ରାଜମିସ୍ତ୍ରୀକୁ ପିଟି ପିଟି ହତ୍ୟା ଘଟଣା: ପରକୀୟା ପ୍ରୀତିକୁ ନେଇ ବନ୍ଧୁର ଜୀବନ ନେଲା ଅଭିଯୁକ୍ତ

ଗିରଫ ଅଭିଯୁକ୍ତ ମୁନା ବେହେରା କୋର୍ଟ ଚାଲାଣ

ରାୟଗଡ଼ା: ରାୟଗଡ଼ା କସ୍ତୁରୀ ନଗରରେ ରାଜମିସ୍ତ୍ରୀ ଋଷିକେଶ ବେହେରା ହତ୍ୟା ଘଟଣାରେ ରାୟଗଡ଼ା ପୁଲିସକୁ ମିଳିଛି ସଫଳତା। ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଲିସ ହତ୍ୟାକାଣ୍ଡ ପଛର କାରଣ ଖୁଲାସା କରିବା ସହିତ ମୁଖ୍ୟ ଅଭିଯୁକ୍ତ ମୁନା ବେହେରାକୁ ଗିରଫ କରିବାରେ ସକ୍ଷମ ହୋଇଛି। ପରକୀୟା ପ୍ରୀତିକୁ ନେଇ ଋଷିକେଶ ଏବଂ ମୁନାଙ୍କ ମଧ୍ୟରେ ଚାଲିଥିବା ବିବାଦରୁ ଏହି ଅଭାବନୀୟ ଘଟଣା ଘଟିଥିବା ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ କହିଛନ୍ତି।

ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ଥାନା ଇନ୍ଦୁପୁର ଗ୍ରାମର ଋଷିକେଶ ବେହେରା ଏବଂ ମୁନା ବେହେରା ମିଳିତ ଭାବେ ଗତ ୬ ମାସ ତଳେ ରାଜମିସ୍ତ୍ରୀ ଭାବେ କାମ କରିବାକୁ ରାୟଗଡ଼ା ଆସିଥିଲେ। ଉଭୟେ କସ୍ତୁରୀ ନଗର ପଞ୍ଚମ ଲାଇନରେ ପି. ଚନ୍ଦ୍ରଶେଖର ରାଜୁଙ୍କ ନୂତନ ଘର ନିର୍ମାଣରେ ନିୟୋଜିତ ହୋଇଥିଲେ। ଋଷିକେଶ ଅତ୍ୟଧିକ ମଦ୍ୟପାନ କରୁଥିବାରୁ ସ୍ତ୍ରୀ ସନ୍ତୋଷୀ ବେହେରା ୩ ଝିଅଙ୍କୁ ଜେକେପୁରରେ ଅଲଗା ରହୁଥିଲେ। ସନ୍ତୋଷୀଙ୍କ ତାଗିଦ୍ ଯୋଗୁ ମଦ୍ୟପାନ ପରେ ଋଷିକେଶ ନିର୍ମାଣଧୀନ ଘରେ ହିଁ ଶୋଇ ପଡୁଥିଲେ।

ସନ୍ତୋଷୀ ମାଛ ବ୍ୟବସାୟ କରି ପରିବାର ଚଳାଉଥିବା ବେଳେ ସନ୍ତୋଷୀ ସହ ସାଥୀ ଶ୍ରମିକ ମୁନା ବେହେରାର ଅବୈଧ ସଂପର୍କ ଥିବା ନେଇ ଋଷିକେଶ ସନ୍ଦେହ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବହୁବାର ବଚସା ହୋଇଛି। ମଙ୍ଗଳବାର ସଂଧ୍ୟାରେ କାମ ସରିବା ପରେ ଅନ୍ୟ ଶ୍ରମିମାନେ ଘରକୁ ଫେରିଯିବା ପରେ ପୁଣି ଦୁଇ ବନ୍ଧୁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମୁନା ଏକ କାଠପଟାରେ ଋଷିକେଶଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଋଷିକେଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଋଷିକେଶକୁ ଆକ୍ରମଣ ପରେ ଭୟରେ ମୁନା ଫେରାର ହୋଇଯାଇଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍ ଘଟଣାର ତଦନ୍ତ କରି ମୁନାକୁ ଗିରଫ କରିଛି। ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଘଟଣାର ତଦନ୍ତ କରୁଥିଲେ।

ସମ୍ବନ୍ଧିତ ଖବର