ଧାନ ମଣ୍ଡିରେ ପଶି ଚାଷୀଙ୍କୁ ହାଣିଲେ ଦୁର୍ବୃତ୍ତ;୨ ଚାଷୀ ଗୁରୁତର, ଗ୍ରାମବାସୀଙ୍କ ରାସ୍ତାରୋକ

ଜଣଙ୍କୁ ଧରି ନିସ୍ତୁକ ପିଟିଲେ, ପୁଲିସରେ ଦେଲେ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସଦର ଥାନା ସାରଗାଁ ସମବାୟ ସମିତି ପରିସରରେ ପଶି ଭଙ୍ଗାରୁଜା କରିବା ସହ ୨ଜଣ ଚାଷୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଆକ୍ରମଣରେ ଦୁହେଁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିବା‌ ବେଳେ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ଗ୍ରାମବାସୀ ନିସ୍ତୁକ ମାଡ଼ଦେଇ ପୁଲିସର ଜିମା ଦେଇଛନ୍ତି। ଏହି ଘଟଣାକୁ ନେଇ ସେଠାରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ଗ୍ରାମବାସୀ ରାସ୍ତାରୋକ କରି ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ସମ୍ପୃକ୍ତ ୨ ଚାଷୀ ହେଲେ ସଦର ଥାନା ଅଧୀନ ହର୍ଷପୁରା ଗାଁର ଅତଲୁ ମାଣିକ(୫୦) ଓ ସାରଗାଁ ଅଞ୍ଚଳର ହରିହର ବାରିକ(୫୦)। ଆଜି ସେମାନେ ସାରଗାଁ ସମିତିକୁ ବିକ୍ରି କରିଥିବା ଧାନର ଟଙ୍କା ଆଣିବାକୁ ଯାଇଥିଲେ। ତେବେ ଏହି ସମୟରେ ସମବାୟ ସମିତି ନିକଟ‌େର ଥିବା ଏକ ମଦଦୋକାନ ସମ୍ମୁଖରେ ଟାଉନ ଥାନା ସୁନହଟ୍ ଅଞ୍ଚଳର ଏବଂ ଚାନ୍ଦିପୁର ଥାନା ରଣସାହି ଅଞ୍ଚଳର ଦୁଇ ମଦ୍ୟପ ଗୋଷ୍ଠୀଙ୍କୁ ମଧ୍ୟରେ ଗଣ୍ଡଗୋଳ ଓ ମାଡ଼ପିଟ୍‌ ଚାଲିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଜୀବନ ବିକଳରେ ସମବାୟ ସମିତି ଧାନମଣ୍ଡି ଆଡ଼କୁ ଦୋଡ଼ି ପଳାଇ ଆସିଥିଲା। ଅପରଗୋଷ୍ଠୀ ତାକୁ ଧରିବାକୁ ଆଜି ଧାନମଣ୍ଡି ଭିତରେ ପଶିଯାଇଥିଲେ। ହାତରେ ଭୁଜାଲି, ତେଲେଙ୍ଗାକଟୁରି ଓ ଠେଙ୍ଗା ଧରି ସମବାୟ ସମିତି ସେକ୍ରେଟାରି ଏବଂ ଚାଷୀଙ୍କୁ ସମ୍ପୃକ୍ତ ଯୁବକ ସମ୍ପର୍କରେ ପଚାରିଥିଲେ। ତେବେ ସେମାନେ କିଛି କହି ନପାରିବାରୁ ଦୁର୍ବୃତ୍ତମାନେ ଚାଷୀ ଅତଲୁ ମାଣିକ ଓ ହରିହରଙ୍କୁ  ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିସହ ଧାନ ଓଜନ ମେସିନ୍‌କୁ ମଧ୍ୟ ତେଲେଙ୍ଗାକଟୁରିରେ ହାଣି ନଷ୍ଟ  କରିଛନ୍ତି। ଗ୍ରାମବାସୀ ପହଞ୍ଚିଯିବାରୁ ସେମାନେ ଦୌଡ଼ି ପଳାଇ ଯାଉଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ଗ୍ରାମବାସୀ ନିସ୍ତୁକ ମାଡ଼ ମାରିବା ସହ ପୁଲିସ ପହଞ୍ଚି ତାକୁ ଉଦ୍ଧାର କରିଥିଲା।

ସ୍ଥାନୀୟ ଅଞ୍ଚଳରେ ଅବାଧ ନିଶା କାରବାର, ଚୋରି, ଡକାୟତି ଆଦି ବଢ଼ି ଚାଲିଥିବା ବେଳେ ଅପରାଧୀମାନଙ୍କର ଆଡ଼ାସ୍ଥଳ ପାଲଟିଛି। ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ଦିନ ପୁଲିସ ପାଟ୍ରୋଲିଂ ହେଉନାହିଁ। ଫଳରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରି ସଲ୍ଟରୋଡ଼ରେ ରାସ୍ତାରୋକ କରିଥିଲେ। ପୁଲିସ ଗ୍ରାମବାସୀଙ୍କୁ ବୁଝାସୁଝା କରି ରାସ୍ତାରୁ ଉଠାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ବିରୋଧରେ ସାରଗାଁ ସମବାୟ ସମିତି ସେକ୍ରେଟାରି ସଦର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର