ଦଧିମାଛ ଗାଡ଼ିଆ ଗୁଳିକାଣ୍ଡ ମାମଲା; ଦୀର୍ଘ ୧ ବର୍ଷ ପରେ ଧରାପଡ଼ିଲା ଆଉ ଜଣେ ଅଭିଯୁକ୍ତ

ଖୋର୍ଦ୍ଧା: ୧୪ ଜୁନ୍ ୨୦୨୦ରେ ଖୋର୍ଦ୍ଧା ସଦର ଥାନା ଅଧୀନ ଦଧିମାଛଗାଡ଼ିଆ ଠାରେ ଲାଲା ପ୍ରଧାନ ଓରଫ ଲାଲାକୁ ଘରୁ ଡାକି ଅତି ନିର୍ମମ ଭାବେ ୬ ରାଉଣ୍ଡ ଗୁଳି କରି ହତ୍ୟା କରିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବେ ୩ ଜଣ ଧରାପଡ଼ିଥିବା ବେଳେ ଆଜି ଆଉଜଣେ ଅଭିଯୁକ୍ତ ଧରାପଡ଼ିଛି। ଅଭିଯୁକ୍ତ ନିକଟରୁ ଏକ ପିସ୍ତଲ ଓ ୪ଟି ଅଫୁଟା ଗୁଳି ଜବତ କରାଯାଇଛି।

ସୂଚନାନୁସାରେ, ଲାଲା ଗୁଳିକାଣ୍ଡ ଘଟଣାରେ ୬ ଜଣ – ବିଶ୍ୱରଂଜନ ଜେନା ଓରଫ ପେମା, ରାଜା ଦଳେଇ, ବାବୁ ମାଝି, ସଂଜୟ ବେହେରା ଓରଫ ଗୁଡ଼ୁ, ସଂଜୟ ପାତ୍ର ଓ ମନୋରଂଜନ ସାହୁ ଓରଫ ମିକି ସମ୍ପୃକ୍ତ ଥିଲେ। ତେବେ ଲାଲାକୁ ପେମା, ରାଜା ଓ ଅନ୍ୟ ଜଣେ ସହଯୋଗୀ ଗୁଳି କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିବା ଜଣାପଡ଼ିଥିଲା। ହତ୍ୟାକାଣ୍ଡ ପରେ ସମସ୍ତ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ। ଏହି ଘଟଣା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଫେରାର୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସ୍‌ଡ଼ିପିଓ ସୁଶୀଲ କୁମାର ମିଶ୍ରଙ୍କ ନେତୃତ୍ୱରେ ୩ଟି ଟିମ୍ ଗଠନ କରାଯାଇ ଅନୁସନ୍ଧାନ ଆରମ୍ଭ ହୋଇଥିଲା।

ଅନୁସନ୍ଧାନର କିଛି ମାସ ମଧ୍ୟରେ ପେମା ଓ ମିକି ଗିରଫ ହୋଇଥିଲେ। ମିକି ନିକଟରୁ ଏକ ୯ ଏମ୍ଏମ୍ ପିସ୍ତଲ ସହ ୩ କିଲୋଗ୍ରାମ ୫୦୦ ଗ୍ରାମ ବ୍ରାଉନ୍‌ସୁଗାର ମଧ୍ୟ ଜବତ ହୋଇଥିଲା। ଏହି ଜବତ ରାଜ୍ୟର ସର୍ବାଧିକ ବ୍ରାଉନ୍‌ସୁଗାର ଜବତ ଘଟଣାରେ ସର୍ବାଗ୍ରେଥିଲା। ତେବେ ଗୁଳିକାଣ୍ଡରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବା ବଳରାମ ଦଳେଇ ଓରଫ ରାଜା ପୁଲିସ ହାତକୁ ଆସିନଥିଲା। ରାଜା ହତ୍ୟା କରିବା ପରେ ଖୋର୍ଦ୍ଧା ଛାଡ଼ିଦେଇ ବାଙ୍କୀ ଚାଲିଯାଇଥିଲା।

ସେଠାରେ ଜଣେ ସମ୍ପର୍କୀୟଙ୍କ ଘରେ କିଛି ଦିନ ରହିବା ପରେ କଟକ ଓ ସେଠାରୁ କେନ୍ଦ୍ରାପଡ଼ା ଚାଲିଯାଇଥିଲା। କେନ୍ଦ୍ରାପଡ଼ାରୁ କିଛି ମାସ ରାଜ୍ୟ ବାହାରକୁ ଚାଲିଯାଇଥିଲା। ଜୁନ୍ ମାସରେ ସେ ପୁଣି ନିଜ ଘରକୁ ଫେରିଥିଲା। ଏନେଇ ପୁଲିସକୁ ସୂଚନା ମିଳିବା ପରେ ଏସ୍‌ଡ଼ିପିଓ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍ ପୁଣି ଚଳଚଂଚଳ ହୋଇଉଠିଥିଲା। ଏସ୍‌ପି ରାଜ କିଶୋର ଦୋରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜାକୁ ଧରିବାକୁ ଯୋଜନା କରାଗଲା। ଏଥିପାଇଁ ନିରାକାରପୁର, କୁରାଢ଼ମଲ୍ଲ ଆଦି ଅଂଚଳରେ ଶୁକ୍ରବାର (୯ ଜୁଲାଇ ୨୦୨୧) ଠାରୁ ପୁଲିସ ସାଧା ପୋଷାକରେ ରାଜାର ଗତିବିଧି ଲକ୍ଷ୍ୟ କରିଥିଲା। ଘର ଉପରେ ଚଢ଼ଉ କରାଗଲେ ଜନଗହଳି ଆଦିର ସୁବିଧା ନେଇ ପୁଣି ଥରେ ଖସି ପଳାଇବା ସମ୍ଭାବନା ଥିବାରୁ ଜନାକୀର୍ଣ୍ଣ ରାସ୍ତା ଉପରୁ ଉଠାଇ ଆଣିବାକୁ ଯୋଜନା ହୋଇଥିଲା।

ଶେଷରେ ସୋମବାର ଅପରାହ୍ଣ ପ୍ରାୟ ୫ଟା ବେଳେ କୁରାଢ଼ମଲ୍ଲ ନିକଟରୁ ରାଜକୁ ଗିରଫ କରାଯାଇଥିଲା। ଏନେଇ ସୂଚନା ଦେଇ ଏସ୍‌ଡ଼ିପିଓ ଶ୍ରୀ ମିଶ୍ର କହିଛନ୍ତି ଯେ ରାଜା ନିକଟରୁ ଏକ ୯ ଏମ୍ଏମ୍ ପିସ୍ତଲ ଓ ୪ଟି ଅଫୁଟା ଗୁଳି ମିଳିଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି। ରାଜାର ଗିରଫ ସହ ଘଟଣାରେ ସମ୍ପୃକ୍ତ ୬ ଜଣଙ୍କ ମଧ୍ୟରୁ ୪ଜଣ ଧରା ପଡ଼ିଛନ୍ତି। ଫେରାର୍ ଥିବା ଅନ୍ୟ ୨ଜଣଙ୍କ ସମ୍ପର୍କରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ମଧ୍ୟ ଧରାଯିବ।

ସମ୍ବନ୍ଧିତ ଖବର