୪୦୦ ଟଙ୍କା ପାଇଁ ପଥର ଛେଚି ହତ୍ୟା; ଅଭିଯୁକ୍ତ, ସହଯୋଗୀ ଅଟକ

ଗୋଳନ୍ଥରା: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଇଲାକାରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ମାତ୍ର ୪୦୦ ଟଙ୍କା ନେଇଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଛାତ ଉପରେ ଶୋଇଥିବା ଅବସ୍ଥାରେ ମୁଣ୍ଡରେ ପଥର ଛେଚି ହତ୍ୟା କରା ଯାଇଥିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି ଗୋଲନ୍ଥରା ଥାନା ଅଧୀନ ରଣ୍ଢା ହରିଜନ ସାହିରେ। ମୃତ ଯୁବକ ଜଣକ ହେଉଛନ୍ତି ଝିକିପଦର ଗ୍ରାମର ଦିଲ୍ଲୀପ ଦାସ(୩୮)। ପଥର ଛେଚି ହତ୍ୟା କରିଥିବା ଅଭିଯୁକ୍ତ ରଣ୍ଢା ହରିଜନ ସାହିର ବିନୋଦ ଦାସ ଓ ତାଙ୍କର ଜଣେ ସହଯୋଗୀକୁ ପୁଲିସ ଅଟକ ରଖି ଜେରା ଚଳାଇଛି।

ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀପ ଦାସ ସାହିର ଜଣକ ଛାତ ଉପରେ ଶୋଇଥିବା ବେଳେ ତାଙ୍କ ମୁଣ୍ଡ ଉପରେ ପଥର ଛେଚି ହତ୍ୟା କରା ଯାଇଥିଲା। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଝିକିପଦର ଗ୍ରାମର ଦିଲ୍ଲୀପ ରଣ୍ଢା ହରିଜନ ସାହିରେ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ୮ବର୍ଷର ଝିଅ ଅଛି। ଗତ କିଛି ଦିନ ହେଲା ସେ ପତ୍ନୀଙ୍କ ସହ ରଣ୍ଢାରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ଉକ୍ତ ସାହିର ବିନୋଦଙ୍କ ୪୦୦ ଟଙ୍କା ହଜି ଯାଇଥିଲା। ସେ ଦିଲ୍ଲୀପଙ୍କ ଉପରେ ସନ୍ଦେହ କରି ରାତିରେ ଧମକଚମକ ଦେଇ ଯାଇଥିଲା।

ବିଳମ୍ବିତ ରାତିରେ ଦିଲ୍ଲୀପ ଖାଇସାରି ପଡ଼ୋଶୀ କାଳୁ ଦାସଙ୍କ ଘର ଛାତ ଉପରକୁ ଶୋଇବା ପାଇଁ ଯାଇଥିଲେ। ସାହି ମଣ୍ଡପରେ ଶୋଇଥିବା ବିନୋଦ ରାତି ପ୍ରାୟ ସାଢ଼େ ଏଗାରଟାରେ ଉଠି ମଣ୍ଡପ ନିକଟରେ ପଡ଼ିଥିବା ଏକ ବଡ଼ ପଥର ନେଇ ଛାତ ଉପରକୁ ଯାଇଥିଲା। ଦିଲ୍ଲୀପ ଶୋଇଥିବା ଅବସ୍ଥାରେ ତାଙ୍କ ମୁଣ୍ଡ ଉପରେ ପଥରଟି ଛେଚି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦିଲ୍ଲୀପଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଗୋଳନ୍ଥରା ଥାନା ପୁଲିସ ଗ୍ରାମରେ ପହଞ୍ଚି ତଦନ୍ତ କରିବା ସହ ବିନୋଦ ଏବଂ ତାଙ୍କୁ ସହଯୋଗ କରିଥିବା ସୀମାଞ୍ଚଳ ଦାସଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଥାନା କେସ୍‌ ନଂ. ୧୭୮/୨୧ରେ ଏକ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ଥାନ୍ତର କରା ଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଜଣାଇଛନ୍ତି।

ସମ୍ବନ୍ଧିତ ଖବର