କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗଙ୍ଗାପୁର ପଞ୍ଚାୟତ ବଡ଼ଆଗୁଳ ତଳସାହିରେ ଗୁଣିଗାରେଡ଼ି ସନ୍ଦେହ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ଗାଁ ଦାଣ୍ଡରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଗ୍ରାମର ତ୍ରିଲୋଚନ ପ୍ରଧାନ। ସେ ଏକ ଦୋକାନ ଆଗରେ ଛିଡ଼ା ହୋଇଥିବାବେଳେ ଗ୍ରାମର କୈଳାସ ସ୍ବାଇଁ ନାମକ ଜଣେ ବ୍ୟକ୍ତି ତାଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିଲେ। ଖବରପାଇ କବିସୂର୍ଯ୍ୟନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ କୈଳାସକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ବଡ଼ଆଗୁଳ ତଳସାହିରେ ତ୍ରିଲୋଚନଙ୍କ ଘର ଆଗରେ କୈଳାସଙ୍କ ଘର। କିଛିବର୍ଷ ତଳେ କୈଳାସ ତ୍ରିଲୋଚନଙ୍କ ଠାରୁ ୩-୪ ହଜାର ଟଙ୍କା କରଜ ନେଇଥିଲେ। ହେଲେ ଉକ୍ତ ଟଙ୍କାକୁ ଠିକ୍ ସମୟରେ ଫେରାଇ ପାରିନଥିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସେହିପରି କୈଳାସଙ୍କ ପୁଅ ଧିରେନ(୨୦)ର ସ୍ବାସ୍ଥ୍ୟାବସ୍ଥା ପ୍ରାୟ ଭଲ ରହୁନଥିବାରୁ ସେ ତାଙ୍କ ପୁଅକୁ କେହି ଗୁଣିଗାରେଡ଼ି କରୁଥିବା ସନ୍ଦେହ କରୁଥିଲେ। ଏହା ପଛରେ ତ୍ରିଲୋଚନଙ୍କ ହାତଥିବା କୈଳାସ ସନ୍ଦେହ କରୁଥିଲେ। ପରେ ପରିବାର ନେଇ କୈଳାସ ବ୍ରହ୍ମପୁର ଚାଲିଯାଇଥିଲେ।
ବ୍ରହ୍ମପୁରରେ ଭଡ଼ାଘରେ ପରିବାରଙ୍କୁ ରଖି ନିଜେ ସୁରତ ଚାଲିଯାଇଥିଲେ। ତେବେ ସେ ଗତ ଗୁରୁବାର ଦିନ ନିଜ ଗାଁ ବଡ଼ଆଗୁଳ ଆସିଥିଲେ। ରାତି ପ୍ରାୟ ୯ଟା ବେଳେ ଅର୍ଜୁନ ପରିଡ଼ାଙ୍କ ରାସନ ଦୋକାନ ଆଗରେ ତ୍ରିଲୋଚନ ଛିଡ଼ା ହୋଇଥିବାବେଳେ କୈଳାସ ଏକ ଖଣ୍ଡାରେ ତାଙ୍କ ମୁଣ୍ଡ ଓ ହାତକୁ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ, ତ୍ରିଲୋଚନ ଟଳିପଡ଼ିଥିଲେ। ପରେ କୈଳାସ କବିସୂର୍ଯ୍ୟନଗର ଥାନାରେ ଆତ୍ମସମର୍ପଣ କରିଥିଲେ। ମୃତକଙ୍କ ଝିଅ ବାସନ୍ତୀଙ୍କ ଅଭିଯୋଗ ପ୍ରକାରେ କେସ୍ ନମ୍ବର ୧୪୨ ଧାରା ୩୦୨ ଆଇପିସିରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ସୁଧିର କୁମାର ସାହୁ ସୂଚନା ଦେଇଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/be73f1bf-8188-4e86-ae17-059d0985cd17.jpeg)