ବୀରମହାରାଜପୁର/ସୋନପୁର/ସୁବଳୟା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଫୁଲଚରା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗାଁର ସୁରଥ ନାଏକ (୫୫)ଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଅଟକ ଥିବା ୩ ଜଣଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ନିରାକାର ଖଣ୍ଡାୟତକୁ ଶୁକ୍ରବାର ପୁଲିସ କୋର୍ଟ ଚାଲାଣ କରିଛି। ଅନ୍ୟ ଦୁଇ ଅଭିଯୁକ୍ତ ବିଜେଡି ନେତା ତଥା ପୂର୍ବ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଞ୍ଜିତ ରଥ ଓ ମୁଖ୍ୟ ଅଭିଯୁକ୍ତର ଭାଇ ଶୋଭକର ଖଣ୍ଡାୟତଙ୍କୁ ଥାନାରୁ ଛାଡ଼ି ଦେଇଛି। ଏନେଇ ଶୁକ୍ରବାର ରାତିରେ ବୀରମହାରାଜପୁର ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି।
ଶ୍ରୀ ଛତ୍ରିଆଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ନିରାକାର ଖଣ୍ଡାୟତ ଓ ମୃତ ସୁରଥଙ୍କ ପରିବାର ଗତ ପ୍ରାୟ ୩୦ ବର୍ଷ ହେଲା ଜମି ବିବାଦ ରହିଛି। ମୃତ ସୁରଥଙ୍କ ପୁତୁରା ଅଭିଯୁକ୍ତର ନାବାଳିକା ଝିଅକୁ ଅପହରଣ କରିଲା। ପୁଣି ସାନ ଝିଅକୁ ମଧ୍ୟ ଉଠେଇ ନେବାକୁ ଧମକ ଦେଉଥିବାରୁ ସୁରଥଙ୍କୁ ହତ୍ୟା କରିବା ପାଇଁ ନିରାକାର ମନସ୍ଥ କରିଥିଲା। ଗତ ୧୦ ତାରିଖ ସନ୍ଧ୍ୟାରେ ନିରାକାର ଓ ସୁରଥଙ୍କ ମଧ୍ୟରେ ଫୁଲଚରା ଛକଠାରେ ଯୁକ୍ତିତର୍କ ହୋଇଥିଲା। ନିରାକାର ସେଠାରୁ ଘରକୁ ଫେରି ପୁଣି ସୁରୁବାଳି ଯୋରକୁ ଶୌଚ ହେବା ବାହାନାରେ ଯାଇ ନିଛାଟିଆ ସ୍ଥାନରେ ଛକି ରହିଥିଲା। ସୁରଥ ଶୌଚ ସାରି ଫେରୁଥିବା ସମୟରେ ହଠାତ କାନ୍ଧରେ ଧରିଥିବା ଗାମୁଛାକୁ ନିରାକାର ଭିଡ଼ି ଧରି ତଣ୍ଟି ଚିପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ସୁରଥଙ୍କ ମୃତ୍ୟୁ ହୋଇଥିଲା। ପରେ ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ନେଇ କୂଅରେ ଫିଙ୍ଗିଥିଲା।
/sambad/media/post_attachments/wp-content/uploads/2024/07/d8bed997-539e-4e14-9155-dc86dbc9bb39.jpg)
ଅଭିଯୋଗ ପରେ ଆଇଆଇସି ଶୋଭକର ସେଟ ଘଟଣାର ତଦନ୍ତ କରିଥିଲେ। ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ନିରାକାର, ପୂର୍ବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ରଥ ଓ ଶୋଭାକରଙ୍କୁ ଥାନାକୁ ଆଣି ଅଟକ ରଖିଥିଲେ। ସୁବର୍ଣ୍ଣପୁର ଏସ୍ପି ଦାୟିତ୍ବରେ ଥିବା ବଲାଙ୍ଗୀର ଏସ୍ପି ରିଷିକେଶ ଦ୍ୟାନଦେଓଙ୍କୁ ୨୪ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବୀରମହାରାଜପୁର ଗସ୍ତ ସମୟରେ ନିର୍ଦେଶ ଦେଇଥିଲେ। ସ୍ଥିତି ଅନୁଧ୍ୟାନ ପାଇଁ ପଶ୍ଚିମାଳର ଆଇଜି ହିମାଂଶୁ ଲାଲ ଗୁରୁବାର ଓ ଶୁକ୍ରବାର ବୀରମହାରାଜପୁର ଗସ୍ତରେ ଆସି ତଦନ୍ତ କିଭଳି ଭାବରେ ହେଉଛି ଅନୁଧ୍ୟାନ କରିଥିଲେ। ଅଭିଯୁକ୍ତ ନିରାକାର ଦୋଷ ସ୍ବୀକାର କରିବା ପରେ ଘଟଣାର ସିନ୍ ରିକ୍ରିଏସନ୍ କରାଯାଇଥିଲା। ତଦନ୍ତ ସମୟରେ ଶ୍ରୀ ରଥ ଓ ଶୋଭାକରଙ୍କ ସଂପୃକ୍ତି ନଥିବା ଜଣାପଡ଼ିବା ପରେ ଉଭୟଙ୍କୁ ଛାଡ଼ି ଦିଆଯାଇଥିଲା। ମୁଖ୍ୟ ଅଭିଯୁକ୍ତକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାରୁ ହୋଇଥିବା ଏସ୍ଡିପିଓ ଶ୍ରୀ ଛତ୍ରିଆ ସାମ୍ବାଦିକମାନଙ୍କୁ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/24946d54-b234-4e31-9b24-ed1909a4ced5.jpg)