ମାଓବାଦୀ ଶୈଳୀରେ ହତ୍ୟା: ପୁଲିସର ଛାନଭିନ୍‌

କାଲିମେଳା: ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତର ରାଜଗିରି ଗ୍ରାମ ନିକଟସ୍ଥ ଜଂଗଲରେ ମାଓବାଦୀ ଶୈଳୀରେ ଜଣକୁ ଗଳାକାଟି ହତ୍ୟା କରାଯାଇଛି। ଜମିଜମା ବିବାଦକୁ ନେଇ ଗ୍ରାମର ବାଂଝିଗୁଡ଼ା ଗ୍ରାମର କାନା ବାଡସେଙ୍କୁ କେହି ହତ୍ୟା କରି ମାଓବାଦୀ ହିଂସାର ରୂପ ଦେବାକୁ ଚେଷ୍ଟା କରିଥିବା ଅନୁମାନ କରଯାଉଛି। ଅପରପକ୍ଷରେ ଏହା ମାଓବାଦୀ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ ମାଓବାଦୀଙ୍କ ହାତ ଥାଇପାରେ ବୋଲି ମଧ୍ୟ କୁହାଯାଉଛି। ପୁଲିସ ଉଭୟ ଦିଗକୁ ନେଇ ତଦନ୍ତ କରୁଛି।  ଘଟଣାରୁ ପ୍ରକାଶ ଯେ ଗତକାଲି  ବାଂଝିଗୁଡ଼ା ଗ୍ରାମର  କାନା ବାଡସେ (୫୫) ଗାଈ ଚରାଇବାକୁ ରାଜଗିରି ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ କେହି ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବରେ ହତ୍ୟା କରି ଫେରାର ହୋଇଯାଇଥିଲେ।

ନିକଟସ୍ଥ ଜମିରେ କାମ କରୁଥିବା ଲୋକେ କାନାର ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବରପାଇ ପରିବାର ଲୋକ ଓ ଗ୍ରାମବାସୀସଂଧ୍ୟା ସମୟରେ ଉକ୍ତ ସ୍ଥାନକୁ ଯାଇ କାନାର ଶବକୁ ଘରକୁ ନେଇ ଆସିଥିଲେ। ମାଓବାଦୀଙ୍କ କାଣ୍ଡ ହୋଇଥିବା ସନ୍ଦେହ କରି କାହାକୁ କିଛି ନ କହି ପରିବାର ଓ ଗ୍ରାମବାସୀ ଶବକୁ ଦାହ ସଂସ୍କାର କରିଦେବାକୁ ବସିଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ମୋଟୁ ପୁଲିସ ଗ୍ରାମବାସୀଙ୍କ ସହ ଯୋଗାଯୋଗ କରି ଶବକୁ କାଲିମେଳା ମେଡ଼ିକାଲକୁ ଆଣିବାକୁ କହିଥିଲେ। ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ତେବେ କାନାର ମୃତ୍ୟୁରେ ଗ୍ରାମବାସୀମାନେ ଏତେ ମାତ୍ରାରେ ଭୟଭୀତ ହୋଇପଡ଼ିଥିଲେ ଯେ ହତ୍ୟାକାଣ୍ଡ ସଂପର୍କରେ ପାଟି ଖୋଲୁନାହାନ୍ତି।

ପରିବାର ଲୋକମାନେ ମଧ୍ୟ ଘଟଣା ସଂପର୍କରେ କିଛି କହିପାରୁ ନାହାନ୍ତି। କାନାର କେହି ଶତୃ ନଥିବା ତାଙ୍କ ପୁଅ କହିଛନ୍ତି। ତେଣୁ କାହିଁକି କିଏ ମାରିଲା ତାହା ପୁଲିସ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ଛିଡ଼ା କରିଛି। ହତ୍ୟାକାଣ୍ଡ ଜମିଜମାକୁ ନେଇ ଘଟିଥିବାର କେତେକ କହୁଥିଲା ବେଳେ ଅନ୍ୟ ମାଓବାଦୀ ହତ୍ୟା କରିଥାଇ ପାରନ୍ତି  ବୋଲି ପ୍ରକାଶ କରିଛନ୍ତି। ଉଭୟ ଦିଗରେ ପୁଲିସ ଅନୁସଂଧାନ ଆରମ୍ଭ କରିଥିବାର ଜଣାପଡ଼ିଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତକାଲି ପଡ଼ିଆ ଥାନା ଅନ୍ତର୍ଗତ ବାପନପାଲୀ ଗ୍ରାମରେ ଇର୍ମା କବାସୀଙ୍କୁ ଘରୁ ନେଇ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିିଲା।

ସମ୍ବନ୍ଧିତ ଖବର