ଅଟୋ ଚାଳକଙ୍କ ତଣ୍ଟି କାଟି ହତ୍ୟା ମାମଲା, ହତ୍ୟା ପଛରେ ପୂର୍ବଶତ୍ରୁତା; ପୁଣି ୨ ଗିରଫ

କିଶନନଗର: କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ନମାଜପଡ଼ିଆ ଗ୍ରାମର ଅଟୋ ଚାଳକ ତଥା ପ୍ରହରାଜପୁର ପଞ୍ଚାୟତର ଏସ୍‌ସିଏମ୍‌ ଅବ୍‌ଦୁଲ୍‌ କାଦର୍‌ଙ୍କ ତଣ୍ଟି କାଟି ହତ୍ୟା ମାମଲାରେ ପୁଲିସ ଆଉ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଗତସିଂହପୁରର ତହିଦ ସାହା (୨୧) ଓ ମୃତ କାଦରଙ୍କ ପଡ଼ୋଶୀ ଶାହାଜାନ ଓରଫ ଶେଖ ସାହିବ୍‌ ଉଦ୍ଦିନ୍‌ଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି। ଗତ ୨ ତାରିଖରେ ମୁଖ୍ୟ ଅଭିଯୁକ୍ତ ସଚିନ୍‌ ଓରଫ ଶେଖ ସକିଲ୍‌କୁ ପୁଲିସ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। କିଶନନଗର ଥାନାରେ ବରିଷ୍ଠ ପୁଲିସ ଅଧିକାରୀମାନେ ତାକୁ ଜେରା କରି ବୟାନ ରେକର୍ଡ କରିଥିଲେ। ଅଭିଯୁକ୍ତର ବୟାନ ଓ ମୋବାଇଲ୍‌ ସିଡିଆର୍‌ ଆଧାରରେ କେତେଜଣ ପୁରୁଷ ଓ ମହିଳାଙ୍କୁ ପୁଲିସ ଉଠାଇନେଇ ତା’ ସହ ମୁହାଁମୁହିଁ ଜେରା କରିଥିଲା। ଏହାପରେ ଦୁଇଜଣ ଯୁବକଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନସୁଦ୍ଧା ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସଚିନ ସମେତ ତା’ର ନାବାଳକ ଭାଇ, ମା’ ଗୁଲ୍‌ସନ୍‌ ବିବି (୫୦) ଓ ସାହିନ ପରବିନ (୩୦)ଙ୍କୁ ଗିରଫ କରାଯାଇଥିଲା।

ଆଜି ଗିରଫ ହୋଇଥିବା ତହିଦର ମାମୁଘର ମୁଖ୍ୟ ଅଭିଯୁକ୍ତ ସଚିନ୍‌ ସାହିରେ ବୋଲି ଜଣାପଡ଼ିଛି। କାଦରଙ୍କୁ ହତ୍ୟା ପଛରେ ସଚିନର ବ୍ୟକ୍ତିଗତ ରାଗ, ଟଙ୍କା ଦେଣନେଣ ଓ ପୂର୍ବ ଶତ୍ରୁତା ଭଳି କାରଣ ରହିଛି ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ ଯେ ଗତ ୧୦ତାରିଖ ରାତିରେ କାଦରଙ୍କୁ ଅତି ନୃଶଂସ ଭାବେ ତଣ୍ଟି କାଟି ହତ୍ୟା ପରେ ଶବ ନମାଜପଡ଼ିଆ ନିକଟ ଗଡ଼ମା-କିଶୋରନଗର ରାସ୍ତାପାର୍ଶ୍ଵରେ ସମ୍ପୂର୍ଣ୍ଣ ଉଲଗ୍ନ କରି ଫିଙ୍ଗି ଦିଆଯାଇଥିଲା। ଉକ୍ତ ସ୍ଥାନ ନିକଟରେ ସିସି କ୍ୟାମେରା ଲାଗିଥିଲେ ମଧ୍ୟ ଅଭିଯୁକ୍ତମାନେ ଚତୁରତାର ସହ ଏହାକୁ ଏଡ଼ାଇ ଯାଇଥିଲେ। ପରଦିନ କିଶନନଗର ପୁଲିସ ଶବ ଉଦ୍ଧାର କରିବା ସହ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ୪୮ଘଣ୍ଟା ମଧ୍ୟରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସଚିନକୁ ଚିହ୍ନଟ କରିଥିଲା। ତେବେ ହତ୍ୟାକାଣ୍ଡ ପରେ ସଚିନ ତା’ର ମୋବାଇଲ୍‌ ସିମ୍‌କୁ ଭାଙ୍ଗି ରାତି ପ୍ରାୟ ୪ଟାରେ ଏକ ଅଟୋ ଭଡ଼ା କରି କଟକ ଯାଇଥିଲା। ସେଠାରୁ ସେ ରାଜ୍ୟ ବାହାରକୁ ପଳାଇ ଯାଇଥିଲା। ସେ ନିଜ ସାଙ୍ଗରେ ନାବାଳକ ଦାଦାପୁଅ ଭାଇକୁ ନେଇଯାଇଥିଲା। ତେବେ ଘଟଣାର ୮ଦିନ ଭିତରେ ତାକୁ ପୁଲିସ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ହତ୍ୟାରେ ବ୍ୟବହୃତ ଛୁରୀ ଓ ମୃତକଙ୍କ ଲୁଗାପଟା ଜବତ କରାଯାଇଥିଲା। ଏହି ହତ୍ୟାକାଣ୍ଡ ପାଇଁ ସଚିନ ଜଣେ କମାର ପାଖରୁ ଛୁରୀ ତିଆରି କରିଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର