ଚାନ୍ଦୋଳ: କେନ୍ଦ୍ରାପଡ଼ା ସଦର ଥାନା ଭାଗବତପୁର ପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର(ମେଳକସାହି)ଗ୍ରାମର ଭ୍ରମରବର ରାଉତଙ୍କ ମୃତଦେହ ଆଜି ସନ୍ଦେହଜନକ ଅବସ୍ଥାରେ ଚଣ୍ତିବଜାର ରାସ୍ତା କଡ଼ରେ ଥିବା ଗ୍ୟାରେଜ ପଛ ପାଖ ବିଲ ଭିତରୁ ଉଦ୍ଧାର କରାଯାଇଛି। ତାଙ୍କ ବାମ ହାତ କଳା ପଡ଼ି ଯାଇଥିବା ଦେଖିବାକୁ ମିଳିଛି। ସରକାରୀ ବିଦେଶୀ ମଦ ଦୋକାନ ମାଲିକ ଓ ମ୍ୟାନେଜର କରେଣ୍ଟ ଲଗାଇ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ପତ୍ନୀ ମମତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲୋକେ କଟକ-ଚାନ୍ଦବାଲି ରାଜରାସ୍ତା ଅବରୋଧ କରିବା ସହ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ଭାଗବତପୁର ପଞ୍ଚାୟତ ବାଲିଆଠାରେ ଗତ କିଛି ବର୍ଷ ହେଲା ଏକ ସରକାରୀ ବିଦେଶୀ ମଦ ଦୋକାନ ଖୋଲାଯାଇଛି। ଏହି ମଦ ଦୋକାନଟି ଚଣ୍ତିବଜାରଠାରୁ କଟକ–ଚାନ୍ଦବାଲି ରାଜରାସ୍ତାରୁ ପାଂଚ ଶହ ମିଟର ଦୂର ୧୩ ନଂ. କେନାଲ୍ ବନ୍ଧକୁ ଛୁଇଁଥିବା ଜହ୍ନିମୂଳ-ବାଲିଆ ରାସ୍ତା କଡ଼ରେ ରହିଥିଲା। ହେଲେ, ଚଳିତ ବର୍ଷ ଲଟେରି ମାଧ୍ୟମରେ ନିଲାମ ନେଇଥିବା ବ୍ୟବସାୟୀ ପ୍ରକାଶ କୁମାର କର ଚଣ୍ତିବଜାର ଦେଇ କଟକ-ଚାନ୍ଦବାଲି ରାଜରାସ୍ତାକୁ ଅତିକ୍ରମ କରିଥିବା ୧୩ ନଂ. କେନାଲ୍ ବନ୍ଧ କଡ଼ରେ ଏହି ମଦ ଦୋକାନ ଖୋଲିଛନ୍ତି। ରାଜରାସ୍ତା ପାଖରୁ ଏହି ଦୋକାନର ଦୂରତା ମାତ୍ର ତିନିଶହ ମିଟର। ରାଜରାସ୍ତାର ଏତେ ନିକଟରେ ଖୋଲିବାକୁ ନେଇ ମୃତ ଭ୍ରମରବର ରାଉତଙ୍କ ନେତୃତ୍ବରେ ଗ୍ରାମବାସୀ ଏହି ମଦ ଦୋକାନକୁ ବିରୋଧ କରିଆସୁଥିଲେ। ଏତଲାରେ ଦର୍ଶାଯାଇଛି ଯେ, ମଦ ଦୋକାନ ମ୍ୟାନେଜର ମହେଶ ନାୟକ ଗତକାଲି ରାତି ପ୍ରାୟ ୧୧ଟାରେ ଭ୍ରମରଙ୍କୁ ଘରୁ ଡ଼ାକି ନେଇଥିଲେ। ସେଠାରେ ମଦ ଦୋକାନକୁ ବିରୋଧ କରିବାକୁ ନେଇ ମ୍ୟାନେଜର ମହେଶ ଓ ମାଲିକ ପ୍ରକାଶଙ୍କ ସହିତ ଭ୍ରମରଙ୍କ ଉଚ୍ଚବାଚ ହୋଇଥିଲା।
/sambad/media/post_attachments/wp-content/uploads/2021/07/WHATSAPP-IMAGE-2021-07-22-AT-10210-PM_6.jpg)
ଆଜି ସକାଳେ ଚଣ୍ତିବଜାର ରାସ୍ତା କଡ଼ରେ ଥିବା ଗ୍ୟାରେଜ ପଛପଟ ବିଲ ପାଖରୁ ଭ୍ରମରଙ୍କ ମୃତଦେହ ପଡ଼ିଥିବା ଦେଖି ଲୋକେ ପରିବାର ସଦସ୍ୟଙ୍କୁ ସୂଚନା ଦେଇଥିଲେ। ତାଙ୍କ ବାମ ହାତ କଳା ପଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ମଦ ଦୋକାନ ମ୍ୟାନେଜର ଓ ମାଲିକ ମିଶି ମଦ ଦୋକାନରୁ ଯାଇଥିବା ବିଦ୍ୟୁତ୍ ତାରରେ କରେଣ୍ଟ ଦେଇ ଭ୍ରମରଙ୍କୁ ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ପତ୍ନୀ ମମତା ଏତଲାରେ ଦର୍ଶାଇଛନ୍ତି। ଅଭିଯୋଗ ପାଇ ସଦର ଥାନା ଏଏସ୍ଆଇ ଭାଗବତ ମାହାଳି ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ। ତଦନ୍ତ ବେଳେ ତିନି ଶହ ମିଟର ଦୂରରେ ଥିବା ଏକ ଗ୍ୟାରେଜ୍ରୁ ମଦ ଦୋକାନକୁ ବେଆଇନ ଭାବେ ବିଦ୍ୟୁତ୍ ସଂଯୋଗ ନିଆଯାଇଥିବା ଜଣାପଡ଼ିଥିଲା। ପୁଲିସ ଏହି ତାରକୁ ଜବତ କରିଛି। ଏପଟେ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଦାବିରେ ଦୀର୍ଘ ଲୋକେ ୨ ଘଂଟା ଧରି କଟକ–ଚାନ୍ଦବାଲି ରାଜରାସ୍ତାକୁ ଟାୟାର ଜାଳି ଅବରୋଧ କରି ରଖିଥିଲେ।
ଖବରପାଇ ଏଡିଏମ୍ ବସନ୍ତ ଚରଣ ରାଉତ, ଏସ୍ଡ଼ିପିଓ ରାଜୀବ ଲୋଚନ ପଣ୍ତା ପ୍ରମୁଖ ଘଟଣାସ୍ଥଳରେ ପହଂଚିଥିଲେ। କେନ୍ଦ୍ରାପଡ଼ା ତହସିଲଦାର ହେମଲତା ବାହାଲିଆ ମୃତକଙ୍କ ଘରେ ପହଂଚି ଜିଲ୍ଲା ରେଡ଼କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ। ମୃତକଙ୍କ ପରିବାରକୁ ଅନ୍ୟାନ୍ୟ ସରକାରୀ ସାହାଯ୍ୟ ପ୍ରଦାନ କରିବାକୁ ଏଡିଏମ୍ ଶ୍ରୀ ରାଉତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଏହି ଘଟଣାରେ ଦଫା ୩୦୨, ୩୪ ଆଇପିସିରେ ମାମଲା( ୪୧୦/୨୧)ରୁଜୁ କରି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏଏସଆଇ ଶ୍ରୀ ମାହାଳି କହିଛନ୍ତି, ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତଦନ୍ତ ଚାଲିଛି। ପାରପାର୍ଶ୍ବିକ ସ୍ଥିତିରୁ ବିଦ୍ୟୁତ୍ କରେଣ୍ଟ୍ରେ ଭ୍ରମରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ୁଛି। ହେଲେ, କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।
ଉଲ୍ଲେଖଥାଉ କି, ୩୫ ବର୍ଷ ତଳେ ଭ୍ରମରଙ୍କ ଦାଦା ଭରତଙ୍କୁ ପାରିବାରିକ କଳହ ଯୋଗୁଁ ହତ୍ୟା କରାଯାଇଥିଲା। ଭରତଙ୍କ ପତ୍ନୀ ରେବତୀ ପୁତୁରା ଭ୍ରମରଙ୍କୁ ଚାହିଁ ବଂଚିଥିଲେ। ଅନ୍ୟପଟେ ଭ୍ରମରଙ୍କ ମୃତ୍ୟୁ ପରେ ଖୁଡ଼ି ରେବତୀଙ୍କ ସମେତ ପତ୍ନୀ, ୧୨ ବର୍ଷର ଝିଅ ଏବଂ ୭ ବର୍ଷର ପୁଅ ଅସହାୟ ହୋଇପଡ଼ିଛନ୍ତି।