ରାଉରକେଲା: ଭୁବନେଶ୍ବର ପରି ସୁନ୍ଦରଗଡ଼ ଜିଲ୍ଲାର ରାତାରାତି କୋଟିପତି ହେବା ଲକ୍ଷ୍ୟରେ କିଛି ଲୋକ ଜମି ଦଲାଲକୁ ମୁଖ୍ୟ ବେଉସା କରି ଦେଇଛନ୍ତି। ସରକାରୀ ଜମିକୁ ମାଡ଼ି ବସି ପ୍ଲଟିଂ କରି ବିକୁଛନ୍ତି। ବେସରକାରୀ ଜମିକୁ ଧମକଚମକ ଦେଇ କମ୍ ଦାମରେ କିଣୁଛନ୍ତି। ପରବର୍ତ୍ତୀ ସମୟରେ ୭/୮ ଗୁଣା ଲାଭରେ ବିକ୍ରି କରୁଛନ୍ତି। ଆର୍ଏସ୍ପି, ରେଲୱେ ଅବା ଅନ୍ୟ ସରକାର ବିଭାଗ ଜାଗାକୁ ଏମାନେ ଟାର୍ଗେଟ କରୁଛନ୍ତି। ଆଉ କିଛି ସରକାରୀ ମଶାଣୀ ଜାଗାକୁ ମଧ୍ୟ ଛାଡୁ ନାହାନ୍ତି। ଦଲାଲମାନଙ୍କ ଗୋଷ୍ଠୀରେ ସାମିଲ ହେଉଛନ୍ତି କିଛି ଅପରାଧି। ଯେଉଁମାନଙ୍କୁ ବ୍ୟବହାର କରି ଦଲାଲମାନେ ସରକାରୀ ଜମିକୁ ଜୋରଜବରଦସ୍ତ ମାଡ଼ି ବସୁଛନ୍ତି। ଘରୋଇ ଜମିକୁ ଛାଡୁ ନାହାନ୍ତି। ଯାହାକୁ ନେଇ ଅନେକ ସମୟରେ ମାଡ଼ପିଟ୍ ହେଉଛି। ହିଂସାକାଣ୍ଡ ଘଟୁଛି। ଏମିତି କିଛି ନିରୀହ ଲୋକ ହତ୍ୟାର ଶିକାର ହେଉଛନ୍ତି। କେତେବେଳେ ଖଣ୍ଡା, ଛୁରି ବୁଲୁଛି ତ ଅନ୍ୟ କେତେବେଳେ ଗୁଳି ଫୁଟୁଛି। ଗତ ସପ୍ତାହ ତଳେ ସାରନଗରୀ କନଷ୍ଟ୍ରକ୍ସନ କଲୋନିରେ ଜମି କିଣାବିକାକୁ କେନ୍ଦ୍ରକୁ ହତ୍ୟାକାଣ୍ଡ ଘଟିଥିଲା। ଜମି ଦଲାଲ ଦମ୍ପତି ତାଙ୍କର କିଛି ସହଯୋଗୀ ସହାୟତାରେ ଦୁଇ ଯୁବକଙ୍କୁ ଫାର୍ସା ହାଣି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ଟାଙ୍ଗରପାଲି ପୁଲିସ ହତ୍ୟାକାଣ୍ଡର ସମ୍ପୃକ୍ତ କିଛି ଯୁବକଙ୍କୁ ଗିରଫ କରିଛି। ମାତ୍ର ଏଯାଏଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗଞ୍ଜୁ ଦମ୍ପତି ଫେରାର ଅଛନ୍ତି। ସେମିତି ଜଗଦା ଅଞ୍ଚଳରେ ଆର୍ଏସ୍ପି ଜମିକୁ ନେଇ ବିଗତ ଦିନରେ ଅନେକ ହିଂସାକାଣ୍ଡ ଘଟିଛି।
/sambad/media/post_attachments/wp-content/uploads/2023/02/e2f39585-6d3f-49bf-9388-15aa8a43d0da-300x164.jpg)
ମାରଣାସ୍ତ୍ର ଆକ୍ରମଣରେ କିଛି ଦଲାଲଙ୍କ ଜୀବନ ଯାଇଛି। ନିକଟରେ ସେକ୍ଟର-୨୦ସ୍ଥ ମିଶ୍ରା ଖଟାଲ (ଆର୍ଏସ୍ପି) ଜାଗାକୁ ନେଇ ହିଂସାକାଣ୍ଡ ଘଟିଥିଲା। ଦୁଇ ଗୋଷ୍ଠୀର ମାଡ଼ପିଟ୍ରେ ଜଣଙ୍କର ମୃତ୍ୟୁ ହୋଇଥିଲା। ସେମିତି ଜମି କିଣାବିକାକୁ କେନ୍ଦ୍ରକରି ରାଉରକେଲା ହୋଟେଲ ମାଲିକଙ୍କୁ ତାଙ୍କ ଘର ସମ୍ମୁଖରେ ଲୁହାରଡରେ ପିଟିପିଟି ହତ୍ୟା କରାଯାଇଥିଲା। ୩/୪ଟି ଘଟଣା ନୁହେଁ ଜିଲ୍ଲାରେ ଏମିତି ଜମି କିଣାବିକାକୁ ନେଇ ବିଗତ ଦିନରେ ଅନେକ ମୁଣ୍ଡ ଗଢ଼ିଛି। ତଥାପି ଏଭଳି ବେଆଇନ କାରବାରକୁ ରୋକାଯାଇ ପାରୁନି। କୁଆରମୁଣ୍ଡା, ଲାଠିକଟା, ନୂଆଗାଁ, ବିଶ୍ରା, ବଣାଇ, ଲହୁଣିପଡା, ରାଜଗାଙ୍ଗପୁର ସମେତ ଜିଲ୍ଲାର ଅଧିକାଂଶ ବ୍ଲକରେ ଜମିଦଲାଲ ଜୋରସୋରରେ ଚାଲିଛି। କେବଳ ବ୍ଲକରେ ନୁହେଁ ରାଉରକେଲାର ବାସନ୍ତୀକଲୋନି, କୋଏଲନଗର, ସେକ୍ଟର-୨୧, ଉଦିତନଗର, ଫର୍ଟିଲାଇଜର, ବନ୍ଧମୁଣ୍ଡାରେ କିଛି ଯୁବକ ଜମି ଦଲାଲ କରୁଥିବା ଅଭିଯୋଗ ହେଉଛି। କିଛି ସ୍ଥାନରେ ଜମି ଦଲାଲମାନେ ନିଜ ନିଜର ଅଫିସ୍ ଖୋଲି ବସିଛନ୍ତି। ଯେଉଁଠାରେ ଜମି କିଣାବିକା କାରବାର ଚାଲିଛି। ଅପରପକ୍ଷେ କିଛି ବିବାଦିତ ଜାଗାକୁ ଅକ୍ତିଆର କରିବାକୁ ଦଲାଲମାନେ କିଛି ଅପରାଧୀ ଗୋଷ୍ଠୀଙ୍କୁ ବ୍ୟବହାର କରୁଛନ୍ତି। ସେମାନଙ୍କୁ ମୋଟା ଅଙ୍କର କମିସନ ଦେଉଛନ୍ତି। ନୂଆଗାଁ ବ୍ଲକରେ ସ୍ଥିତି ଆହୁରି ସାଂଘାତିକ।
ବିଭିନ୍ନ ବାହାନା ଦେଖାଇ ଗରିବ ଲୋକଙ୍କ ଠାରୁ ଜମିଗୁଡ଼ିକୁ ଶାଗମାଛ ଦରରେ କିଣି ନେଉଛନ୍ତି। ପରବର୍ତ୍ତୀ ସମୟରେ ସେଗୁଡ଼ିକୁ ପ୍ଲଟିଂ କରି ମୋଟା ଅଙ୍କରେ ବିକ୍ରି କରୁଛନ୍ତି। ବିଦେଶରେ ରହିଥିବା କିଛି ଥିଲାବାଲା ଲୋକଙ୍କୁ ସ୍ଥାନୀୟ ଦଲାଲମାନେ ହାତ କରି ଏସବୁ ଜମିକୁ ହାତଉଛନ୍ତି। ମାର୍କେଟ ନିକଟ ଓ ରାସ୍ତା ପାର୍ଶ୍ବ ଜମିକୁ ଦଲାଲମାନେ ମୁଖତଃ ଟାର୍ଗେଟ କରୁଛନ୍ତି। ନିଜ ଅକ୍ତିଆର ଆଣିବା ପରେ ମନଇଚ୍ଛା ଦରରେ ଅନ୍ୟମାନଙ୍କୁ ବିକ୍ରି କରୁଛନ୍ତି। ନୂଆଗାଁ, ସୋରଡା ମଧ୍ୟରେ ଜମି କିଣାବିକା କେନ୍ଦ୍ରକରି ଅନେକ ସମୟରେ ମାଡ଼ିପିଟ୍ ହୋଇଛି। ଥାନା ପର୍ଯ୍ୟନ୍ତ ମାମଲା ଯାଇଛି। କେବଳ ଏତିକି ନୁହେଁ କିଛି ଦଲାଲ ଗୋଟିଏ ଜମିକୁ ୧୦/୧୨ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଦେଖାଉଛନ୍ତି। ଜମି ପସନ୍ଦ ହେଲା ପରେ ସେହି ଜମିକୁ ଦେଖାଇ ଜଣେ ଜଣେ ଅପସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଅଗ୍ରିମ ନେଇ ଯାଉଛନ୍ତି। ପରବର୍ତ୍ତୀ ସମୟରେ ଜମି ଦେଉ ନାହାନ୍ତି କି ଟଙ୍କା ମଧ୍ୟ ଫେରସ୍ତ କରୁ ନାହାନ୍ତି। ତେବେ ଜିଲ୍ଲାରେ ଚାଲିଥିବା ଏଭଳି ବେଆଇନ କାରବାର ଉପରେ ଅଙ୍କୁଶ ନ ଲାଗିଲେ, ହିଂସା ଆହୁରି ଗଡ଼ିବ ଏଥିରେ ଦ୍ବିମତ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/131e040f-81db-4d5c-921c-67d1efbdde84.jpg)