ହେବାର ଯୋଜନା ରହିଛି। ଏହି ପ୍ରକଳ୍ପ ଚଳିତବର୍ଷ ଡିସେମ୍ବର ମାସରେ ଶେଷ ହେବାର ସମ୍ଭାବନା ରହିଛି ।

ଏହି ମେଗା ପାନୀୟ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବୋରିଗୁମ୍ମା ବ୍ଲକର ୨୮ଟି ପଞ୍ଚାୟତରେ ଥିବା ୩୩୦ ଜନବସତିର ୧ଲକ୍ଷ ୪୬ ହଜାର ଲୋକ ଉପକୃତ ହେବେ। ପଡୋଶି କୋଟପାଡ ବ୍ଲକର ୧୭ ପଞ୍ଚାୟର ୨୪୫ ଜନବସତି ରେ ପ୍ରାୟ ୯୫ ହଜାର ଓ ଜୟପୁର ବ୍ଲକ ଅନ୍ତର୍ଗତ ୭ଟି ପଞ୍ଚାୟତର ୧୨୬ ଜନବସତିରେ ପ୍ରାୟ ୩୪ ହଜାର ଅଧିବାସୀ ପିଇବାପାଣି ପାଇବେ।ଏହି ପ୍ରକଳ୍ପ ମୁରାନ ଡ୍ୟାମ ନିକଟରେ ପ୍ରତିଷ୍ଠା କରାଯାଇଛି। ମୁରାନ ଡ୍ୟାମରୁ ପାଣି ଅଣାଯାଇ କାଠରଗଡା ନିକଟସ୍ଥ ଶକ୍ତି ପାହାଡରେ ଏକ ଇନଟେକ କୁଣ୍ତରେ ରଖାଯିବ। ସେଠାରେ ଏକ ଜଳ ବିଶୋଧନାଗାର ପ୍ରତିଷ୍ଠା କରାଯାଇ ପାଇପ ଯୋଗେ ବିଶୁଦ୍ଧ ପାଣି ଉପରୋକ୍ତ ୫୨ ପଞ୍ଚାୟତର ଲୋକଙ୍କୁ ଯୋଗାଇଦିଆଯିବ। ପ୍ରକଳ୍ପ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ପିଇବା ପାଣି ସମସ୍ୟା ପ୍ରାୟ ଦୁର ହୋଇପାରିବ ବୋଲି ଆଶା କରାଯାଉଛି ବୋଲି ବୋଲି କହିଛନ୍ତି ଆରଡବ୍ଲୁଏସଏସ ନିର୍ବାହୀଯନ୍ତ୍ରୀ ନାରାୟଣ ପ୍ରସାଦ ଗାନ୍ଧୀ ।

ସେ କହିଛନ୍ତି ଯେ ପ୍ରଥମେ ଏହି ପ୍ରକଳ୍ପ ପାଇଁ ୩୩୯.୦୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲାବେଳେ ଏଥିରେ ପରିବର୍ତ୍ତନ ସହ କିଛି ସ˚ଶୋଧନ କରାଯାଇ ୩୭୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ କାମ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପର ଡିପିଆର କଲିକତାର ଏକ ଫାର୍ମ ପ୍ରସ୍ତୁତ କରିଥିବାବେଳେମୁରାନ ଡ୍ୟାମ ନିକଟରେ ଯନ୍ତ୍ରାଶ ବସାଯାଇ ପମ୍ପ ହାଉସ ପ୍ରତିଷ୍ଠା କରାଯାଇଥିବାବେଳେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ତେବେ ଡିପିଆର ପ୍ରସ୍ତୁତ ପୂର୍ବରୁ ଇନ୍ଦ୍ରାବତୀ ନଦୀରୁ ପାଣି ଅଣାଯାଇ ପ୍ରକଳ୍ପ ଆରମ୍ଭ କରାଯିବା ନେଇ ଯୋଜନା କରାଯାଇଥିଲା। ପରେ ନଦୀରୁ ଆବଶ୍ୟକ ପାଣି ମିଳିବାରେ ଅସୁବିଧା ହେବାରୁ ମୁରାନ ଡ୍ୟାମରୁ ପାଣି ଅଣାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରେ ବୈପାରିଗୁଡା, ନାରାୟଣପାଟଣା, ଦଶମନ୍ତପୁର ଓ ନନ୍ଦପୁରରେ ୪ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି। ୧୫୫ କୋଟିରେ ନିର୍ମାଣାଧୀନ ବୈପାରିଗୁଡା ପ୍ରକଳ୍ପ ପାଇଁ ୨୮ହଜାର୭୦୦ ପରିବାର ସୁବିଧା ପାଇବାକୁ ରହିଥିବାବେଳେ ୨୦୧୩ ଡିସେମ୍ବର ମାସରେ ଶେଷ ହେବାକୁ ଯୋଜନା ରହିଛି। ତେବେ ଏବେ ଯାଏ ପ୍ରକଳ୍ପ ପାଇଁ ଡିପିଆର ସହ କେବଳ ନିର୍ମାଣ ପାଇଁ ପ୍ରାଥମିକ କାର୍ଯ୍ୟ ଜାରି ରହିଛି। ସେହିପରି ୨୧୨ କୋଟି ଟଙ୍କା ବିନିମୟରେ ନିର୍ମାଣାଧୀନ ଦଶମନ୍ତପୁର ପ୍ରକଳ୍ପରେ ୨୫ ହଜାର ପରିବାର, ୧୦୪ କୋଟି ଟଙ୍କା ବିନିମୟରେ ନିର୍ମାଣାଧୀନ ନାରାୟଣପାଟଣା ମେଗା ଜଳ ପ୍ରକଳ୍ପ୧୨ହଜାର ୭୦୦ ପରିବାର, ୨୦୦ କୋଟି ଟଙ୍କାରେ ନିର୍ମାଣାଧୀନ ନନ୍ଦପୁର ମେଗା ପାନୀୟ ଜଳ ପ୍ରକଳ୍ପରେ ୨୫ ହଜାର ପରିବାର ସୁବିଧା ପାଇବାକୁ ଯୋଜନା ରହିଛି। ଦଶମନ୍ତପୁର, ନାରାୟଣାପଟଣା ଓ ନନ୍ଦପୁର ମେଗା ପାନୀୟ ଜଳପ୍ରକଳ୍ପ ପାଇଁ ଜମି ଚିହ୍ନଟ ହୋଇଥିବାବେଳେ ୨୦୨୪ ମାର୍ଚ୍ଚ ମାସ ସୁଦା କାର୍ଯ୍ୟ ଶେଷ ହେବାକୁ ଯୋଜନା ରହିଛି ବୋଲି  ଆରଡବ୍ଲୁଏସଏସ ନିର୍ବାହୀଯନ୍ତ୍ରୀ ନାରାୟଣ ପ୍ରସାଦ ଗାନ୍ଧୀ ।

ସମ୍ବନ୍ଧିତ ଖବର