ଧାରୁଆ ଅସ୍ତ୍ରରେ ତଣ୍ଟିକାଟି ନବବଧୂଙ୍କୁ ହତ୍ୟା

ଯାଜପୁର: ଯାଜପୁର ଜିଲ୍ଲା ବିନ୍‌ଝାରପୁର ବ୍ଲକ୍‌ ଅନ୍ତର୍ଗତ ବାଙ୍ଗରା ଗ୍ରାମ ଗୁଣ୍ଡିରିପଡ଼ା (ବିଲସାହି)ରେ ରବିବାର ବିଲମ୍ବିତ ରାତିରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏହି ଗ୍ରାମରେ ଜଣେ ନବବଧୂଙ୍କୁ ଶାଶୁଘର ଲୋକ ଧାରୁଆ ଅସ୍ତ୍ରରେ ତଣ୍ଟିକାଟି ହତ୍ୟା କରିଥିବା ଖବର ମିଳିଛି। ଏନେଇ ସୋମବାର ବିନ୍‌ଝାରପୁର ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳା ଉକ୍ତ ଗ୍ରାମର ଦିଗମ୍ବର ଦଳେଇଙ୍କ ସ୍ତ୍ରୀ ରୀତା ଦଳେଇ (୨୭) ବୋଲି ଜଣାପଡ଼ିଛି।

ମୃତ ମହିଳା ରୀତାଙ୍କ ଭାଇଙ୍କ କହିବାନୁସାରେ, ଏଭଳି ଅମାନୁଷିକ କାଣ୍ଡ ରୀତାର ଶାଶୁଘର ଲୋକ ଯୌତୁକ ଲୋଭରେ ଘଟାଇଛନ୍ତି। ତିନିବର୍ଷ ତଳେ ରୀତି ଦିଗମ୍ବରକୁ ବିବାହ କରିଥିଲେ। ଦିଗମ୍ବର ଗୁଜୁରାଟରେ ରହି କାମ କରନ୍ତି। ଯୌତୁକ ପାଇଁ ଶାଶୁଘରଲୋକ ରୀତାଙ୍କୁ ଅନେକ ସମୟରେ ନିର୍ଯାତନା ଦେଇ ଆସୁଥିଲେ। ଶେଷରେ ତାର ଗଳା କାଟି ହତ୍ୟା କରିବାକୁ ବି ପଛାଇ ନାହାନ୍ତି। ଏହି ହତ୍ୟା ସମ୍ପର୍କରେ ଖବର ପାଇ ବିନ୍‌ଝାରପୁର ଥାନା ଅଧିକାରୀ ଶିବଚରଣ ବେହେରା ଓ ଯାଜପୁର ଏସ୍‌ଡିପିଓ ରବୀନ୍ଦ୍ର କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର