ଲକଡାଉନ ଛଡ଼ାଇ ନେଲା ଶଙ୍ଖା ସିନ୍ଦୁର; ବେକରେ ଗାମୁଛା ବାନ୍ଧି ଜଳଖିଆ ଦୋକାନୀଙ୍କ ମୃତ୍ୟୁ

ବାଲିଅନ୍ତା: ମହାମାରୀ କରୋନା ସଂକ୍ରମଣ ମୃତ୍ୟୁ ଯନ୍ତ୍ରଣା ଠାରୁ ଏବେ ଲକଡାଉନ କଷ୍ଟ ବଳିପଡ଼ିଛି। ଲକଡାଉନ କଟକଣା ଭିତରେ ରୋଜଗାର ହରାଇବାରୁ ମାନସିକ ଭାରସାମ୍ୟ ହରାଇ ଶେଷରେ ଜଣେ ବ୍ୟବସାୟୀ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ଲକଡାଉନ ଛଡ଼ାଇ ନେଇଛି, ତାଙ୍କ ପତ୍ନୀଙ୍କ ଶଙ୍ଖା ଓ ସିନ୍ଦୁର। ଏଭଳି ଦୁଃଖଦ ଘଟଣା ଘଟିଛି, ବାଳକାଟି ଫାଣ୍ଡି ଅଧୀନ ଅଠରଘରିଆ ସାହିରେ। ମୃତକ ହେଲେ ଗଙ୍ଗାଧର ସାହୁଙ୍କ ବଡ଼ପୁଅ ସହଦେବ ସାହୁ (୩୫)। ସାବିତ୍ରୀ ଅମାବାସ୍ୟା ପରଦିନ ସକାଳେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ଝୁଲନ୍ତା ଅବସ୍ଥାରେ ଥିବା ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ଅପରାହ୍ନରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ନଂ ୨୫/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ସହଦେବଙ୍କ ମୃତ୍ୟୁରେ ତାଙ୍କ ପରିବାର ପୂରା ନିସହାୟ ହୋଇପଡ଼ିଛନ୍ତି। ବାପ ଛେଉଣ୍ଡ ହୋଇଯାଇଛନ୍ତି ତାଙ୍କର ଦୁଇ ଛୋଟ ଛୋଟ ପୁଅ ଝିଅ। ୬୫ ବର୍ଷର ବୃଦ୍ଧ ବାପା ଓ ମା’ ନୟନା ସାହୁ ପୂରା ହତବାକ ହୋଇପଡ଼ିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ଖବର ପାଇବା ପରେ ପତ୍ନୀ ଜ୍ୟୋତ୍ସ୍ନାରାଣୀ ସାହୁ ଚେତାଶୂନ୍ୟ ହୋଇପଡ଼ିଥିଲେ। ଦୀର୍ଘ ସମୟ ଧରି ଚେତା ନଆସିବାରୁ ପଡ଼ୋଶୀମାନେ ଗୁରୁତର ଅବସ୍ଥାରେ ତାଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ୧ ଘଣ୍ଟା ଚିକିତ୍ସିତ ହେବା ପରେ ତାଙ୍କର ଚେତା ଫେରିଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ ସହଦେବ ଥିଲେ ଘରର ଏକମାତ୍ର ରୋଗାରକ୍ଷମ ବ୍ୟକ୍ତି।

ସ୍ଥାନୀୟ ଭାର୍ଗବୀ ବ୍ରିଜ ନିକଟରେ ତାଙ୍କର ଏକ ଜଳଖିଆ ଦୋକାନ ରହିଛି। କେବଳ ଜଳଖିଆ ଦୋକାନଟି ଥିଲା ପରିବାରର ଭାତହାଣ୍ଡି। ଚା’ ଜଳଖିଆ ବିକ୍ରି କରି ଯାହା ରୋଜଗାର ହେଉଥିଲା, ସେଥିରେ ୬ ଜଣ ସଦସ୍ୟ ଦୁଃଖକଷ୍ଟେ ଚଳିଯାଉଥିଲେ। ହେଲେ ଗତବର୍ଷ କରୋନା ଲକଡାଉନ ବେଳେ ଦୋକାନ ବନ୍ଦ ରହିବା ଯୋଗୁ ପରିବାର ରୋଜଗାର ବନ୍ଦ ହୋଇଯାଇଥିଲା। ପରିବାର ଚଳାଇବା ପାଇଁ ଉକ୍ତ ବଜାରରେ ଏକ ତେଜରାତି ଦୋକାନରେ କାମ କରୁଥିଲେ । ସେଠାରେ କାମ କରି ଯାହାକିଛି ଦରମା ମିଳୁଥିଲା, ସେଥିରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିବାରୁ ସେ ଘରୋଇ ଅର୍ଥ ଲଗାଣ ସଂସ୍ଥାଠାରୁ ୫୦ ହଜାର ଟଙ୍କା ଓ ହାତ ଉଧାର କରି ପୁଣି ବ୍ୟବସାୟ ଆରମ୍ଭ କରିଥିଲେ।

ଏପଟେ ଋଣଅର୍ଥ ଶୁଝିପାରି ନଥିବା ବେଳେ ପୁଣି କରୋନା ଲକଡାଉନ ଯୋଗୁ ସେ ଆର୍ଥିକ ଅନଟମ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଆଜି ଭୋର ୪ଟା ସମୟରେ ମା’ଙ୍କୁ ନଈକୁ ଗାଧୋଇ ଯାଉଛି କହି ପଳାଇଥିଲେ। ହେଲେ ସେ ଆଉ ଘରକୁ ନଫେରି ବେକରେ ଗାମୁଛା ବାନ୍ଧି ଘର ଲୁହା ଆଙ୍ଗଲରେ ଝୁଲିପଡ଼ିଥିଲେ । ବଡ଼ କଥା ହେଉଛି, ଲକଡାଉନ କଷ୍ଟ ଅସହ୍ୟ ହେବାରୁ ସହଦେବଙ୍କ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ନକରାଯିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଖୋର୍ଧା ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର