ବିଧବା ଭଉଣୀ ସମ୍ମୁଖରେ ଭାଇଙ୍କୁ ଫାର୍ସା ଚୋଟ, ଅଭିଯୁକ୍ତ ଗିରଫ

ବାମରା: ସମ୍ବଲପୁର ଜିଲ୍ଲା ସୀମାନ୍ତ ସୁନ୍ଦରଗଡ଼ ଧାରୁଆଡିହି ଥାନା ଅନ୍ତର୍ଗତ କୁଅଁରମାଲ ଗାଁରେ ବୁଧବାର ଅପରାହ୍‌ଣରେ ପ୍ରାୟ ୪ଟାରେ ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ତୁଲାରାମ ନାଏକ (୬୭)। ଏହି ଘଟଣାରେ ପୁଲିସ ଜଣକୁ ଅଟକ ଅଟକ ରଖି ପଚରାଉଚରା ଚଳାଇଛି।

ପୁଲିସ ସୂଚନା ଅନୁଯାୟୀ କୁଅଁରମାଲ ଗ୍ରାମର ତୁଲାରାମ ବୁଧବାର ଅପରାହ୍‌ଣରେ ଖିଆପିଆ ସାରି ନିଜ ଘରକୁ ଲାଗି ଥିବା ଖାଲି ଜାଗାରେ କିଛି ଭଙ୍ଗା(ଟୁକୁଡ଼ା) ଇଟା ଦେଇ ଛୋଟିଆ ବାଡ଼ ତିଆରି କରୁଥିଲେ। ଶୋଷ ଲାଗିବାରୁ ସେ ତାଙ୍କ ସହ ରହୁଥିବା ବିଧବା ସାନ ଭଉଣୀ ସୁକାନ୍ତି(୬୦)କୁ ପିଇବା ପାଇଁ ପାଣି ମାଗିଥିଲେ। ସେ ପାଣି ଧରି ଆସୁଥିବା ବେଳେ ତାଙ୍କ ସମ୍ମୁଖରେ ପଡ଼ୋଶୀ ଦୁବରାଜ ପ୍ରଧାନ (୫୦) ଏକ ଫାର୍ସା(ତାବଲି)ରେ ତୁଲାରାମଙ୍କୁ ଅତର୍କିତ ଭାବେ ୩-୪ ଚୋଟ ପକାଇଥିଲେ। ଏଥିରେ ବୃଦ୍ଧ ଜଣକ ସେହି ଜାଗାରେ ହିଁ ଟଳି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ଘଟଣା ଘଟାଇବା ପରେ ଅଭିଯୁକ୍ତ ଦୁବରାଜ ସେଠାରୁ ଫେରାର ହୋଇଯାଇଥିଲା। ଏହି ଘଟଣା ସମୟରେ ଏହି ସମୟରେ ତୁଲାରାମଙ୍କ ଏକମାତ୍ର ପୁଅ ରଂଜନ (୪୨)ଙ୍କ ମାମୁଁ ଘର ମହୁଲପାଲି ଥାନା ଅନ୍ତର୍ଗତ ରଙ୍ଗବତୀ ବିଲୁଙ୍ଗ ଗାଁରେ ଥିଲେ।

ଖବରପାଇ ଧାରୁଆଡିହି ଥାନାର ସବଇନ୍‌ସପେକ୍ଟର ଅଭୟ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଅଭିଯୁକ୍ତ କୁହାଯାଉଥିବା ଦୁବରାଜକୁ ତାଙ୍କ ଘରୁ କାବୁ କରିଥିଲା। ଧାରୁଆଡିହି ଥାନା ଅଧିକାରୀ ଏମ୍ ଏମ୍ ନାୟକ ଓ ସୁନ୍ଦରଗଡ଼ ସାଇଇଣ୍ଟିଫିକ୍‌ ଟିମ ଅନୁସନ୍ଧାନ କରିବାକୁ କୁଅଁରମାଲ ଗାଁରେ ପହଞ୍ଚିଥିବା ଜଣାପଡ଼ିଛି। ମୃତକଙ୍କ ପୁଅ ରଂଜନଙ୍କ ଏତଲାକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଛି। ରଂଜନଙ୍କ ଅଭିଯୋଗ ଅନୁଯାୟୀ କୁଅଁରମାଲ ଗ୍ରାମର ଦୁବରାଜଙ୍କ ବାପା ଗତ ପ୍ରାୟ ୪୦ ବର୍ଷ ତଳେ ନିଜ ଘରକୁ ଲାଗି ରହିଥିବା ୮ ଡିସିମିଲ ଜମିକୁ ପଡ଼ୋଶୀ ତୁଲାରାମଙ୍କୁ ହସ୍ତାନ୍ତର କରିଥିଲେ। ମାତ୍ର ଉକ୍ତ ଜମି କାରବାରରେ ପଟ୍ଟା କିମ୍ବା ଅନ୍ୟ କୌଣସି କାଗଜପତ୍ର ହୋଇ ନ ଥିଲା। ଏହାକୁ ନେଇ ଉଭୟ ପଡ଼ୋଶୀଙ୍କ ମଧ୍ୟରେ ବିବାଦ ରହିଥିଲା। ବୁଧବାର ଦୁବରାଜ ପ୍ରତିଶୋଧ ପରାୟଣ ହୋଇ ଏପରି କରିଥିବା କୁହାଯାଉଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର