ବ୍ରଜରାଜନଗର: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ କଦଳୀମୁଣ୍ଡା ଧୁକାପଡାସାହି ରାସ୍ତାର ଫୁଟ୍‌ବଲ୍‌ ଫିଲ୍‌ଡ ନିକଟରେ ଶୁକ୍ରବାର ଅପରାହ୍‌ଣ ପ୍ରାୟ ୪ଟାରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସାମାନ୍ୟ କଥାକୁ ନେଇ ବଚସା ଓ ପରେ ଏପରି ବୀଭତ୍ସ ଘଟଣା ଘଟିଥିବା କୁହାଯାଉଛି। ମୃତକ ହେଲେ ପ୍ରଫୁଲ୍ଲ ଆଡେ (୪୭)।

Advertisment

ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହିତ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ଗିରଫ ଅଭିଯୁକ୍ତ ଗଣେଶ ମାଝୀ (୪୬) ବୋଲି ଆଇଆଇସି ଶୁଚିସ୍ମିତା ମହାନ୍ତି କହିଛନ୍ତି। ପୁଲିସ ସୂଚନା ଅନୁଯାୟୀ ମୃତ ପ୍ରଫୁଲ୍ଲ ଓ ଅଭିଯୁକ୍ତ ଗଣେଶ ଉଭୟ ଲହଣ୍ଡାବୁଡ଼ ଅଞ୍ଚଳର। ଗଣେଶଙ୍କ ସାଇକେଲକୁ ପ୍ରଫୁଲ୍ଲ ନେଇଥିଲା। ଆଜି ଏହି ସାଇକେଲ୍‌କୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଗଣେଶ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ପ୍ରଫୁଲ୍ଲଙ୍କୁ ଆକ୍ରମଣ କରିବାରୁ ସେ ତଳେ ପଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ଗାଁ ଲୋକ ତାଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ଗଣେଶକୁ ପୁଲିସ ଗିରଫ କରିବା ସହିତ  ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରାଯାଇଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଥିବା ଆଇଆଇସି ଶ୍ରୀମତୀ ମହାନ୍ତି କହିଛନ୍ତି।