ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବଲାକିରା ଗ୍ରାମରେ ଶୁକ୍ରବାର ରାତି ବକେୟା ଟଙ୍କାକୁ ନେଇ ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଯାଇଛି। ଜ୍ବାଇଁ ଗୋବର୍ଦ୍ଧନ ଖଟୁଆ (୪୫)ଙ୍କୁ କକା ଶ୍ବଶୁର ଓ ତାଙ୍କ ୨ ପୁଅ ଗୋଡ଼ାଇ ଗୋଡ଼ାଇ ହତ୍ୟା ହାଣିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଗୋବର୍ଦ୍ଧନ ନିଜ ଶ୍ବଶୁର ଘର ଗ୍ରାମ ବଲାକିରାରେ ପରିବାର ସହ ରହୁଥିଲେ। ଗୋବର୍ଦ୍ଧନଙ୍କଠାରୁ ତାଙ୍କ କକା ଶ୍ବଶୁର ବ୍ରହ୍ମାନନ୍ଦ ପ୍ରଧାନଙ୍କ ପରିବାର ଘର ନିର୍ମାଣ ପାଇଁ ଇଟା ନେଇଥିଲେ। ଏହା ବାବଦକୁ କିଛି ଟଙ୍କା ବାକି ରହିଥିଲା। ଗୋବର୍ଦ୍ଧନ ବାରମ୍ବାର ବକେୟା ଟଙ୍କା ମାଗି ଆସୁଥିଲେ। ଏଥିପାଇଁ ଶୁକ୍ରବାର ରାତ୍ରି ପ୍ରାୟ ୯ଟାରେ ବ୍ରହ୍ମାନନ୍ଦଙ୍କ ଘର ସମ୍ମୁଖରେ ଗୋବର୍ଦ୍ଧନ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ବ୍ରହ୍ମାନନ୍ଦଙ୍କ ପରିବାର ସହ ଗୋବର୍ଦ୍ଧନଙ୍କ କଥା କଟାକଟି ହୋଇ ଝଗଡ଼ା ହୋଇଥିଲା। ଶେଷରେ ବ୍ରହ୍ମାନନ୍ଦ ଓ ତାଙ୍କର ୨ପୁଅ ବିଷ୍ଣୁ ପ୍ରଧାନ ଓ ପବିତ୍ର ପ୍ରଧାନ ଉତ୍ୟକ୍ତ ହୋଇ ଠେଙ୍ଗାରେ ଗୋବର୍ଦ୍ଧନଙ୍କୁ ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ଗୋବର୍ଦ୍ଧନଙ୍କ ମୁଣ୍ଡରେ ଆକ୍ରମଣ ହେବା ଯୋଗୁଁ ସେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଆକ୍ରମଣକାରୀ ତିନି ବାପ-ପୁଅ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ।
ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ପାଇ ଆମ୍ବୁଲାନ୍ସ ପହଞ୍ଚିବା ପରେ ଗୋବର୍ଦ୍ଧନଙ୍କୁ ତାଙ୍କ ପରିବାର ଲୋକେ ଚିକିତ୍ସା ପାଇଁ ବାଉଁଶୁଣି ଡାକ୍ତରଖାନାରେ ପହଞ୍ଚାଇ ଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ ବାଉଁଶୁଣି ପୁଲିସର ଏକ ଟିମ୍ ରାତ୍ରିରେ ବଲାକିରା ଗ୍ରାମରେ ପହଞ୍ଚି ଅନୁସନ୍ଧାନ କରିଥିଲେ ହେଁ ହତ୍ୟାକାରୀଙ୍କ ସଂପର୍କରେ କୌଣସି ସୂଚନା ପାଇପାରି ନଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ ଠୋଙ୍ଗାକୁ ପୁଲିସ ଜବତ କରିଛି। ଶନିବାର ଶବ ବ୍ୟବଛେଦ ପାଇଁ ପଠାଇ ଅଭିଯୁକ୍ତମାନଙ୍କ ବିରୋଧରେ ବାଉଁଶୁଣି ଥାନା କେସ ନମ୍ବର ୧୮୧/୨୦୨୧ ରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ କରୁଛି। ଏହି ମାମଲାରେ ଜଡ଼ିତ ଅଭିଯୁକ୍ତଙ୍କୁ ଖୁବ୍ ଶିଘ୍ର ଗିରଫ କରାଯିବ ବୋଲି ବାଉଁଶୁଣି ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ ପ୍ରକାଶ କରିଛନ୍ତି।