ଗ୍ୟାଙ୍ଗୱାର୍‌ର ବୀଭତ୍ସ ପରିଣତି: ବିଚ୍‌ ରାସ୍ତାରେ ବୁଲେଟ୍‌ ଅଟକାଇ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲାରେ ସ୍ପଷ୍ଟ ଦିବାଲୋକରେ ବିଚ୍‌ ରାସ୍ତାରେ ସଶସ୍ତ୍ର ଆକ୍ରମଣ ଓ ହତ୍ୟାକାଣ୍ଡ ଭଳି ଘଟଣାର ପୁନରାବୃତ୍ତି ଘଟିଛି କବିସୂର୍ଯ୍ୟନଗରରେ। ଏହି ଥାନା ଅଧୀନ ଦେଓଗାଁରେ ଦୁଇ ଗ୍ୟାଙ୍ଗ୍‌ର ସଦସ୍ୟଙ୍କ ଭିତରେ ବହୁ ବର୍ଷ ଧରି ଲାଗି ରହିଥିବା ଛକାପଞ୍ଝାର ଆଉ ଏକ ରକ୍ତରଞ୍ଜିତ ଅଧ୍ୟାୟ ଆଲୋଡ଼ନ ଖେଳାଇ ଦେଇଛି। ଆଜି ସକାଳ ପ୍ରାୟ ୯ଟା ବେଳେ ଦେଓଗାଁ ରାଧାକୃଷ୍ଣ ହାଇସ୍କୁଲ୍‌ ଛକ ମୁଖ୍ୟରାସ୍ତା ଉପରେ ହିଁ ଗ୍ରାମର ଜି‌ତେନ୍ଦ୍ର ସ୍ବାଇଁ (୪୫) ନାମକ ଜଣେ ଯୁବକ ତାଙ୍କର ଜଣେ ସହଯୋଗୀଙ୍କ ସହ ବୁଲେଟ୍‌ରେ ଯାଉଥିବା ବେଳେ ପ୍ରତିପକ୍ଷ ଗୋଷ୍ଠୀର କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଜିତେନ୍ଦ୍ରଙ୍କୁ ଖଣ୍ଡାରେ ହାଣିବା ସହ ଛୁରୀରେ ବାରମ୍ବାର ଭୁସି ନିର୍ମମ ଭାବେ ହତ୍ୟା କରିଛନ୍ତି।

ଜିତେନ୍ଦ୍ର ତାଙ୍କର ଜଣେ ସହଯୋଗୀଙ୍କୁ ବୁଲେଟ୍‌ର ପଛରେ ବସାଇ ଗାଁ ଆଡ଼କୁ ଫେରୁଥିଲେ। ଏହି ସମୟରେ ସ୍କୁଲ୍‌ ଛକରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ। କିଛି ବୁଝିବା ପୂର୍ବରୁ ରାସ୍ତା ଉପରେ ହିଁ ଜିତେନ୍ଦ୍ରଙ୍କୁ ଅତର୍କିତ ଭାବେ ଖଣ୍ଡାରେ ହାଣି ଦେବା ସହ ଛୁରୀରେ ତାଙ୍କ ହାତ, ଗୋଡ଼, ମୁଣ୍ଡ ଓ ପେଟକୁ ବାରମ୍ବାର ଆଘାତ ଦେଇଥିଲେ। ଜିତେନ୍ଦ୍ରଙ୍କ ସହଯୋଗୀ ଜଣକ ଭୟରେ ସେଠାରୁ ଦୌଡ଼ି ପଳାଇଯାଇଥିଲେ। ଗୁରୁତର ଅବସ୍ଥାରେ ଜିତେନ୍ଦ୍ରଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା।

ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା। ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଭାଇଙ୍କ ଏତଲା କ୍ରମେ କବିସୂର୍ଯ୍ୟନଗର ଥାନାରେ ଏକ ହତ୍ୟା ମାମଲା ରୁଜୁ ସହ ତଦନ୍ତ ଜାରି ରହିଥିବା ଥାନାଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି। ଗତ ଦୁଇ ବର୍ଷ ହେଲା ଗ୍ରାମରେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ସହ ମଝିରେ ମଝିରେ ଆକ୍ରମଣ ଏବଂ ପ୍ରତିଆକ୍ରମଣ ଜାରି ରହିଛି।

ସମ୍ବନ୍ଧିତ ଖବର