ବିକାଶ ବାଟ ଓଗାଳିଛି ‘ମୁରାନ୍‌ ଡ୍ୟାମ’, ଦୁର୍ଦିନରେ କାଳ କାଟୁଛନ୍ତି ୨୦ ଖଣ୍ଡ ଗାଁ

ଦେଢ କିଲୋମିଟରକୁ ଲାଗେ ଦେଢଘଣ୍ଟା, ୭୦୦ଟଙ୍କାର ଭତ୍ତା ପାଇଁ ଖର୍ଚ୍ଚ କରନ୍ତି ଦେଢଶହ ଟଙ୍କା

ଜୟପୁର (ଶ୍ରୀକାନ୍ତ ସାହୁ): ମୁରାନ୍‌ ଡ୍ୟାମ। ଭାରତର ସର୍ବବୃହତ ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ବହୁମୁଖୀ ପ୍ରକଳ୍ପରେ ରହିଥିବା ଡ୍ୟାମ ମଧ୍ୟରୁ ଅନ୍ୟତମ ଡ୍ୟାମ। ଏହି ପ୍ରକଳ୍ପରେ ମୋଟ ୩ଟି ଡ୍ୟାମ ରହିଥିବା ବେଳେ ପୋଡାଗଡ ଓ କାପୁର ମଧ୍ୟ ଅନ୍ୟତମ। ମୁରାନ ଡ୍ୟାମଟି କୋରାପୁଟ, ବୋରିଗୁମ୍ମା ଓ ଦଶମନ୍ତପୁର ବ୍ଲକରେ ପ୍ରାୟ ୪୧ କିଲୋମିଟର ଲମ୍ବ ଓ ୨୧ କିଲୋମିଟର ପ୍ରସ୍ତରେ ପ୍ରସାରିତ ହୋଇଛି। ପାଖାପାଖି ୨୬୩୦ ବର୍ଗକିଲୋମିଟର ପରିବ୍ୟକ୍ତ ଏହି ଡ୍ୟାମଟି ଜିଲ୍ଲାର ତିନିଟି ବ୍ଲକରେ ସୁଖ ଯେତିକି ତାହାଠାରୁ ଆଣୁଛି ୧୦ ଗୁଣା ଦୁଃଖ। ଅନ୍ୟଦିନେ ଯେମିତି ସେମିତି ଚଳିଯାଉଥିଲେ ମଧ୍ୟ ବର୍ଷାଦିନେ ନାହିଁ ନଥିବା ଦୁର୍ଦଶା ଭୋଗନ୍ତି ଏହି ତିନି ବ୍ଲକର ୧୫ଖଣ୍ଡ ଗ୍ରାମବାସୀ।

କୋରାପୁଟ ଜିଲ୍ଲାର ତିନିଟି ବ୍ଲକର ୨୫ରୁ ଅଧିକ ଗାଁକୁ ବୁଡାଇ ୧୯୭୮ରେ ତତକାଳୀନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇ ଏହି ପ୍ରକଳ୍ପର ଶୁଭ ପକାଇଥିଲେ। ଏହି ଡ୍ୟାମଟିରେ ପ୍ରତି ବର୍ଷାଦିନେ ପ୍ରାୟ ୬୪୨ ମିଟର ଜଳଧାରଣ କରିବାର କ୍ଷମତା ରହିଥିବାବେଳେ ସବାର୍ଧିକ ଭାବେ ୬୪୩ ମିଟର ଜଳଧାରଣ କରିପାରିବ। ଆଜି ମଧ୍ୟ ଏହି ତିନିଟି ବ୍ଲକର ଅନେକ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏବେ ବି ୨୦ଖଣ୍ଡ ଗାଁର ଲୋକେ ସ୍ୱାଧୀନତା କ’ଣ ଜାଣିନାହାନ୍ତି।

କୋରାପୁଟ ଜିଲ୍ଲାର ଅନେକ ଲୋକ ଘଞ୍ଚ ଜଙ୍ଗଲ ଏବଂ ଜଳବନ୍ଦୀ ମଧ୍ୟରେ ଜୀବନ ବିତାଉଛନ୍ତି। ସେହି ଅଞ୍ଚଳକୁ ମୌଳିକ ସୁବିଧା ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବିଜୁଳି ପହଞ୍ଚି ନଥିବାରୁ ସରକାର ଡିଣ୍ଡିମ ପିଟୁଥିବା ବିକାଶ କୁଆଡେ ଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ବିଶେଷକରି ଜଳବନ୍ଦୀ ଜୀବନ ବିତାଉଥିବା ଲୋକଙ୍କ ସମସ୍ୟା କହିଲେ ନସରେ। ସେମାନଙ୍କୁ ମୌଳିକ ସୁବିଧା ତ ଦୂରର କଥା ଯାତାୟାତ ପାଇଁ ଭଲ ଡଙ୍ଗା ମଧ୍ୟ ନାହିଁ। ନାହିଁ ନାହିଁରେ ୨୦ଟି ଗ୍ରାମବାସୀଙ୍କ ଜୀବନ ବିତୁଛି। ଦଣ୍ଡାବାଡିରେ ଗୋଟିଏ ବୋଟ ପଡିଥିବାବେଳେ ଢେପଗୁଡାରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା କାଠଡଙ୍ଗାଟି ଭାଙ୍ଗି ନଷ୍ଟ ହୋଇଯାଇଛି। ହୁଲି ଡଙ୍ଗା ଓ ଦଣ୍ଡାବାଡିରେ ପଡିଥିବା ବୋଟରେ ଚାଲିଛି ପ୍ରତିଦିନର କାରବାର।

ସମୁଦ୍ରକୁ ସଙ୍ଖେ ପରି ଏହି ସେବା ଚାଲୁଥିବା ବେଳେ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଓ ଦଶମନ୍ତପୁର ବ୍ଲକର ମଧ୍ୟ ଭାଗରେ ମୁରାନ ଡ୍ୟାମ୍‌ ରହିଛିଯ ବିଛିନ୍ନାଞ୍ଚଳରେ ଦୁଇଟି ବ୍ଲକର ପାଟରାପାଣିରେ ୪୫ ପରିବାର, ଗରୁଡଗଛରେ ୪୮ ପରିବାର, ପାଟିଆସିଲରେ ୭୨, ହଳଦୀସିଲ ୪୮, ଅଙ୍କାରିଗୁଡା ୩୪, ଖଜୁରିଗୁଡାରେ ୪୩, ଲିଟୁଗୁଡାରେ ୩୪, ଦୁଆରଶୁଣିରେ ୫୬, ଧୋବାପଦରରେ ୪୫, ମୁଡୁରୁଜା ୨୯, ଶେରଗଡରେ ୭୧, ପିଣ୍ଡାପଦରରେ ୫୭, ନାନ୍‌ଗଛରେ ୪୫, ଆମ୍ବାଗୁଡା ୬୧, ବାଲିଘାଟରେ ୨୦, ବେନ୍ଦେଲାରେ ୩୦, ମୁଣ୍ଡିଗୁଡାରେ ୨୦, ଚିକିଟାସିଲ ୩୦, ହରିଗୁଡାରେ ୪୫ ଓ ଦୁଆରଶୁଣିରେ ୯୨ ପରିବାର ଗ୍ରାମଗୁଡିକରେ କାଳତିପାକ କରୁଛନ୍ତି।

ତେବେ ବିଛିନ୍ନାଞ୍ଚଳରେ ବଜାର ବ୍ୟବସ୍ଥା ନଥିବାରୁ ବୋରିଗୁମ୍ମା ବ୍ଲକର କାଠରଗଡା ଆସିବାକୁ ପଡିଥାଏ। ସେଠାରୁ ଲୋକେ ସାପ୍ତାହିକ ହାଟରେ ସଉଦା କିଣି ନେଇଥାନ୍ତି। ମୁରାନ୍‌ ଡ୍ୟାମ୍‌ରେ ଏକ ଘଣ୍ଟା ଜଳଯାତ୍ରା ପରେ ମୁରାନ୍‌ଘାଟକୁ ପହଞ୍ଚିଥାନ୍ତି। ତେବେ ପ୍ରଶାସନ ପକ୍ଷରୁ ବହୁ ବର୍ଷ ତଳେ ମୁରାନ୍‌ ଘାଟରେ ଗୋଟିଏ ଲଞ୍ଚ ଓ କାଠ ଡଙ୍ଗା ଯୋଗାଇ ଦିଆଯାଇଥିଲା। କିନ୍ତୁ ତଦାରଖ ଅଭାବ ଯୋଗୁଁ ତାହା ଦଦରା ଅବସ୍ଥାରେ ରହିଛି। ଲୋକେ ଡଙ୍ଗାରେ ଯାତ୍ରା ବେଳେ ପାଣି ଭିତରକୁ ପଶିଯାଉଥିଲେ ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି। ଖାଲି ସେତିକି ନୁହେଁ ଗାଁକୁ ଯିବାକୁ ହେଲେ ବୋଟରେ ମାତ୍ର ଦେଢ କିଲୋମିଟର ଯିବାକୁ ହେଉଥିବା ରୋଡରେ ଗଲେ ପ୍ରାୟ ୪୦ କିଲୋମିଟର ପାହାଡିଆ ଘାଟି ରାସ୍ତାରେ ଯିବାକୁ ପଡେ। ଏବେ ଏହି ରାସ୍ତା ତିଆରି ହେଉଥିବାବେଳେ କେବେ ଏହା ଶେଷ ହେବ ତାହା କହି ହେବ ନାହିଁ। ପ୍ରତିମାସରେ ଗାଁରେ ରହୁଥିବା ଲୋକେ ପଞ୍ଚାୟତ ମୁଖ୍ୟାଳୟକୁ ଆସିବାକୁ ହେଲେ ଜଳପଥରେ ୪୦ ଟଙ୍କା ଓ ସ୍ଥଳପଥରେ ଗାଡିରେ ଦେଢଶହ ଟଙ୍କା ଖର୍ଚ୍ଚକରି ନେବାକୁ ଆସିଥାନ୍ତି।

ବିଛିନ୍ନାଞ୍ଚଳ ଗ୍ରାମରେ ସ୍ୱାସ୍ଥ୍ୟ ସେବା ନଥିବା ଯୋଗୁଁ ସାମାନ୍ୟ ଜ୍ୱର ହେଲେ ମଧ୍ୟ ଦଦରା ଡଙ୍ଗା ଦେଇ କାଠରଗଡାକୁ ଆସିବାକୁ ପଡିଥାଏ। ବିଛିନ୍ନାଞ୍ଚଳବାସୀ ସତ୍ୟଦାନ ଖରା କହିଛନ୍ତି ଡଙ୍ଗାରେ ଜଳଯାତ୍ରାରେ ବହୁ ଲୋକ ପ୍ରାଣ ହରାଇଛନ୍ତି। ସାମାନ୍ୟ ଓଜନ ଅଧିକ ହେଲେ ଡଙ୍ଗା ଓଲଟି ବହୁ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ପ୍ରଶାସନକୁ ଯେତେ ଗୁହାରି କଲେ ବି ନୂଆ କାଠ ଡଙ୍ଗା କିମ୍ବା ଲଞ୍ଚ ବ୍ୟବସ୍ଥା କରାଯାଉନାହିଁ। ଲୋକ ପ୍ରତିନିଧିମାନେ ମଧ୍ୟ ଗୁହାରି ଶୁଣୁନଥିବା ଅଭିଯୋଗ ହୋଇଛି। ତେଣୁ ଦଦରା ଡଙ୍ଗାରେ ମୁରାନ ଡ୍ୟାମ୍‌ ପାର ବେଳେ ବଡ ଧରଣର ଅଘଟଣ ପୂର୍ବରୁ ପ୍ରଶାସନ ପକ୍ଷରୁ ଲଞ୍ଚ କିମ୍ବା ଡଙ୍ଗା ବ୍ୟବସ୍ଥା କରିବାକୁ ବିଛିନ୍ନାଞ୍ଚଳବାସୀ ଦାବି କରିଛନ୍ତି।

ଏନେଇ ବୋରିଗୁମ୍ମା ବିଡିଓ କହିଛନ୍ତି ଯେ ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଅଧିବାସୀଙ୍କ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ବହୁ ବାର ଲିଖିତ ଦିଆଯାଇଛି। ରାଜ୍ୟସ୍ତରରେ ଏନେଇ ବ୍ୟବସ୍ଥା ଗ୍ରହଣ କରାଗଲେ ଲୋକଙ୍କୁ ସୁବିଧା ଯୋଗଇ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର