ତଣ୍ଟି କାଟି ଯୁବକଙ୍କୁ ହତ୍ୟା, ପୁଲିସର ଛାନଭିନ ଆରମ୍ଭ

ଲାଞ୍ଜିଗଡ଼: ନିଜ ଘର ଦୁଆର ମୁହଁରେ ରାତିରେ ଶୋଇଥିବାବେଳେ ଜଣେ ଯୁବକଙ୍କୁ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଲୋମହର୍ଷକ ଘଟଣାଟି ଘଟିଛି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ସିମିଳିଭଟା ଗାଁରେ । ଗତ ରାତିରେ ଖାଇପିଇ ଦୁଆରେ ଶୋଇଥିବା ଅବସ୍ଥାରେ ନୀଳମଣି ଦଣ୍ଡସେନା(୩୨) ନାମକ ଜଣେ ବ୍ୟକ୍ତିଙ୍କୁ କେହି ଅଜଣା ଦୁବୃର୍ତ୍ତ କୌଣସି ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା କରିଥିବା ଜଣାପଡିଛି । ଗତ ରାତିରେ ସେ ଓ ତାଙ୍କ ସ୍ତ୍ରୀ ଚଞ୍ଚଳା ଖାଇପିଇ ଶୋଇବାକୁ ଯାଇଥିବାବେଳେ ଚଞ୍ଚଳା ଘରେ ଶୋଇଥିବାବେଳେ ଗରମ ଲାଗୁଥିବାରୁ ନୀଳମଣି ଦୁଆରେ ଶୋଇଥିଲେ ।

ରାତିରେ ତାଙ୍କୁ ହତ୍ୟା କରାଯାଇଥିବାବେଳେ ସକାଳେ ଉଠି ତାଙ୍କ ସ୍ତ୍ରୀ ଦେଖି କାନ୍ଦବୋବାଳି କରିବାରୁ ପାଖପଡ଼ୋଶୀ ପହଂଚି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଲାଞ୍ଜିଗଡ଼ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ପୁଲିସ ପହଂଚିବା ସହିତ ଛାନଭିନ ଆରମ୍ଭ କରିଛି । ଏନେଇ ଲାଞ୍ଜିଗଡ ଥାନାରେ ୪୩/୨୦୨୧ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ମୃତ ନୀଳମଣି ଲାଞ୍ଜିଗଡ଼ର ମୂଳ ବାସିନ୍ଦା ହୋଇଥିବାବେଳେ ଗତ ଚଉଦ ବର୍ଷ ତଳେ ଅନ୍ୟ ଜାତିର ଜଣେ ଝିଅକୁ ପ୍ରେମବିବାହ କରି ସିମିଳିଭଟାରେ ରହି ଆସୁଥିଲେ । ତାଙ୍କର ଏକ ଦେଢବର୍ଷର ଶିଶୁକନ୍ୟା ମଧ୍ୟ ରହିଛି । ବର୍ତ୍ତମାନ ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ସହିତ ଏଥିରେ ସଂପୃକ୍ତ ଦୁବୃର୍ତ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର