ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ

ବାଲିଆପାଳ: ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ମଧୁପୁରା ପଞ୍ଚାୟତ ଖାଳଡ଼ିହା ଗ୍ରାମରେ ଆଜି ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଶାଶୂଘର ପରିବାର ପକ୍ଷରୁ ଏହାକୁ ଆତ୍ମହତ୍ୟା କୁହାଯାଉଥିବା ବେଳେ ପାରିପାର୍ଶ୍ବିକ ସ୍ଥିତି ଦେଖି ବାପଘର ଲୋକ ଥାନାରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଡଗରା ଗ୍ରାମର ମନ୍ମଥ ଜେନାଙ୍କ ସାନଝିଅ ଅନସୂୟାଙ୍କ ସହିତ ଖାଳଡ଼ିହା ଗ୍ରାମର ପଞ୍ଚାନନ ବେହେରାଙ୍କ ପୁଅ ସରୋଜ ବେହେରାଙ୍କର ୨୦୧୪ ମସିହାରେ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ ବରପକ୍ଷଙ୍କ ଦାବି ଅନୁସାରେ ନଗଦ ୫୦ ହଜାର ଟଙ୍କା, ୩୦ ଗ୍ରାମ ସୁନାଗହଣା ଏବଂ ଅନ୍ୟାନ୍ୟ ଆସବାବପତ୍ର ଦିଆଯାଇଥିଲା।

ବିବାହର କିଛି ଦିନ ପରେ ସ୍ବାମୀ ସରୋଜ ଏକ କମ୍ପାନିରେ କାମ କରିବା ପାଇଁ ହରିଆଣା ଚାଲିଯାଇଥିଲେ। ଗ୍ରାମରେ ପତ୍ନୀ ଅନସୂୟା ଦୁଇ ପିଲାଙ୍କ ସହ ରହୁଥିଲେ। ସ୍ବାମୀଙ୍କ ଅନୁପସ୍ଥିତିରେ ଶାଶୂ ପାର୍ବତୀ ବେହେରା ଏବଂ ଦିଅର ମନୋଜ ବେହେରା ବ୍ୟବସାୟ ପାଇଁ ବାପଘରୁ ଟଙ୍କା ଆଣିବାକୁ ଅନସୂୟାଙ୍କ ଉପରେ ଚାପ ପକାଉଥିଲେ। ବାପଘରର ଆର୍ଥିକ ପରିସ୍ଥିତି ଖରାପ ଥିବାରୁ ଅନସୂୟା ଏଥିରେ ଅରାଜି ହେବାରୁ ତାଙ୍କ ଉପରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିଲା।

ଗତକାଲି ରାତିରେ ଅନସୂୟାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ମୃତଦେହ ଝୁଲୁଥିବା ବେଳେ ଶବଟି ଆଣ୍ଠୁମାଡ଼ି ରହିଥିଲା। ତେଣୁ ଅନୂସୟାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ନେଇ ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର ନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବାପଘର ଲୋକଙ୍କୁ ଶବ ନେବାକୁ ପୁଲିସ ଚାପ ପ୍ରୟୋଗ କରିବା ନେଇ ନେଇ ଯୁକ୍ତିତର୍କ ହୋଇଥିଲା। ପୁଲିସ ମାଡ଼ରେ ଅନସୂୟାଙ୍କ ମାମୁ ଏବଂ ସମ୍ପର୍କୀୟ ଆହତ ହୋଇଥିବା ଅଭିଯୋଗ କରିଛନ୍ତି। ଶେଷ ଖବର ଲେଖାହେବା ସୁଦ୍ଧା ଅଭିଯୁକ୍ତ ଦିଅରକୁ ଥାନାରେ ଅଟକ ରଖାଯାଇଥିବା ବେଳେ ଅନସୂୟାଙ୍କ ଶବ ଶାଶୂଘର ଖାଳଡ଼ିହା ଗ୍ରାମକୁ ପୁଲିସ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର