ଦୁଇ ବର୍ଷ ତଳେ ଜାମଯୋଡି ନଦୀ କୂଳରେ ଶବ ମିଳିବା ଘଟଣା: ହତ୍ୟାକାରୀ ଗିରଫ, କୋର୍ଟ ଚାଲାଣ

ବୈପାରିଗୁଡ଼ା: ଗତ ୨୦୨୦ ମସିହା ସେପ୍ଟେମ୍ବର ମାସରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଞ୍ଚଳର ମାଝିଗୁଡା ପଞ୍ଚାୟତରେ ବହି ଯାଉଥିବା ଜାମଯୋଡି ନଦୀ କୂଳରୁ ଗୋଟିଏ ଶବ ପୋଲିସ ଉଦ୍ଧାର କରିଥିଲା। ତେବେ ଶବଟି ଶଢି ଯାଇଥିବାରୁ ସଂପୂର୍ଣ୍ଣ ଭାବେ ଚିହ୍ନଟ ହୋଇପାରିନଥିଲା। ତେଣୁ ଶବଟିକୁ ବ୍ୟବଚ୍ଛେଦ କରିବା ସହ ଏକ ଅପମୃତ୍ୟୁ ମାମଲା ପୁଲିସ ରୁଜୁ କରିଥିଲା। କିନ୍ତୁ ଶବଟି କାହାର ତାହା ଚିହ୍ନଟ ହୋଇ ପାରିନଥିଲା। ତେବେ ପୁଲିସ ଏସଂପର୍କରେ ତଦନ୍ତ ଜାରି ରଖିଥିବା ବେଳେ ଉତ୍ତର ପ୍ରଦେଶର ଜଣେ ମହିଳାଙ୍କର ନିଜ ସ୍ବାମୀ ନିଖୋଜ ହୋଇଯାଇଥିବା ନେଇ ଏତଲା ଦେବା ପରେ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଛି ଏବଂ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।

ପୁଲିସ ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶର ୟୁନାଓ ଜିଲ୍ଲାର ଶିବ ପ୍ରକାଶଙ୍କ ଶବ ବୋଲି ଜଣାପଡିଛି। ମୃତ ଶିବ ପ୍ରକାଶଙ୍କ ପତ୍ନୀ ପୁଲିସରେ ଦେଇଥିବା ତଥ୍ୟ ଅନୁଯାୟୀ ଏବଂ ଡିଏନଏ ରିପୋର୍ଟକୁ ଆଧାର କରି ଶବଟି ଶିବ ପ୍ରକାଶଙ୍କ ବୋଲି ନିଶ୍ଚିତ ହେବା ପରେ ତଦନ୍ତ ପ୍ରକ୍ରିୟା ଜୋରଦାର କରିଥିଲେ ଏବଂ ହତ୍ୟାକାରୀ ପାଖରେ ପହଞ୍ଚି ପାରିଥିଲେ। ସମସ୍ତ ପରିସ୍ଥିତିକୁ ଆଧାର କରି ଭାଟିଗୁଡା ଗ୍ରାମର ଚନ୍ଦ୍ର ଖୋସଲା ହତ୍ୟାକାରୀ ଜାମଯୋଡି ନଦୀ କୂଳରେ ଫୋପାଡି ଦେଇଥିବା ଜଣାପଡ଼ିଥିଲା।ଭାଟିଗୁଡା ଗ୍ରାମର ଚନ୍ଦ୍ର ଖୋସଲା ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ବୋଲି ଜାଣିବା ପରେ ପୋଲିସ ତାକୁ ଅଟକ ରଖି ପଚରାଉଚରା କରିଥିଲା। ଚନ୍ଦ୍ର ପୋଲିସ ନିକଟରେ ଶିବ ପ୍ରକାଶଙ୍କ ହତ୍ୟା କରିଥିବା ସ୍ବୀକାର କରିବା ପରେ ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସଆଇ କୃଷ୍ଣ ଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର