ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ବିଚ୍‌ ରାସ୍ତାରେ ହାଣିବା ଘଟଣା: ଯେଉଁ ଭଉଣୀ ପାଇଁ ହତ୍ୟାକାଣ୍ଡ, ତାଙ୍କର ଅସ୍ୱଭାବିକ ମୃତ୍ୟୁ

ୱାର୍ଡମେମ୍ବର ଓ ତାଙ୍କ ଭାଇ ଗିରଫ, ଗାଁ ଦାଣ୍ଡରେ ମୃତ ପୁଚୁର ମୃତଦେହ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ବେହେରାମାଲ ତଲିମାଲ ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ବିଲାସନ୍‌ ମୁଣ୍ଡା ଓରଫ୍‌ ପୁଚୁ(୨୮)କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିବା ଘଟଣାରେ ଗୁରୁବାର ନୂଆମୋଡ଼ ଆସିଛି। ପୁଚୁର ବାପା ଆମୁସ୍‌ ମୁଣ୍ଡାଙ୍କ ଅଭିଯୋଗକ୍ରମେ ଯୁଯୁମୁରା ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ୱାର୍ଡମେମ୍ବର ପ୍ରଶାନ୍ତ ମୁଣ୍ଡା ଓ ତାଙ୍କ ସାନଭାଇ(୧୭)କୁ ଗିରଫ କରିଛି। ଶୁକ୍ରବାର ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ସେପଟେ, ଗୁରୁବାର ସକାଳୁ ଗାଁ ଦାଣ୍ଡରେ ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତିରେ ମୃତ ପୁଚୁର ଶବ ପଞ୍ଚାନାମା କରାଯିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଘଟଣାସ୍ଥଳରୁ ପୁଲିସ୍‌ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ଜବତ କରିଛି। ଯେଉଁ ଭଉଣୀକୁ ଗୁଣିଗାରେଡ଼ି କରାଯାଇଥିବା ସନ୍ଦେହ କରି ପାଇଁ ପ୍ରଶାନ୍ତ ଓ ତାଙ୍କ ସାନ ଭାଇ ନିଜ ପୀଉସୀ ପୁଅ ପୁଚୁକୁ ହତ୍ୟା କରିଥିଲେ ସେହି ଭଉଣୀର ମଧ୍ୟ ଗୁରୁବାର ଅସ୍ୱଭାବିକ ଭାବେ ମୃତ୍ୟୁ ଘଟିଛି।

ପୁଲିସ୍‌ ସୂଚନା ଅନୁସାରେ ପ୍ରଶାନ୍ତଙ୍କ ଭଉଣୀ ସୁଷମା(୧୫) ଦୀର୍ଘଦିନ ହେବ ଅସୁସ୍ଥ ରହିଥିବା ସମୟରେ ଗତ ମଙ୍ଗଳବାର ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ। ତେବେ ଗୁରୁବାର ସକାଳୁ ହଠାତ୍‌ ସୁଷମାଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପୁଣିଥରେ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସମ୍ପର୍କରେ ବୁର୍ଲା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛିଯ କିନ୍ତୁ ଖବର ଲେଖାହେବା ଯାଏ ସୁଷମାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସେପଟେ, ଦିନକରେ ପୀଉସୀ ପୁଅ ଭାଇର ହତ୍ୟା ଅଭିଯୋଗରେ ୨ ମାମୁ ପୁଅ ଭାଇ ଗିରଫ ହେବା ପରେ ସେମାନଙ୍କ ଭଉଣୀର ମୃତ୍ୟୁ ହେବା ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର