ମହଙ୍ଗା ପଡ଼ିଲା ସ୍ତ୍ରୀ ସହ ଅନୈତିକ ସଂପର୍କ; ଠେଙ୍ଗାରେ ପିଟି ହତ୍ୟା ପରେ ମୃତଦେହ ପୋଡିଦେଲା ବନ୍ଧୁ

ସାଙ୍ଗ ନେଲା ସାଙ୍ଗର ଜୀବନ: ୧୦ ଦିନ ପରେ ଜଙ୍ଗଲରୁ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର

ରାୟଗଡ଼ା: ପରକୀୟା ପ୍ରୀତିକୁ ନେଇ ସାଙ୍ଗକୁ ହତ୍ୟା କରିଛି ସାଙ୍ଗ। ମଦ ପିଆଇ ଠେଙ୍ଗାରେ ପିଟି ପିଟି ମାରିଦେବା ପରେ ମୃତଦେହକୁ କିରୋସିନି ଢ଼ାଳି ପୋଡ଼ି ଦେଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଚାନ୍ଦିଲି ଥାନା ଗୁରୁମଗୁଡା ଗ୍ରାମରେ। ପୁଲିସ୍ ଅଭିଯୁକ୍ତ ନାଗା ସିମିଡିପିଲିକୁ ଗିରଫ କରିବା ସହ ହତ୍ୟାକାଣ୍ଡର ଶିକାର ସୁରେଶ ମେଲେକାର ଗଳିତ ମୃତଦେହର ନମୁନା ଡିଏନଏ ଟେଷ୍ଟ ପାଇଁ ପଠାଇଛି।

ପୁଲିସ୍ ସୂଚନା ମୁତାବକ, ଗୁରୁମଗୁଡା ଗ୍ରାମରେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ସୁରେଶ ମେଲେକା ନିଜ ବନ୍ଧୁ ନାଗା ସିମିଡିପିଲିଙ୍କ ସ୍ତ୍ରୀ ସହ ଅନୈତିକ ସଂପର୍କ ରଖିଥିଲା। ଏ ସଂପର୍କରେ ନାଗା ସିମିଡିପିଲି ଜାଣିବା ପରେ ଅନୈତିକ କାର୍ଯ୍ୟକଳାପରୁ ନିବୃତ୍ତ ରହିବା ପାଇଁ ସୁରେଶଙ୍କୁ ଚେତାବନୀ ଦେଇଥିଲେ। ଏପରିକି ଗତ କିଛି ଦିନ ତଳେ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡା ପରେ ପ୍ରତିଷୋଧ ପରାୟଣ ହୋଇ ପଡିଥିବା ନାଗା ସବୁ ଦିନ ପାଇଁ ସୁରେଶକୁ ରାସ୍ତାରୁ ହଟାଇ ଦେବା ପାଇଁ ଯୋଜନା କରିଥିଲା।

ଜୁଲାଇ ୭ ତାରିଖରେ ନାଗା ଯୋଜନା ମୁତାବକ ସୁରେଶଙ୍କୁ ମଦ ପିଇବା ପାଇଁ ମାଲିଗାଁକୁ ଡାକି ନେଇଥିଲା। ଦୁହେଁ ମିଶି ମଦ ପିଇବା ପରେ ଜଙ୍ଗଲ ରାସ୍ତା ଦେଇ ଘରକୁ ଫେରୁଥିଲେ। ନିଛାଟିଆ ଜଙ୍ଗଲରେ ହଠାତ୍ ଏକ ଠେଙ୍ଗା ସାହାର୍ଯ୍ୟରେ ନାଗା ସୁରେଶକୁ ଆକ୍ରମଣ କରିଥିଲା। ପିଟି ପିଟି ହତ୍ୟା କରିବା ପରେ ସୁରେଶର ମୃତ‌ଦେହକୁ ନାଗା ଜଙ୍ଗଲ ଭିତରକୁ ଟାଣି ନେଇ କିରୋସିନି ଢ଼ାଳି ପୋଡ଼ି ଦେଇଥିଲା। ଘଟଣା ପରେ ନାଗା ଘରକୁ ଫେରି ଆସିଥିଲେ ମଧ୍ୟ ବହୁ ଦିନ ଧରି ସୁରେଶ ଘରକୁ ଫେରିନଥିଲା।

ପରିବାର ଲୋକ ବହୁ ଖୋଜାଖୋଜି କରି ନ ପାଇବା ପରେ ନାଗା ଉପରେ ସନ୍ଦେହ କରି ଚାନ୍ଦିଲି ଥାନାରେ ଅଭିଯୋଗ କରିଥିଲେ। ଚାନ୍ଦିଲି ପୁଲିସ୍ ନାଗାକୁ ଉଠାଇ ନେଇ ପଚରା ଉଚରା କରିବା ପରେ ଘଟଣାର ୧୦ ଦିନ ପରେ ହତ୍ୟାକାଣ୍ଡ ଉପରୁ ପରଦା ହଟିଥିଲା। ସୁରେଶକୁ ହତ୍ୟା କରିଥିବା ନାଗା ସ୍ବୀକାର କରିବା ପରେ ପୁଲିସ୍ ଆଜି ସାଇଣ୍ଟିଫିକ୍ ଟିମ୍ ସହ ନାଗାକୁ ଘଟଣାସ୍ଥଳକୁ ନେଇ ହତ୍ୟାକାଣ୍ଡର ସିନ୍ ରିକ୍ରିଏଟ୍ କରିଛି। ଏଥି ସହିତ ଘଟଣାସ୍ଥଳରୁ ସୁରେଶର ଖପୁରୀ, ହାଡ଼, ଲୁଗାପଟାକୁ ଜବତ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଓ କିରୋସିନି ମଧ୍ୟ ଜବତ ହୋଇଛି। ପୁଲିସ୍ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ମୃତଦେହର ନମୁନା ଡିଏନଏ ପରୀକ୍ଷା ପାଇଁ ପଠାଯିବ ବୋଲି କହିଛନ୍ତି ଏସଡିପିଓ ଦିବ୍ୟଜ୍ୟୋତି ଦାଶ। ଚାନ୍ଦିଲି ଥାନା ଏସଆଇ ଭାସ୍କର ମିଣିଆକା ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର