ପୁଇଗୁଡ଼ା ନଦୀପଠାରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ସଢ଼ୁକୁ କୋର୍ଟଚାଲାଣ

ଟଙ୍କା ଦିଆନିଆରୁ ଗଣ୍ଡଗୋଳ ଓ ହତ୍ୟାକାଣ୍ଡ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବିଜେପୁର ଥାନା ପୁଇଗୁଡ଼ା ରାଜୁ ମାଝୀ ହତ୍ୟା ମାମଲାର ଅଭିଯୁକ୍ତ ପାହାଡ଼ପଦର ଗାଁର ଆନନ୍ଦ ହରିଜନ(୪୩ବର୍ଷ)କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଆନନ୍ଦ ମୃତ ରାଜୁଙ୍କ ବଡ଼ସଢୁ ବୋଲି ଜଣାପଡ଼ିଛି। ଟଙ୍କା ଦିଆନିଆରୁ ଗଣ୍ଡ‌ଗୋଳ ଘଟି ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ତଦନ୍ତରୁ ଜାଣିପାରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ବିଜେପୁର ପଞ୍ଚାୟତ ତଲକାଲିମା ଗାଁର ରାଜୁ ମାଝୀ (୩୯ବର୍ଷ) ଗତ ରବିବାରରୁ ନିଖୋଜ ଥିଲେ। ଗତ ୭ ତାରିଖ ଦିନ ପୁଇଗୁଡ଼ା ନିକଟସ୍ଥ ନଦୀପଠାରେ ତାଙ୍କର ତଣ୍ଟି କଟାଯାଇଥିବା କ୍ଷତବିକ୍ଷତ ଶବ ମିଳିଥିଲା। ପୁଲିସ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା। ଏସ୍‌ପି ଡା. ଶ୍ରବଣା ବିବେକ୍ ଏମ୍.ଙ୍କ ନେତୃତ୍ୱରେ ଏଏସ୍‌ପି ବିଜୟ ନନ୍ଦ, କେସିଙ୍ଗା ଏସଡିପିଓ ଏସ୍. ସୁଶ୍ରୀ, ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୋଲ୍‌ହାରସଙ୍କ ସହିତ ଏକ ଟିମ୍ ଗଠନ କରି ତଦନ୍ତ ପ୍ରକ୍ରିୟା ଜାରି ରହିଥିଲା। ତଦନ୍ତ ସମୟରେ ମୃତ ରାଜୁଙ୍କ ସ୍ତ୍ରୀ ତାଙ୍କର ଭିଣୋଇ ଅର୍ଥାତ୍ ରାଜୁଙ୍କ ବଡ଼ସଢୁ ଆନନ୍ଦଙ୍କ ସହିତ ତାଙ୍କର ଟଙ୍କା ଦେଣନେଣକୁ ନେଇ ମନୋମାଳିନ୍ୟ ଥିବା ସୂଚନା ଦେଇଥିଲେ। ଏହି ସୂଚନା ଆଧାରରେ ଆନନ୍ଦଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରିଥିଲା ଏବଂ ଅଭିଯୁକ୍ତ ହତ୍ୟା କରିଥିବା ସ୍ବୀକାର କରିଥିଲା।

ଆନନ୍ଦର କହିବା ଅନୁସାରେ, ଗତ ୪ ତାରିଖ ଦିନ ରାଜୁ ତାଙ୍କୁ କେ.ସିଂପୁରକୁ ଡକାଇଥିଲେ। ସେଠାରେ ଉଭୟେ ମଦ ପିଇବା ପରେ ସାମାନ୍ୟ ପାଟିତୁଣ୍ଡ ହେବାରୁ ରାଜୁ ନିଜ ଟଙ୍କା ଆନନ୍ଦକୁ ମାଗିଥିଲେ। ଆନନ୍ଦ ପରେ ଦେବ ବୋଲି କହିଥିଲା। ଏହା ପରେ ୩ଟି  ବିୟର ବୋତଲ ଧରି ରାଜୁର ବାଇକ୍‌ରେ ପୁଇଗୁଡ଼ା ନଦୀପଠାକୁ ଡାକିନେଇ ସେଠାରେ ଉଭୟେ ମିଶି ବିୟର ପିଇଥିଲେ। ସେଠାରେ ବକେୟା ଥିବାର ୫ ହଜାର ଟଙ୍କାକୁ ନେଇ ପୁଣି ଗଣ୍ଡଗୋଳ ହୋଇଥିଲା। ରାଜୁ ରାଗିଯାଇ ଏକ ଛୁରିରେ ଆନନ୍ଦକୁ ମାରିବାକୁ ଉଦ୍ୟତ ହେବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରାଜୁ ତଳେ ପଡ଼ିଯିବାରୁ ଛୁରି ମଧ୍ୟ ହାତରୁ ଖସିଯାଇଥିଲା। ଏହାର ସୁଯୋଗ ନେଇ ଆନନ୍ଦ ସେଇ ଛୁରିରେ ରାଜୁଙ୍କ ତଣ୍ଟି କାଟିଦେଇ ନଦୀ ତଳକୁ ଠେଲିଦେଇ ଛୁରିଟିକୁ ଏକ ବୁଦାରେ ଲୁଚାଇ ଦେଇଥିଲା। ସେଠାରୁ ରାଜୁଙ୍କ ବାଇକ୍‌ ନେଇ କେ.ସିଂଙ୍ଗପୁରରେ ଛାଡ଼ିଦେଇ ପାହାଡ଼ପଦର ନିଜ ଗାଁକୁ ପଳାଇଥିଲା। ଘରକୁ ଯାଇ ସେ କିଛି ଜାଣିନଥିବା ଭଳି ଘରେ ରହିଥିଲା। ଏ ନେଇ ବିଜେପୁର ଥାନା କେସ୍ ନଂ ୧୨/୨୧ରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ରବିବାର କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର