କୁକୁଡ଼ାଖଣ୍ଡି/ବ୍ରହ୍ମପୁର: କର୍ଫ୍ୟୁ କଟକଣା ଭିତରେ ସହରବାସୀ ନବବର୍ଷକୁ ସ୍ବାଗତ କରୁଥିବା ବେଳେ ବିଳମ୍ବିତ ରାତିରେ ବ୍ରହ୍ମପୁର ସଦର ଥାନା ଇଲାକାରେ ଘଟିଛି ବର୍ଷର ପ୍ରଥମ ହତ୍ୟାକାଣ୍ଡ। କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ସକାଳୁ ସକାଳୁ ଘଟଣା ପ୍ରଚାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତ ଯୁବକଙ୍କ ନାମ କୈଳାସ ଦାସ(୨୮) ବୋଲି ପୁଲିସ କହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସଦର ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି।

Advertisment

ସଦର ଥାନା ଅନ୍ତର୍ଗତ ମସିହାଖାଲି ବାଉରୀସାହିର କୈଳାସ ତାଙ୍କ ବୃଦ୍ଧା ମା’ଙ୍କ ସହିତ ରହୁଥିଲେ। କୈଳାସ ମିସ୍ତ୍ରି କାମ କରୁଥିଲେ। ଗତରାତି ନୂଆବର୍ଷ ଜିରୋ ନାଇଟ୍‌ ଅବସରରେ କୈଳାସ ଭୋଜି କରିବା ପାଇଁ ତାଙ୍କ ସାଙ୍ଗ ଘରକୁ ଯାଇଥିଲେ। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଫେରି ନଥିଲେ। ସକାଳ ପ୍ରାୟ ୪ଟା ବେଳେ କିଛି ଲୋକ ଗାଁ ମୁଣ୍ଡରେ ଥିବା ବଡ଼ବନ୍ଧକୁ ଶୌଚ ପାଇଁ ଯାଇଥିଲେ। ବନ୍ଧ ପାର୍ଶ୍ବରେ ଥିବା ହନୁମାନ ମୂର୍ତ୍ତି ନିକଟରେ କୈଳାସ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କ ମୁଣ୍ଡ ଓ ଚେହେରାର ବିଭିନ୍ନ ସ୍ଥାନରେ ଗୁରୁତର କ୍ଷତ ଚିହ୍ନ ରହିଥିଲା। ସେହିପରି ଶରୀରର ବିଭିନ୍ନ ସ୍ଥାନରେ ମଧ୍ୟ ଆଘାତ ଲାଗିଥିଲା। କୌଣସି ଧାରୁଆ ଅସ୍ତ୍ରରେ ତାଙ୍କୁ ହଣା ଯାଇଥିବା ପୁଲିସ ସନ୍ଦେହ କରୁଛି। ପୁଅର ଏଭଳି ଅବସ୍ଥା ସମ୍ପର୍କରେ ଗାଁର ଲୋକ ବୃଦ୍ଧା ମା’ଙ୍କୁ ଖବର କରିଥିଲେ। ତୁରନ୍ତ ୧୦୮ଆମ୍ବୁଲାନ୍ସରେ କୈଳାସଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ଣରେ କୈଳାସଙ୍କ ମୃତ୍ୟୁ ଘଟିଛି। ସଦର ଥାନା ପୁଲିସ ଶବ ଜବତ କରି ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିବା ସହିତ ତଦନ୍ତ ଜାରି ରଖିଛି। ଗତରାତି କୈଳାସ ଯେଉଁ ଯୁବକମାନଙ୍କ ସହିତ ଭୋଜି କରିବା ପାଇଁ ଯାଇଥିଲେ ସେମାନଙ୍କୁ ପୁଲିସ ଖୋଜାଖୋଜି କରୁଛି। ସେମାନଙ୍କୁ ଜେରା ପରେ ପୂରା ଘଟଣା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।