ନବରଙ୍ଗପୁରରେ ବଡ ଭାଇକୁ ପ୍ରତିଶୋଧ ନେବାକୁ ଆସି ଅନ୍ୟ ଜଣେ ଯୁବକଙ୍କୁ ହତ୍ୟା

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଇଛାପୁର ପଞ୍ଚାୟତର ଉପାନ୍ତ କାଦମଲ୍ଲୀ ଗ୍ରାମରେ ଆଜି ସଂଧ୍ୟା ସମୟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ବଡଭାଇକୁ ପ୍ରତିଶୋଧ ନେବା ପାଇଁ ସାନଭାଇ ଆସିଥିଲା। ତେବେ ଅନ୍ୟ ଜଣେ ଯୁବକ ସାନ ଭାଇକୁ ଶାନ୍ତ କରିବା ପାଇଁ ଉଦ୍ୟମ କରିବା ବେଳେ ହତ୍ୟାର ଶିକାର ହୋଇଛନ୍ତି। ହତ୍ୟାର ଶିକାର ହୋଇଛନ୍ତି ବାନଭଣୁଆଗୁଡା ଗାଁ ବଳରାମ ହରିଜନ(୩୫)। ହତ୍ୟାକାରୀ ଦେବରାଜ ମାଝୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ମିଳିଥିବା ଖବର ଅନୁସାରେ କାଦମଲ୍ଲୀ ଗ୍ରାମର ସୁଦର ମାଝୀ ଓ ତାଙ୍କ ସାନଭାଇ ଦେବରାଜ ମାଝୀଙ୍କ ମଧ୍ୟରେ ପାରିବାରିକ ଗଣ୍ଡୋଗଳ ଲାଗିରହିଥିଲା। ଗତ କିଛି ମାସ ପୂର୍ବେ ସାନଭାଇ ଦେବରାଜ ମାଝୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦେବରାଜ ଗତ ସପ୍ତାହରେ ଜେଲରୁ ଫେରିଥିଲା। ଦେବରାଜ ଆଜି ଅପରାହ୍ନ ସମୟରେ ନାଟଗୁରୁପଡା ଅଞ୍ଚଳକୁ ଯାଇ ସୁଦର ମାଝୀଙ୍କୁ ଖୋଜିଥିଲା।

ସୁଦର ଘରେ ନଥିବା ଜାଣିବା ପରେ ଦେବରାଜ ସାହି ଦାଣ୍ଡରେ ଜଗିରହିଥିଲା। ସେହି ସମୟରେ ବାଣୁଆଗୁଡା ପଞ୍ଚାୟତର ବାନଭଣୁଆଗୁଡା ଗାଁ ବଳରାମ ହରିଜନ(୩୫) ସୁଦର ମାଝୀଙ୍କ ଘର ନିକଟରେ କିଛି କାମ ପାଇଁ ଆସିଥିବା ବେଳେ ଦେବରାଜ ଏକ ଟାଙ୍ଗିଆ ଧରି ସୁଦରକୁ ପ୍ରତିଶୋଧ ନେବା ପାଇଁ ଆସିଥିବା ଜାଣିପାରିଥିଲେ। ଦେବରାଜଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ ବଳରାମ ବୁଝାସୁଝା କରିଥିଲେ।

ତେବେ ଦେବରାଜ ନିଜର ହିତାହିତ ଜ୍ଞାନ ଭୁଲି ବଳରାମ ହରିଜନଙ୍କ ବେକକୁ ସେ ଧରିଥିବା ଟାଙ୍ଗିଆରେ ଚୋଟ ପକାଇଥିଲା ବୋଲି ଅଭିଯୋଗ ହୋଇଛି। ଫଳରେ ବଳରାମ ହରିଜନ ରକ୍ତଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବାର ଜଣାପଡିଛି। ଦେବରାଜ ଏହି ହତ୍ୟାକାଣ୍ଡ ଭିଆଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାର ପୁଲିସ ପ୍ରକାଶ କରିଛି। ଘଟଣା ସଂକ୍ରାନ୍ତରେ ଝରିଗାଁ ଥାନା ଆଇଆଇସି ନରେଶ ପ୍ରଧାନ, ଏସଆଇ ସନ୍ତୋଷ କୁମାର ମାଝୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର