ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ, ଜଙ୍ଗଲକୁ ଡାକି ହତ୍ୟା, ଅଭିଯୁକ୍ତ ଗିରଫ 

୪ ମାସ ତଳେ ମିଳିଥିଲା ଯୁବତୀଙ୍କ ଗଳିତ ଶବ

ପାଟପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଏସ୍‌.ଗୋପାଳପୁର ପଞ୍ଚାୟତ ରତନେଇ ମନ୍ଦିର ପାହାଡ଼ରେ ଗତ ମାର୍ଚ୍ଚ ୧୫ ତାରିଖରେ ବନିତା ଗୌଡ଼ (୪୦) ନାମକ ଜଣେ ଯୁବତୀଙ୍କ ଗଳିତ ଶବ ମିଳିଥିଲା। ସରପଞ୍ଚ ନିରାକାର ପ୍ରଧାନଙ୍କ ଏତଲା କ୍ରମେ ପୁଲିସ କେସ୍ ନମ୍ବର ୫ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ତଦନ୍ତ ଜାରି ରହିିଥିଲା। ଦୀର୍ଘ ୪ ମାସ ପରେ ଏହି ଘଟଣାର ରହସ୍ୟ ଉପରୁ ଆଜି ପରଦା ଉଠିଛି। ବନିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ଓ ପରେ ତାଙ୍କୁ ଜଙ୍ଗଲକୁ ଡାକି ହତ୍ୟା କରାଯାଇଥିବା ତଦନ୍ତରୁ ପ୍ରମାଣିତ ହୋଇଛି। ଆଉ ଏଥିରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ତଥା ବିବାହିତ ଆମ୍ବଗାଁ ଗ୍ରାମର ଡାକ ଭୂୟାଁ (୪୬)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲିି ଆସିକା ଏସଡିପିଓ ଉମାଶଙ୍କର ସିଂହ ଆଜି ଥାନା ପରିସ‌ରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ତଦନ୍ତରୁ ଜଣାପଡ଼ିଛି, ସୁମନ୍ତପୁର ଗ୍ରାମର ଦୁର୍ଯ୍ୟୋଧନ ଗୌଡ଼ ଓ ସୁଦଷ୍ଣାଙ୍କ ଝିଅ ବନିତାଙ୍କ ବାହାଘରରେ ବିଳମ୍ବ ହେଉଥିବାରୁ ପରିବାରବର୍ଗ ମାନସିକ ଚାପରେ ଥିଲେ। ଏହି ସମୟରେ ସେମାନେ ଅଭିଯୁକ୍ତ ଡାକର ସଂସ୍ପର୍ଶରେ ଆସି ବନିତାଙ୍କ ପାଇଁ ବାହାଘର ପ୍ରସ୍ତାବ ଯୋଗାଡ଼ କରିବାକୁ ନିବେଦନ କରିଥିଲେ। ହେଲେ ଏହା ଭିତରେ ଡାକ ନିଜେ ବନିତାଙ୍କ ଉପରେ ଖରାପ ନଜର ରଖିଥିବା କଥା ତାଙ୍କ ବାପାମାଆ ଜାଣି ପାରି ନଥିଲେ। ବନିତାଙ୍କ ବିବାହ ବିଷୟରେ ବାହାନା କରି ଡାକ ବାରମ୍ବାର ତାଙ୍କ ଘରକୁ ଆସୁଥିଲା। ଆଉ ଫୋନ୍‌ରେ ବି ବନିତାଙ୍କ ସହ କଥା ହେବା ସହ ନିଜେ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପନ କରିଥିଲା। ଏହା ଜଣାପଡ଼ିବା ସହ ଡାକ ଓ ତା’ର ପତ୍ନୀ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଫଳରେ ବନିତାଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇବାକୁ ଯୋଜନା କରିଥିଲା।

ଗତ ମାର୍ଚ୍ଚ ୮ ତାରିଖରେ ଡାକ ରତନେଇ ମନ୍ଦିରକୁ ଯିବା ଲାଗି ବନିତାଙ୍କୁ ଡାକିଥିଲା। ଡାକ କଥାରେ ବିଶ୍ବାସ କରି ବନିତା ପଡ଼ୋଶୀଙ୍କ ଘରୁ କିଛି ଗହଣା ପିନ୍ଧି ଘରୁ ବାହାରିଥିଲେ। ଡାକ ସହ ସାଇକେଲରେ ଗଙ୍ଗାପୁରରୁ ରତନେଇ ପାହାଡ଼ ପର୍ଯ୍ୟନ୍ତ ଯାଇଥିଲେ। ଡାକ ପାହାଡ଼ ତଳେ ସାଇକେଲ୍ ରଖିଥିଲା। ମନ୍ଦିର ରାସ୍ତାରେ ଉଭୟ ଚାଲି ଚାଲି ଜଙ୍ଗଲ ଭିତରକୁ ଯାଇଥି‌ଲେ। ସେଠାରେ ଡାକ ଶାରୀରିକ ସମ୍ପର୍କ ସ୍ଥାପନ ପରେ ବନିତାଙ୍କୁ ଏକ ରଶିରେ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ। ସେ ପିନ୍ଧିଥିବା ଅଳଙ୍କାରକୁ ନିଜ ଘରେ ନେଇ ପୋତି ଦେଇଥିଲା। ଏହାପରେ ୧୫ ତାରିଖରେ ବନିତାଙ୍କ ଗଳିତ ଶବ ମିଳିଥିଲା। ବାପାମାଆ ତାଙ୍କ ଶବକୁ ଚିହ୍ନଟ କରିଥିଲେ। ଏନେଇ କେସ ନମ୍ବର ୨୨୬ ଅନୁସାରେ ହତ୍ୟା ମାମଲା ରୁଜୁ ସହ ଡାକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତା’ଠାରୁ ବନିତାଙ୍କ ଅଳଙ୍କାର ଓ ମୋବାଇଲ୍ ଜବତ ହୋଇଛି। ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର