ଟଙ୍କା ପାଇଁ ମାଆକୁ ହତ୍ୟା କଲା ପୁଅ

ରାଜଗାଙ୍ଗପୁର: କେଇଟା ଟଙ୍କା ପାଇଁ ନିଜ ମା’କୁ ଅତି ନୃଶଂସ ଭାବେ ହତ୍ୟାକରି ପୁଅ ଫେରାର ହୋଇଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବାହିଆମ ଗାଁରେ ଘଟିଛି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବାହିଆମର କୁଜୁରପଡ଼ାରେ ଲକ୍ଷ୍ମୀ ଗୌଡ଼ ନିଜ ସାନପୁଅ ରାଜୁ ସହ ରହୁଥିବାବେଳେ ବଡ଼ପୁଅ ରବି କଲୁଙ୍ଗାରେ ରହୁଛନ୍ତି। ବଡ଼ପୁଅଙ୍କ କହିବା ଅନୁଯାୟୀ, ତାଙ୍କ ସାନଭାଇ ରାଜୁ ବିଭିନ୍ନ ସମୟରେ ମା’ଙ୍କୁ ଟଙ୍କା ମାଗି ଅପବ୍ୟୟ କରି ଆସୁଥିଲା। ଟଙ୍କା ପାଇଁ ମା’ଙ୍କୁ ବାରମ୍ବାର ଧମକ ଚମକ ଦେଇଆସୁଥିଲା। ଏପରିକି ଜମି ବନ୍ଧକ ରଖି ଟଙ୍କା ଆଣିବା ପାଇଁ ଚାପ ସୃଷ୍ଟି କରୁଥିଲା।

କିଛି ଦିନ ତଳେ ବଡ଼ଭାଇଙ୍କୁ ଫୋନ୍‌ ଜରିଆରେ ୧୦,୦୦୦ ଟଙ୍କା ମାଗିଥିଲା। ବଡ଼ଭାଇ ଦରମା ମିଳିଲେ ଟଙ୍କା ଦେବେ ବୋଲି କହିଥିଲେ। କିନ୍ତୁ ବିଳମ୍ବ ହେବାରୁ ଗତ ୮ ତାରିଖ ଦିନ ଟଙ୍କା ପାଇଁ ମା’ ସହ ଝଗଡ଼ା କରିଥିଲା। ଉତ୍‌କ୍ଷିପ୍ତ ହୋଇ ମା’ଙ୍କୁ ନୃଶଂସ ଭାବେ ହତ୍ୟା କରି ଘର ଭିତରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଥିଲା। ଗାଁରେ ସମ୍ପର୍କୀୟମାନେ ଲକ୍ଷ୍ମୀଙ୍କୁ ନ ଦେଖିବାରୁ ଘରକୁ ଯାଇଥିଲେ। ସେତେବେଳକୁ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିଲା। ‌ଭିତରେ ସେମାନେ ଲକ୍ଷ୍ମୀଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏ ଘଟଣା ନେଇ କୁଲୁଙ୍ଗାରେ ରହୁଥିବା ବଡ଼ପୁଅଙ୍କୁ ଗତକାଲି ସୂଚନା ଦେବା ପରେ ସେ ରାଜଗାଙ୍ଗପୁର ଥାନାରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲକ୍ଷ୍ମୀଙ୍କ ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର