ସନ୍ତାନସନ୍ତତି ନହେବାରୁ ମହିଳାଙ୍କୁ ହତ୍ୟା ଅଭିଯୋଗ

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଉପକଣ୍ଠ ପଲ୍ଲା ଠାରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ମହିଳାଙ୍କ ଭାଇଙ୍କ ଲିଖିତ ଅଭିଯୋଗ ଭିତ୍ତିରେ ପୁଲିସ ମାମଲା ରୁଜୁ କରିବା ସହ ଶ୍ୱଶୁର ଓ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି । ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୨ଟା ବେଳେ ପଲ୍ଲାର ସନ୍ତୋଷ ବେହେରା (୩୮)ଙ୍କ ପତ୍ନୀ ଛବିନା ବେହେରା (୨୯) ଗୁରୁତର ଆହତ ହୋଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଏନେଇ ଛବିନାଙ୍କ ଭାଇ ସୋମନାଥ ବେହେରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁସାରେ, ୧୧ ଜୁଲାଇ ୨୦୧୬ରେ ଛବିନାଙ୍କ ସହ ପଲ୍ଲାର ସନ୍ତୋଷ ବେହେରାଙ୍କ ବିବାହ ହୋଇଥିଲା । ବିବାହ ସମୟରେ ଦାବି ମୁତାବକ ୬ଲକ୍ଷ ଟଙ୍କାର ନଗଦ ଓ ଅନ୍ୟ ଆସବାବପତ୍ର ଦିଆଯାଇଥିଲା । ତେବେ ବିବାହର ୫ ବର୍ଷ ପରେ କୌଣସି ସନ୍ତାନସନ୍ତତି ନହେବାରୁ ଶାଶୁ ଘରେ ଛବିନାଙ୍କ ଉପରେ ନିର୍ଯାତନା ବଢ଼ିଯାଇଥିଲା । ସନ୍ତାନ ତ ଦେଇପାରିଲ ନାହିଁ ଟଙ୍କା ଦିଅ ବୋଲି ଦାବି କରି ନିୟମିତ ଭାବେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ ।

ଚଳିତ ବର୍ଷ ୨୨ ଅପ୍ରିଲ୍ ତାରିଖରେ ଛବିନା ତାଙ୍କ ବାପା ଘରକୁ ଫୋନ୍ କରି ଶାଶୁ ଘରର ସଦସ୍ୟଙ୍କ ଠାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଓ ତାଙ୍କୁ ନେଇଯିବା ପାଇଁ ଅନୁରୋଧ କରିଥିଲେ । ଏହା ପରେ ଛବିନାଙ୍କ ଭାଇ ସୋମନାଥ ନିଜ ଭିଣୋଇ ଘରକୁ ଯାଇ ବୁଝାଶୁଝା କରି ଆସିଥିଲେ । ଗତକାଲି ରାତିରେ ମଧ୍ୟ ଛବିନା ଅନୁରୂପ ଭାବେ ଫୋନ୍ କରି ଶାଶୁ ଘର ଲୋକେ ମାରଧର କରିଥିବା କହିଥିଲେ । ଏହାର ଅଢ଼େଇ ଘଂଟା ପରେ ଛବିନାଙ୍କ ଶାଶୁ ମଂଜୁଲତା ବେହେରା ଫୋନ୍ କରି ଛବିନା ଗାଧୁଆ ଘରେ ପଡ଼ି ଗୁରୁତର ଆହତ ହୋଇଥିବା ଓ ତାଙ୍କୁ ଚିକିତ୍ସାଳୟ ନିଆଯାଇଥିବା କହିଥିଲେ । ତେବେ ଛବିନାଙ୍କ ବାପା ଘର ଲୋକେ ପହଂଚିବା ପୂର୍ବରୁ ପୁଣି ଫୋନ୍ କରି ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ ।

ଏନେଇ ସୂଚନା ଦେଇ ମାମଲାର ତଦନ୍ତ ଅଧିକାରୀ ରଶ୍ମୀ ରଂଜନ ଦାସ କହିଛନ୍ତି ଯେ ଖୋର୍ଦ୍ଧା ଟାଉନ୍ ଥାନା ଲିଖିତ ଅଭିଯୋଗ ଭିତ୍‌ତିରେ ହତ୍ୟା ଦଫାରେ ୨୪୬/୨୦୨୧ରେ ମାମଲା ରୁଜୁ କରିବା ସହ ଛବିନାଙ୍କ ଶ୍ୱଶୁର ଓ ସ୍ୱାମୀଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା ଚଳାଇଛି । ସାଇଂଟିଫିକ୍ ଟିମ୍ ଓ ଏସ୍‌ଡିପିଓ ଘଟଣା ସ୍ଥଳର ସରଜମିନ ତଦନ୍ତ କରି ଫେରିଛନ୍ତି ।

ସମ୍ବନ୍ଧିତ ଖବର