ବାରିପଦା: ବଡ଼ସାହି ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ବାଗାନସାହିରେ ୨୦୧୭ ଜାନୁୟାରି ମାସରେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ଆଜି ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ୍ ସଞ୍ଜୟ ରଞ୍ଜନ ବହିଦାର। ଦୁଲାରୀ ମାଝୀ(୫୫) ନାମକ ଜଣେ ମହିଳାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ରୁହ୍ୟା ହାଁସଦା (୪୧)ଓରଫ୍ ମାଝୀକୁ ଆଜୀବନ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ୍। ଏହାସହିତ ଅଭିଯୁକ୍ତକୁ ୧୦ହଜାର ଟଙ୍କା ଜରିମାନା ରାଶି ଜମା କରିବାକୁ ରାୟ ହୋଇଛି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ଜେଲ ଦଣ୍ଡ ରାୟ ହୋଇଛି।
ନରଣପୁରର ରୁହ୍ୟା ଦୁଲାରୀଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଦିନ ଦ୍ବିପ୍ରହରରେ ଘଟିଥିବା ଏହି ହତ୍ୟାକାଣ୍ଡ ସମ୍ପର୍କରେ ଖୋଦ୍ ଅଭିଯୁକ୍ତ ହିଁ ସୂଚନା ଦେଇଥିଲା। କୁରାଢ଼ୀରେ ହାଣି ଦୁଲାରୀଙ୍କୁ ହତ୍ୟା କରାଯାଇଥିବା ପୁଲିସ୍ ପକ୍ଷରୁ ପ୍ରକାଶ। ଗୁଣିଗାରେଡି କରି ତାଙ୍କ ମା’ର ମୃତ୍ୟୁର କାରଣ ପାଲଟିଥିବା ସନ୍ଦେହ କରି ଅଭିଯୁକ୍ତ ରୁହ୍ୟା ଦୁଲାରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ବିଚାର ବେଳେ ରୁହ୍ୟାକୁ ଗୁଣି ଗାରେଡ଼ି ସନ୍ଦେହଜନିତ ହତ୍ୟାରୁ ଦୋଷମୁକ୍ତ କରାଯାଇଥିଲେ ମଧ୍ୟ ଦୁଲାରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦଫା ୩୦୨ରେ ଆଜୀବନ କାରାଦଣ୍ଡାଦେଶ ରାୟ ପ୍ରଦାନ କରିଛନ୍ତି ଜିଲ୍ଲା ଦୌରାଜଜ୍। ଅଭିଯୁକ୍ତକୁ ୩୧ ଜାନୁୟାରି, ୨୦୧୭ରେ ଗିରଫ କରାଯାଇଥିବା ପୁଲିସ୍ ସୂତ୍ରରୁ ପ୍ରକାଶ। ହତ୍ୟାକାଣ୍ଡ ପରଠାରୁ ହିଁ ଅଭିଯୁକ୍ତ ଜେଲ୍ରେ ରହିଛି। ଏହି ହତ୍ୟା ଘଟଣାରେ ଏକ କୁରାଢ଼ୀ ଜବତ କରିଥିଲା ପୁଲିସ୍। ମୃତକଙ୍କ ସ୍ବାମୀ ଶିବଶଙ୍କର ମାଝୀଙ୍କ ଅଭିଯୋଗକ୍ରମେ ବଡ଼ସାହି ଥାନାରେ ଏକ ମାମଲା ରୁଜୁ ହୋଇଥିଲା।